ନବଜାତକ ମୃତ୍ୟୁକୁ ନେଇ ଉତ୍ତେଜନା : ବିନା ସୂଚନାରେ ପୋତିଦେଲେ

ପାଣି ହାଣ୍ଡିରେ ମୁହଁ ବୁଡ଼ାଇ ଶିଶୁକନ୍ୟା ମୃତ

ବାରିପଦା : ଚିକିତ୍ସାଧୀନ ଏକ ନବଜାତ ଶିଶୁକନ୍ୟାର ମୃତ୍ୟୁ! ଏହି ମୃତ୍ୟୁ ସମ୍ପର୍କରେ ପରିବାର ଲୋକଙ୍କୁ ନଜଣାଇ ଡାକ୍ତରଖାନା କର୍ତ୍ତୃପକ୍ଷ ନବଜାତକକୁ ପୋତିଦେଲେ। ଏହାକୁ ନେଇ ଆଜି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ (ପିଆର୍‌ଏମ୍‌) ସରକାରୀ ମେଡିକାଲ କଲେଜ ଓ ହସ୍‌ପିଟାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ ଜିଲ୍ଲାର କୁଳିଅଣା ବ୍ଲକ ଅନ୍ତର୍ଗତ ପାରୁଳିଆ ପଞ୍ଚାୟତର ଆଟ୍ଟଶିଳୀ ଗ୍ରାମର ଦୀପକ କୁମାର ରାଉତଙ୍କ ପତ୍ନୀଙ୍କୁ ଗତ ବୁଧବାର ଦିନ ପିଆର୍‌ଏମ୍‌ ମେଡିକାଲ କଲେଜରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ମାତ୍ର ନବଜାତ ଶିଶୁ କନ୍ୟା କ୍ଷୀର ଖାଉ ନ ଥିବାରୁ ତାଙ୍କୁ ଏସଏନସିୟୁରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ଶିଶୁକନ୍ୟାକୁ ଚିକିତ୍ସା କରୁଥିବା ଡାକ୍ତର ଭୟ କରିବାର କୌଣସି କାରଣ ନଥିବା କହି ପିତା ଦୀପକ କୁମାର ରାଉତଙ୍କ ନିକଟରୁ ମୋବାଇଲ ନମ୍ବର ରଖିଥିଲେ। ଆବଶ୍ୟକ ହେଲେ ଫୋନ ଜରିଆରେ ଯୋଗାଯୋଗ କରିବାକୁ ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତର କହିଥିଲେ।

ମାତ୍ର ଆଜି ଦୀପକ କୁମାର ରାଉତ ଓ ତାଙ୍କର ପରିବାରର ସଦସ୍ୟମାନେ ହସ୍‌ପିଟାଲ ଆସିବା ପରେ ଚିକିତ୍ସଧୀନ ଶିଶୁର ମୃତ୍ୟୁ ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଏହାସହିତ ଝିଅର ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବା ପରିବର୍ତ୍ତେ ପୋତି ଦିଆଯାଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି।

ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ତେବେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି କର୍ତ୍ତୃପକ୍ଷ। ସକାଳ ସାଢ଼େ ୮ଟାରେ ଶିଶୁକୁ ମୃତ ଘୋଷଣା କରାଯାଇଥିଲା। ପରିବାରବର୍ଗ ମୃତ ଶିଶୁକୁ ଗ୍ରହଣ କରିଥିବା କାଗଜ ରହିଛି। ତେବେ କିପରି ପରିବାର ଲୋକଙ୍କ ବିନା ସୂଚନାରେ ମୃତ ଶିଶୁକୁ ପୋତି ଦିଆଗଲା ତାହା ଜଣାନାହିଁ ବୋଲି ମେଡିକାଲ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।

ପାଣି ହାଣ୍ଡିରେ ମୁହଁ ବୁଡ଼ାଇ ଶିଶୁକନ୍ୟା ମୃତ

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ରାଣୀପଦର ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ପାଣି ହାଣ୍ଡିରେ ମୁହଁ ବୁଡ଼ାଇବା ଦ୍ବାରା ଶ୍ବାସରୁଦ୍ଧ ହୋଇ ଗ୍ରାମର ଜଣେ ଦେଢ଼ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଶିଶୁର ମୃତ୍ୟୁ ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ, ରାଣୀପଦର ଗ୍ରାମର ଲଖିରାମ ଗଣ୍ଡଙ୍କ ପତ୍ନୀ ଗତକାଲି ରାତି ପ୍ରାୟ ୧୦ଟାରେ ନିଜ ଘରେ ରୋଷେଇ କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ଲଖିରାମଙ୍କ ଦେଢବର୍ଷର ଝିଅ ନନ୍ଦିନୀ ଘର ଭିତରେ ଖେଳୁଥିଲେ। ତେବେ ଦୀର୍ଘ ସମୟ ଧରି ନନ୍ଦିନୀର ଦେଖା ନମିଳିବାରୁ ମା’ ବ୍ୟସ୍ତ ହୋଇ ଖୋଜାଖୋଜି କରିଥିଲେ। ରୋଷେଇ ପାଇଁ ହାଣ୍ଡିରେ ରଖାଯାଇଥିବା ପାଣିରେ ଝିଅ ମୁହଁ ବୁଡ଼ାଇ ପାଣି ପିଇବାକୁ ଉଦ୍ୟମ କରୁଥିବା ଦେଖିବାକୁ ପାଇଥିଲେ। ଝିଅର ନାକ, କାନ ଓ ପାଟି ପାଣିରେ ବୁଡ଼ି ଯାଇଥିବାରୁ ସେ ଶ୍ବାସରୁଦ୍ଧ ହୋଇଯାଇଥିବା ଦେଖି ଶୀଘ୍ର ଝିଅର ମୁହଁକୁ ପାଣି ହାଣ୍ଡି ଭିତରୁ ବାହାର କରିଥିଲେ। ପରେ ଝିଅର ପେଟକୁ ଚାପି ପାଣି ବାହାର କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଏହି ସମୟ ଭିତରେ ଝିଅଟିର ମୃତ୍ୟୁ ହୋଇଯାଇଥିଲା। ଝିଅକୁ ହରାଇବା ପରେ ଲଖିରାମ ଓ ପତ୍ନୀ ଦୁଃଖରେ ଭାଙ୍ଗି ପଡିଛନ୍ତି। ଖବର ପାଇ ରାଇଘର ପୁଲିସ ଶିଶୁକନ୍ୟାର ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର