ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଉତ୍ତେଜନା : ପାଇକ ଆଖଡ଼ାର ୮ ଖଣ୍ଡା ଜବତ

1 42

ସମ୍ବଲପୁର : ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଏଥର ପୁଣି ସୃଷ୍ଟି ହୋଇଛି ଉତ୍ତେଜନା। ଜିଲ୍ଲାପାଳଙ୍କ ପ୍ରୟାସକ୍ରମେ ଖୋର୍ଦ୍ଧାରୁ ଆସିଥିବା ପାଇକ ଆଖଡ଼ା ଦଳର ୮ଟି ଖଣ୍ଡା ପୁଲିସ ଜବତ କରିବା ଘଟଣାକୁ ହନୁମାନ ଜୟନ୍ତୀ ସମନ୍ଵୟ ସମିତିି ଦୃଢ଼ ପ୍ରତିବାଦ କରିଛି। ଟାଉନ ଥାନା ସମ୍ମୁଖକୁ ଶୋଭାଯାତ୍ରାକୁ ନେଇ ସମନ୍ଵୟ ସମିତି ଧାରଣା ଦେଇଥିବା ବେଳେ ଏସ୍‌ପିଙ୍କ ସହିତ ଠେଲାପେଲା ହୋଇଛି।

ଚଳିତ ବର୍ଷ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଶାନ୍ତିପୂର୍ଣ୍ଣ ହେବ ବୋଲି ଆଶା କରାଯାଉଥିଲା। ଶୋଭାଯାତ୍ରା ବେଳେ ପ୍ରତିବର୍ଷ ଖଣ୍ଡା ବୁଲାଉଥିବା ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ମିଶ୍ର ବନାବିରା ହତ୍ୟାକାଣ୍ଡ ମାମଲାରେ ଜେଲ୍‌ରେ ଥିବାରୁ ଏଭଳି ଚର୍ଚା ଜୋର ଧରିଥିଲା। ହନୁମାନ ଜୟନ୍ତୀ ସମନ୍ଵୟ ସମିତି ଏଥର ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ନକରିବା ପାଇଁ ରାଜି ହୋଇଥିବା ଏସ୍‌ପି ଗଣମାଧ୍ୟମକୁ କହିଥିଲେ। ତେବେ ଯଦି ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଏ, ତାହେଲେ ଜବତ କରାଯିବ ବୋଲି ମଧ୍ୟ ସୂଚନା ଦେଇଥିଲେ। ଫ୍ଲାଇଓଭର ନିର୍ମାଣ ଯୋଗୁଁ ଏଥର ହନୁମାନ ଜୟନ୍ତୀ ଶୋଭାଯାତ୍ରାର ରାସ୍ତା ପରିର୍ବତନ କରାଯାଇଥିଲା। ଜିଲ୍ଲା ସ୍କୁଲ ଛକରୁ ମୁଖ୍ୟ ଶୋଭାଯାତ୍ରା ବାହାର କରାଯିବା ପରିବର୍ତ୍ତେ ବାଲିବନ୍ଧାରୁ ବାହାର କରାଯାଇ ଜିଲ୍ଲା ସ୍କୁଲ ଛକରେ ଶେଷ କରାଯାଇଥିଲା।

ସନ୍ଧ୍ୟା ସାଢ଼େ ୬ଟା ବାଲିବନ୍ଧାରେ ପାରିପଂରିକ ପୂଜାର୍ଚନା ପରେ ଶୋଭାଯାତ୍ରା ଆରମ୍ଭ ହେବାକୁ ଯାଉଥିଲା। ହେଲେ ଅଚାନକ ଏସ୍‌ପି ସଂଜୀବ ଅରୋରା ସଦଳବେଳେ ସେଠାରେ ପହଂଚି ଖୋର୍ଦ୍ଧା ରତନପୁରରୁ ଆସିଥିବା ପାଇକ ଆଖଡ଼ା ଦଳର ସଭ୍ୟମାନଙ୍କଠାରୁ ୮ଟି ଖଣ୍ଡା ଛଡ଼ାଇ ନେଇଥିଲେ। ଆଖଡ଼ା ଦଳରେ ଥିଲେ ରତନପୁର ଅଂଚଳର ୨ଜଣ ଡିପ୍ଲୋମା ଇଂଜିୟନିରିଂ ଛାତ୍ର, ଜଣେ ଯୁକ୍ତ ତିନି ଛାତ୍ରୀଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ୧୨ ଜଣ ଛାତ୍ରଛାତ୍ରୀ। ଆଖଡ଼ା ଦେଖାଇବା ପାଇଁ ଆଣିଥିବା ଧାର ନଥିବା ଖଣ୍ଡା ଛଡ଼ାଇ ନେବା ଘଟଣାକୁ ନେଇ ହନୁମାନ ଜୟନ୍ତୀ ସମନ୍ଵୟ ସମିତି ଅସନ୍ତୋଷ ବ୍ୟକ୍ତ କରିଥିଲା। ଫଳରେ ଶୋଭାଯାତ୍ରା ବାହାରିକୁ ବିଳମ୍ବ ଘଟିଥିଲା। ବାଲିବନ୍ଧାରୁ ବାହାରିଥିବା ଶୋଭାଯାତ୍ରା କୁଂଜେଲପଡ଼ା, ଲକ୍ଷ୍ମୀଟକିଜ ଛକରେ ପହଂଚିବା ପରେ ଅଚାନକ ଟାଉନ ଥାନା ସମ୍ମୁଖ ନିଆଯାଇଥିଲା। ଥାନା ସମ୍ମୁଖରେ ଶୋଭାଯାତ୍ରାକୁ ଅଟକାଇ ଖଣ୍ଡା ଫେରାଇ ଦେବାକୁ ପୁଲିସ ପ୍ରଶାସ ନିକଟରେ ଦାବି କରାଯାଇଥିଲା। ଯଦି ଖଣ୍ଡା ଫେରାନଯାଉଛି, ତାହେଲେ ତାହା ଜବତ କରାଯାଇଥିବା ନେଇ ବିଧିବଦ୍ଧ ଭାବେ ଘୋଷଣା କରିବାକୁ କୁହାଯାଇଥିଲା।

ସମ୍ବନୟ ସମିିିତିର ସଭ୍ୟ ଓ ଶ୍ରଦ୍ଧାଳୁମାନେ ଥାନା ସମ୍ମୁଖ ରାସ୍ତା ଉପରେ ବସି ଧାରଣା ଦେଇଥିଲେ। ତେବେ ଏହି ପ୍ରସଂଗକୁ ନେଇ କଥା କଟାକଟି ହୋଇଥିଲା। ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ଆଖଡ଼ା ଦଳରୁ କାହିଁକି ଖଣ୍ଡା ଛଡ଼ାଇ ନିଆଗଲା ବୋଲି ସମନ୍ଵୟ ସମିତିର ସଭ୍ୟମାନେ ପ୍ରଶ୍ନ କରିଥିଲେ। ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ସେଠାରେ ପହଂଚି ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ତେବେ ଏସ୍‌ପିଙ୍କ ଜଣେ ପିଏସ୍‌ଓ ହାତ ସମନ୍ଵୟ ସମିତିର ଉପସଭାପତି ମୁକେଶ ଜରିଓ୍ଵାଲଙ୍କୁ ଠେଲି ଦେବାକୁ ଉତ୍ତେଜନା ପ୍ରକାଶ ପାଇଥିଲା। ମୁକେଶ ଓ ଏସ୍‌ପି ଅରୋରାଙ୍କ ମଧ୍ୟରେ ଠେଲାପେଲା ହୋଇଥିବା ଦେଖିବାକୁ ମିଳିଥିଲା। ପାଖାପାଖି ଅଧଘଣ୍ଟା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବା ପରେ ଏସ୍‌ପି ଶ୍ରୀ ଅରୋରା ଖଣ୍ଡା ଜବତ କରାଯାଇଥିବା ନେଇ ଘୋଷଣା କରିବା ପରେ ଶୋଭାଯାତ୍ରା ପୁଣି ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. Gobind Narayan Agrawal says

    How state sponsored team brought objectionable materials?
    If not than how?
    This give scope of criticism?