ହବିଷ୍ୟାଳି କେନ୍ଦ୍ରରେ ସିସିଟିଭିକୁ ନେଇ ଅସନ୍ତୋଷ : ‘ଅବଢ଼ା ପାଇଁ ମା’ଙ୍କ ସମ୍ମାନ ହାନି କରୁଛି ପ୍ରଶାସନ’

ପୁରୀ : ବାଟବଣା ହୋଇଯାଇଛି ସରକାରଙ୍କ ହବିଷ୍ୟାଳି ଯୋଜନା। ପ୍ରତିଦିନ ଅସୁସ୍ଥ ହବିଷ୍ୟାଳିଙ୍କ ସଂଖ୍ୟ‌ା ବଢି ଚ‌ାଲିଥିବା ବେଳେ ବିଭିନ୍ନ ସମସ୍ୟା କାରଣରୁ ହବିଷ୍ୟାଳିଙ୍କୁ ଶିବିର ଛାଡିବାକୁ ପଡୁଛି। ଏମିତିକି ‌େସମାନଙ୍କୁ ଖାଇବାକୁ ମିଳୁଥିବା ଅବଢାକୁ ନେଇ ମଧ୍ୟ ଆପତ୍ତି ଉଠିଛି। ଗୋଟା କାଙ୍କଡ଼ ଓ ପୋଟଳ ପକାଇ ଅବଢା ଦିଆଯାଉଛି। ଅପରାହ୍ନରେ ୩ଟାରେ ଦିଆଯିବାକୁ ଅବଢା ସନ୍ଧ୍ୟା ୬ଟା ବେଳକୁ ଦିଆଯାଉଛି। ଏତେ ସବୁ ସମସ୍ୟାକୁ ନେଇ ରୁନ୍ଧି ହୋଇ ପଡିଥିବା ବୃଦ୍ଧା ମା’ମାନଙ୍କ ଶୟନ ସ୍ଥାନ‌େର କ୍ଲୋଜ୍ ସର୍କିଟ୍‌ କ୍ୟାମେରା (ସିସିଟିଭି କ୍ୟାମେରା) ଲଗାଇବାକୁ ନେଇ ଏବେ ଅସନ୍ତୋଷ ଦାନା ବାନ୍ଧିଛି। ପ୍ରଶାସନର ଏଭଳି ଗୁରୁଚାଣ୍ଡାଳ ଭୁଲ ପାଇଁ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସୁରକ୍ଷା ବାହାନାରେ ରେଳବାଇ ଯାତ୍ରୀନିବାସ ଓ କଲ୍ୟାଣ ମଣ୍ଡପରେ ଯେଉଁଠି ମ‌ା’ମାନେ ବିଶ୍ରାମ ନେଉଛନ୍ତି, ରାତିରେ ‌ଶୋଉଛନ୍ତି, ନିଜର ପୋଷାକ ପରିବର୍ତ୍ତନ କରୁଛନ୍ତି ସେ ସବୁ ସ୍ଥାନ ସିସିଟିଭି ନଜରରେ ରଖିବା ଅଶୋଭନୀୟ ବୋଲି ମତପ୍ରକାଶ ପାଇଛି।

ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଳବାଇ ଯାତ୍ରୀ ବିଶ୍ରାମଗାର ସମେତ ତିନୋଟି ହବିଷ୍ୟାଳି ଆଶ୍ରୟ କେନ୍ଦ୍ରରେ ୩୯ଟି ସିସିଟିଭି କ୍ୟ‌ାମେରା ଲଗାଯାଇଛି। ରାତିରେ ମା’ମାନେ ଶୋଉଥିବା ସ୍ଥାନରେ ସିସିଟିଭି ଲଗାଇବା ଘଟଣାକୁ ପୁରୀର ବୁଦ୍ଧିଜୀବୀ ଓ ସଚେତନ ନାଗରିକ ନିନ୍ଦା କରିଛନ୍ତି। ତେବେ ଏ ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସଙ୍କ ବିତଣ୍ଡା ଯୁକ୍ତି ସମସ୍ତଙ୍କୁ ଚକିତ କରିଛି। ହବିଷ୍ୟ‌ାଳିଙ୍କ ବିଶ୍ରାମ ସ୍ଥାନ ପତିପତ୍ନୀଙ୍କ ବେଡରୁମ୍ ନୁହେଁ ବେ‌ାଲି ଜିଲ୍ଲାପାଳ କହିଛନ୍ତି। ସିସିଟିଭି ଲାଗିଲେ କିଛି ସମସ୍ୟ‌ା ନାହିଁ। ଚୋରି ଓ ହବିଷ୍ୟାଳିଙ୍କ ସୁରକ୍ଷା ପାଇଁ ଗତ ତିନି ବର୍ଷ ହେଲା ଏପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ଖାଲି ସେତିକି ନୁହେଁ, ଏ ନେଇ କିଏ ଅଭି‌ଯୋଗ କରୁଛନ୍ତି ତାଙ୍କୁ ପଠାଇଲେ ସେ ଠିକଣା ଜବାବ ଦେବେ ବୋଲି କହିଛନ୍ତି। ଏ ସଂପର୍କରେ ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକ ବିଜୟ ଜେନାଙ୍କୁ ପଚାରିବ‌ାରୁ ସେ କହିଥିଲେ ଯେ, ହବିଷ୍ୟ‌ାଳି କେନ୍ଦ୍ରରେ ଚୋରି ହେଉଥିବାରୁ ସିସିଟିଭି କ୍ୟାମେରା ଲଗାଯାଇଛି। ପ୍ରତିଦିନ ସିସିଟିଭି ଫୁଟେଜ୍‌ରୁ ଚୋରି ଧରାପଡୁଛି। ଏହା ଦ୍ବାରା ହବିଷ୍ୟାଳିଙ୍କ ଜିନିଷ ସୁରକ୍ଷିତ ରହିପାରିବ।

ସମ୍ବନ୍ଧିତ ଖବର