ଶ୍ରୀଗୁଣ୍ଡିଚା ମନ୍ଦିରରେ ଉତ୍ତେଜନା : ଜେଟିପିଙ୍କୁ ସେବାୟତଙ୍କ ମାଡ଼, ୨ ଘଣ୍ଟା ନୀତି ବିଳମ୍ବ, ବିଳମ୍ବରେ ଆସିଲେ ମା’ ଲକ୍ଷ୍ମୀ

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଦର୍ଶନ ଚାଲିଥିବା ବେଳେ ମନ୍ଦିର ପୁଲିସ (ଜେଟିପି)ଙ୍କୁ ସେବାୟତ ମାଡ଼ ମାରିଛନ୍ତି। ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଛି। ଜେଟିପିମାନେ ଏକଜୁଟ ହୋଇ ସେବାୟତଙ୍କ ମାଡ଼ର ପ୍ରତିବାଦ ଜଣାଇଛନ୍ତି। ଏ ନେଇ ଆଜି ନୀତି ୨ ଘଣ୍ଟା ବିଳମ୍ବ ହୋଇଛି। ଏହି ଗଣ୍ଡଗୋଳ ପାଇଁ ମା’ ଲକ୍ଷ୍ମୀଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ମଧ୍ୟ ବିଳମ୍ବିତ ହୋଇଛି।

ସୂଚନା ମୁତାବକ, ଆଜି ରାତି ପ୍ରାୟ ୯ଟାରେ ବଡ଼ଠାକୁର ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ରଙ୍କ ପୁଅ ବାବୁନି ଯାତ୍ରୀଙ୍କୁ ନେଇ ଆଡ଼ପ ଦର୍ଶନ ପାଇଁ ଯାଇଥିଲେ। ଗର୍ଭଗୃହ ଶୃଙ୍ଖଳା ଦାୟିତ୍ବରେ ଥିବା ଜେଟିପି ସୁଦର୍ଶନ ସାହୁ ଗହଳି ବଢ଼ୁଥିବାରୁ ଭିତର କାଠରୁ ଭକ୍ତଙ୍କୁ ଖାଲି କରୁଥିଲେ। ଗର୍ଭଗୃହ ଗହଳି ଭାଙ୍ଗିବାକୁ ସୁଦର୍ଶନ ସମସ୍ତଙ୍କୁ ବାହାର କରୁଥିବା ବେଳେ ବାବୁନିଙ୍କ ସହ ସୁଦର୍ଶନଙ୍କର ଯୁକ୍ତିତର୍କ ହୋଇ ସେଠାରେ କଥା ଛିଣ୍ଡିଥିଲା। ପରେ ସୁଦର୍ଶନ ବେହେରଣ ଦ୍ବାର ଡ୍ୟୁଟିରେ ଥିବା ସମୟରେ ବାବୁନି ତାଙ୍କୁ ଚାପୁଡ଼ା ମାରିବା ସହ ଧକ୍କା ମାରିଥିଲେ ବୋଲି ଅଭିଯୋଗ ହୋଇଛି। ଯାହାକୁ ନେଇ ସେବାୟତ ଓ ଜେଟିପି ମୁହାଁମୁହିଁ ହୋଇଥିଲେ।

ପ୍ରକାଶଥାଉକି, ଜେଟିପି ଶ୍ରୀ ସାହୁ ଶ୍ରୀମନ୍ଦିର କର୍ମଚାରୀ ସଂଘର ସଂପାଦକ ଅଛନ୍ତି। ଶ୍ରୀ ସାହୁଙ୍କୁ ମାଡ଼ ପରେ ଜେଟିପିମାନେ କାମ ବନ୍ଦ କରି ଏହାର ପ୍ରତିବାଦ ଜଣାଇଥିଲେ। ବହୁ ସମୟ ଧରି ଯୁକ୍ତିତର୍କ ପରେ ଶ୍ରୀମନ୍ଦିର ନୀତି ପ୍ରଶାସକ ବିଶ୍ବଜିତ ବିଶ୍ବାଳ ଦୁଇ ପକ୍ଷକୁ ଡାକି ବୈଠକ କରିଥିଲେ। ତେବେ ଏଥିରୁ କିଛି ନିଷ୍କର୍ସ ବାହାରି ପାରିନାହିଁ। ୨୪ ଘଣ୍ଟା ମଧ୍ୟରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜେଟିପିମାନଙ୍କ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ନୀତି ପ୍ରଶାସକ ଏବଂ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଦାବିପତ୍ର ଦିଆଯାଇଛି। ଅବଶ୍ୟ ନୀତି ପ୍ରଶାସକ ବୁଝାସୁଝା କରିବା ପରେ ଜେଟିପିମାନେ କାମରେ ଯୋଗ ଦେଇଛନ୍ତି ସତ, କିନ୍ତୁ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଗଣ୍ଡଗୋଳ ପାଇଁ ଆଜି ରାତି ୯ଟାରୁ ୧୨ଟା ପର୍ଯ୍ୟନ୍ତ ସମସ୍ତ ନୀତି ବନ୍ଦ ରହିଥିଲା।

ସମ୍ବନ୍ଧିତ ଖବର