ଦୁଷ୍କର୍ମକୁ ନେଇ ତୁମୁଳକାଣ୍ଡ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଠାକୁରମୁଣ୍ଡା ଅଞ୍ଚଳର ଜଣେ ନାବାଳିକାଙ୍କୁ ରାତି ସାରା ଦୁଷ୍କର୍ମ ପରେ ଜଣେ ଦୁର୍ବୃତ୍ତ ରାସ୍ତାକଡ଼ରେ ଫିଙ୍ଗିଦେଇଥିଲା। ଆଜି ତାଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ଆଜି ଠାକୁରମୁଣ୍ଡା ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକଙ୍କ ଢେଲା ପଥର ମାଡ଼ରେ ଠାକୁରମୁଣ୍ଡା ଥାନାର ଝରକା କାଚ, କମ୍ପ୍ୟୁଟର ସହ ଏକ ବାଇକ ଭାଙ୍ଗି ଯାଇଛି। ଏଥସହିତ ଲୋକେ ପୁଲିସ ଗାଡ଼ିକୁ ଭାଙ୍ଗିରୁଜି ନିଆଁ ଲଗାଇବାକୁ ଉଦ୍ୟମ କରିବା ସହିତ ଦୀର୍ଘ ସମୟ ଧରି ରାସ୍ତାରୋକ କରିବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ଘଟଣାରୁ ପ୍ରକାଶ, ସଞ୍ଜୀବ କୁମାର ସେଠୀ ନାମକ ଯୁବକ ଗତକାଲି ଗୋଟିଏ ଅଟୋ ଯୋଗେ ସଂପୃକ୍ତ ନାବାଳିକା ଓ ତାଙ୍କ ସାନଭାଇଙ୍କୁ ଠାକୁରମୁଣ୍ଡାକୁ ଆଣିଥିଲେ। ରାତିରେ ଏକ ବିବାହ ଭୋଜିରେ ଖାଇବା ପରେ ସେମାନେ ଯାତ୍ରା ଦେଖିବାକୁ ଯାଇଥିଲେ। ତେବେ ରାତି ପ୍ରାୟ ୨ଟା ପରେ ସଞ୍ଜୀବ ନାବାଳିକାକୁ ଯାତ୍ରାରୁ ଆଣି ନିଶାସକ୍ତ କରାଇ ଦୁଷ୍କର୍ମ କରିଥିଲା।

ତେବେ ନାବାଳିକା ଜଣକ ଗୁୁରୁତର ହୋଇଯିବାରୁ ତା’କୁ ରାସ୍ତାକଡ଼ରେ ଫିଙ୍ଗି ଦେଇ ଫେରାର ଯାଇଥିଲା। ଆଜି ସକାଳେ ନାବାଳିକାକୁ ବଜାର ନିକଟ ରାସ୍ତା କଡ଼ରେ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ଏହି ଘଟଣା ପ୍ରଚାର ହୋଇଯିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ କରଞ୍ଜିଆ-ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ମେଡିକାଲ ଛକ ନିକଟରେ ସକାଳ ୭ଟା ସମୟରୁ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଦିନ ପ୍ରାୟ ୧୧ଟା ବେଳକୁ ଶହ ଶହ ଉତ୍ତ୍ୟକ୍ତ ଲୋକ ଥାନା ଭିତରକୁ ପଶି ଆସିଥିଲେ ଏବଂ ଗିରଫ ଯୁବକକୁ ବାହାରକୁ ଆଣି ଦେଖାଇବାକୁ ଦାବି କରି ହୋ ହଲ୍ଲା କରିଥିଲେ । ତେବେ ଲୋକେ ଗଣ୍ଡଗୋଳ କରିବାରୁ ପୁଲିସ ସେମାନଙ୍କୁ ଥାନା ଭିତରୁ ବାହାର କରି ଗେଟ ବନ୍ଦ କରି ଦେଇଥିଲା। ଏଥିରେ ଲୋକେ ଅଧିକ ଉତ୍ତ୍ୟକ୍ତ ଲୋକେ ଥାନା ଉପରକୁ ଅଧାଘଣ୍ଟା ଧରି ପଥର ମାଡ଼ କରିଥିଲେ । ପଥର ମାଡ଼ରେ ଥାନାର କାଚ ଝରକା,କମ୍ପ୍ୟୁଟର, ଲାଇଟ୍‌ ଓ ଏକ ବାଇକ ଭାଙ୍ଗିରୁଜି ଯାଇଥିଲା। ପଥର ମାଡ଼ ସମୟରେ ଥାନା ଭିତରେ ଉପଜିଲ୍ଲାପାଳ ଶରତ କୁମାର ପୁରୋହିତ, ତହସିଲଦାର ଦିନମଣି ନାଏକ,ଏସଡିପିଓ କେ.ଆର. ପଟ୍ଟନାୟକ, ଗଣମାଧ୍ୟମର ପ୍ରତିନିଧିମାନେ ରହିଥିଲେ ମଧ୍ୟ ଲୋକେ କାହାକୁ ପରବାୟ କରି ନ ଥିଲେ।

ପୁଲିସ ଏଭଳି ଢେଲାମାଡ଼ କରୁୁଥିବା ଲୋକଙ୍କୁ କୌଣସି ପ୍ରକାରେ ଘଉଡ଼ାଇ ଦେବାରୁ ସେମାନେ ବଜାରର ହନୁମାନ ଛକ ନିକଟରେ ଛିଡ଼ା ହୋଇଥିବା ମହୁଲଡିହା ଥାନାର ଏକ ଟାଟା ସୁମୋ ଗାଡ଼ି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ । ପୁଲିସ ସେଠାରେ ପହଞ୍ଚି ସେଥିରୁ ସେମାନଙ୍କୁ ନିବୃତ୍ତ କରିବାରୁ ଲୋକେ ପୁନର୍ବାର ପୁଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ। ଫଳରେ ବାଧ୍ୟହୋଇ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଏହାର କିଛି ସମୟ ପରେ ପୁଣିଥରେ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଅଭିଯୁକ୍ତ ଗିିରଫ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧିତ ଖବର