ରାସ୍ତା ପାଇଁ ଅର୍ଥ ଚିନ୍ତା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାକୁ ନେଇ ଏବେ ଚିନ୍ତାରେ ରାଜ୍ୟ ସରକାର। ଏହି ଯୋଜନାରେ ପ୍ରତି ବର୍ଷ ଗୁଡ଼ାଏ ପ୍ରକଳ୍ପ ହାତକୁ ନିଆଯାଉଛି। କିନ୍ତୁ ଆବଶ୍ୟକ ଅର୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ପାଖରେ ନାହିଁ। ପୁରୁଣା ପ୍ରକଳ୍ପ ସରିପାରୁନି କି ନୂଆ ପ୍ରକଳ୍ପ ଆରମ୍ଭ ହୋଇପାରୁନି। ୨୦୧୭-୧୮ ଆର୍ଥିକ ବର୍ଷରେ ୩୨୦ ପ୍ରକଳ୍ପର ଡିପିଆର୍‌ ପ୍ରସ୍ତୁତ ହୋଇଥିଲେ ବି ପ୍ରକ୍ରିୟା ଆଗେଇ ପାରୁନି। ପୂର୍ବ ଦୁଇ ବର୍ଷର ମଧ୍ୟ ସମାନ ଅବସ୍ଥା।

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାଜ୍ୟର ବିଭିନ୍ନ ଗ୍ରାମରେ ରାସ୍ତା କାମ ଚାଲିଛି। କିନ୍ତୁ ଏହି ଯୋଜନାରେ କିଛି ନିର୍ଦ୍ଦିଷ୍ଟ ନିୟମାବଳୀ ପାଇଁ ସମସ୍ତ ଜନବସତିକୁ ରାସ୍ତା ସଂଯୋଗ ସମ୍ଭବ ହୋଇପାରି ନ ଥିଲା। ଫଳରେ ଏହି ଯୋଜନାରୁ ବାଦ୍‌ ପଡ଼ିଥିବା ଅଞ୍ଚଳ ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ ଘୋଷଣା କଲେ। ଏଥିରେ ୧୦ ବର୍ଷରେ ୧୦ ହଜାର କିଲୋମିଟର ରାସ୍ତା ନିର୍ମାଣ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରୁ ବାଦ୍‌ ପଡ଼ିଥିବା ୩୪୮୬ ଜନବସତିକୁ ରାସ୍ତା ସଂଯୋଗ କରାଯିବ।

୨୦୧୫-୧୬ରେ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ ବିଧିବଦ୍ଧ ଭାବେ ଆରମ୍ଭ ହେଲା। ସେହି ବର୍ଷ ଏହି ଯୋଜନାରେ ୪୧୭ଟି ପ୍ରକଳ୍ପ ମଞ୍ଜୁରୀ ହୋଇଥିଲା। ତାହା ମଧ୍ୟରୁ ୪୧୬ଟି ପ୍ରକଳ୍ପ କାମ ହାତକୁ ନିଆଗଲା। ଏଥି ପାଇଁ ବ୍ୟୟ ଅଟକଳ କରାଯାଇଥିଲା ୮୩୮.୫୪ କୋଟି ଟଙ୍କା। ୨୦୧୬-୧୭ରେ ଆଉ ୧୩୮ଟି ପ୍ରକଳ୍ପ ମଞ୍ଜୁରୀ ହୋଇଥିଲା। ତାହା ମଧ୍ୟରୁ ୧୩୫ଟି ପ୍ରକଳ୍ପର କାମ ହାତକୁ ନିଆଗଲା। ଏହାର ଅଟକଳ ମୂଲ୍ୟ ଥିଲା ୩୦୧.୦୩ କୋଟି ଟଙ୍କା।

୨୦୧୫-୧୬ରେ ନିଆଯାଇଥିବା ପ୍ରକଳ୍ପ ପାଇଁ ୨୦୧୭ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୫୨୭.୬୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୬-୧୭ ପାଇଁ ମଞ୍ଜୁର ହୋଇଥିବା ପ୍ରକଳ୍ପ ମଧ୍ୟରୁ ଗୋଟିଏ ବି କାମ ସେହି ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହୋଇପାରି ନ ଥିଲା। ଅର୍ଥାତ ୨୦୧୬-୧୭ ଆର୍ଥିକ ବର୍ଷରେ ବ୍ୟୟବରାଦ ହୋଇଥିବା ୩୦୧.୦୩ କୋଟି ଟଙ୍କା ମଧ୍ୟରୁ ନୂଆ ପ୍ରକଳ୍ପ ପାଇଁ ଗୋଟିଏ ଟଙ୍କା ବି ଖର୍ଚ୍ଚ ହୋଇ ନାହିଁ।

ତେଣୁ ୨୦୧୫-୧୬ ଓ ୨୦୧୬-୧୭ ଆର୍ଥିକ ବର୍ଷରେ ହାତକୁ ନିଆଯାଇଥିବା ପୁରୁଣା ପ୍ରକଳ୍ପଗୁଡ଼ିକ ଶେଷ କରିବା ପାଇଁ ୨୦୧୭-୧୮ ଆର୍ଥିକ ବର୍ଷରେ ମୋଟ୍‌ ୬୧୧.୯୦ କୋଟି ଟଙ୍କାର ଆବଶ୍ୟକତା ରହିଥିଲା। ୨୦୧୭-୧୮ରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ବଜେଟ୍‌ରେ ୩୭୫ କୋଟି ଟଙ୍କାର ବରାଦ କରାଯାଇଥିଲା। ଏହି ଅର୍ଥ ମଧ୍ୟରୁ କାମର ମନ୍ଥରତା ପାଇଁ ୩୫ କୋଟି ଟଙ୍କା ଆର୍‌ଆଇଡିଏଫ୍‌ ପ୍ରକଳ୍ପକୁ ଚାଲିଯାଇଛି। ତେଣୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ଏ ବର୍ଷ ୩୪୦ କୋଟି ଟଙ୍କା ରହିଛି। ଏହା ମଧ୍ୟରୁ ୨୦୧୭ ଡିସେମ୍ବର ସୁଦ୍ଧା ୧୫୨.୩୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଯାହା କି ବଜେଟ୍‌ର ୪୪.୮୧ ପ୍ରତିଶତ। ତେବେ ପୁରୁଣା ଦୁଇ ବର୍ଷର ପ୍ରକଳ୍ପଗୁଡ଼ିକୁ ଶେଷ କରିବା ପାଇଁ ଆବଶ୍ୟକ ଅର୍ଥ ଚଳିତ ବର୍ଷ ବଜେଟ୍‌ରେ ଯଥେଷ୍ଟ ନୁହେଁ।

ପୁରୁଣା ପ୍ରକଳ୍ପ ସରୁ ନ ଥିଲେ ବି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅଧିକ ପ୍ରକଳ୍ପ ହାତକୁ ନେବା ପାଇଁ ସରକାର ଆଦୌ ହେଳା କରୁ ନାହାନ୍ତି। ଚଳିତ ବର୍ଷ ଏହି ପ୍ରକଳ୍ପ ପାଇଁ ଆନ୍ତର୍ଜାତିକ ସଂସ୍ଥା ବ୍ରିକ୍‌ସ୍‌ ନିଉ ଡେଭଲପ୍‌ମେଣ୍ଟ୍‌ ବ୍ୟାଙ୍କରୁ ଋଣ ଆଣିବାକୁ ସ୍ଥିର କରାଯାଇଥିଲା। ଋଣକୁ ନଜରରେ ରଖି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩୨୦ଟି ପ୍ରକଳ୍ପ ଚିହ୍ନଟ କରାଯାଇ ଡିପିଆର୍‌ ପ୍ରସ୍ତୁତ ହୋଇଥିଲା। ଏହାର ବ୍ୟୟ ଅଟକଳ କରାଯାଇଥିଲା ୬୯୭.୬୨ କୋଟି ଟଙ୍କା। ଏହା ଦ୍ୱାରା ୩୭୫ଟି ଜନବସତିକୁ ରାସ୍ତା ସଂଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି। ବ୍ୟାଙ୍କରୁ ଋଣ ଆଣିବାକୁ ଥିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ପ୍ରସ୍ତାବ ଅର୍ଥ ବିଭାଗକୁ ଦିଆଯାଇଛି।

କିନ୍ତୁ ମିଳିଥିବା ସୂଚନା ଅନୁଯାୟୀ ବ୍ରିକ୍‌ସ୍‌ ବ୍ୟାଙ୍କ ଋଣ ଦେବା ନେଇ ଆଗ୍ରହ ପ୍ରକାଶ କରୁ ନାହିଁ। ଏଠାରୁ ଋଣ ମିଳିବାର ସମ୍ଭାବନା କମ୍‌। ଏହା ଜଣାପଡ଼ିବା ପରେ ଏବେ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାଜ୍ୟ ସରକାରଙ୍କର ଏକ ବହୁଳ ପ୍ରଚାରିତ ଯୋଜନା ଯୋଜନା ହୋଇଥିବାରୁ ଏଥିରେ କାମ ନ ହେଲେ ସରକାର ଅଡ଼ୁଆରେ ପଡ଼ିଯିବାର ସମ୍ଭାବନା ରହିଛି। ଚଳିତ ବର୍ଷ ଡିପିଆର୍‌ ପ୍ରସ୍ତୁତ ହୋଇଥିବା ୩୨୦ ପ୍ରକଳ୍ପକୁ କିପରି ଆରମ୍ଭ ହେବ, ସେ ନେଇ ସରକାର ବାଟ ପାଉ ନାହାନ୍ତି।

ଏ ନେଇ ଗ୍ରାମ୍ୟ ଉନ୍ନୟନ ସଚିବ ବିଷ୍ଣୁପଦ ସେଠୀଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ବ୍ୟାଙ୍କରୁ ଆଉ ଋଣ କରାଯିବ ନାହିଁ। ନିଜସ୍ୱ ଯୋଜନାରୁ ଅର୍ଥ ଖର୍ଚ୍ଚ ହେବ। ଏହି ଯୋଜନାରେ ଅର୍ଥ ପାଇଁ କୌଣସି ପ୍ରକଳ୍ପ ଅଟକିନି। ଅନ୍ୟାନ୍ୟ ଆନୁଷଙ୍ଗିକ ସମସ୍ୟା ଯୋଗୁଁ ପ୍ରକଳ୍ପ ବିଳମ୍ବ ହୋଇଛି।

ସମ୍ବନ୍ଧିତ ଖବର