ବିକାଶଠୁ ବହୁ ଦୂରରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ବଞ୍ଜାରୀ ପଞ୍ଚାୟତର ତେତ୍‌ଲିଆବାହାଲ, ଏବେ ବି ସଞ୍ଜ ହେଲେ ଜଳୁଛି ଡିବିରି

ବ୍ରଜରାଜନଗର, (ଉପନ ସାହୁ): ଦେଶ ବିକାଶର ଉଚ୍ଚତମ ଚରମ ସୀମାରେ ପହଞ୍ଚିଥିବା କୁହାଯାଉଛି। ଲୋକେ ୪ଜି ଇଣ୍ଟରନେଟ୍‌ ମାଧ୍ୟମରେ ବିଶ୍ବର କୌଣସି କୋଣରେ କ’ଣ ଘଟୁଛି ତାହା ଆଙ୍ଗୁଠି ଛୁଇଁଦେଲେ ଜାଣି ପାରୁଛନ୍ତି। ଏପରି ଏକ ସମୟରେ ଆମ ଦେଶରେ ଏମିତି ଅଞ୍ଚଳ ଏବେ ବି ଅଛି ଯେଉଁଠିକି ବିଦ୍ୟୁତ, ରାସ୍ତା, ବିଦ୍ୟାଳୟ, ପକ୍କାଘର ଆଦି ସ୍ବପ୍ନ ପାଲଟିଛି। ସମସ୍ତ ସରକାରୀ ଯୋଜନା ସେମାନଙ୍କ ପାଇଁ ଅପହଞ୍ଚ। ଏପରି ସରକାରୀ ସୁବିଧାରୁ ବଞ୍ଚିତ  ଥିବା ଗ୍ରାମ ହେଉଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ବଞ୍ଜାରୀ ପଞ୍ଚାୟତର ତେତଲିଆବାହାଲ। ବେଲପାହାଡ଼ ପୌର ପରିଷଦରୁ ପ୍ରାୟ ୮ କିମି ଦୂର ଏବଂ ଲଖନପୁର ବ୍ଲକରୁ ପ୍ରାୟ ୯ କିମି ଦୂରରେ ଏହି ଗ୍ରାମ ଅବସ୍ଥିତ। ଏଠାରେ ରହିଛନ୍ତି  ୨୨ ଗୋଟି ପରିବାର। ଗ୍ରାମର ଜନସଂଖ୍ୟା ହେଉଛି ପ୍ରାୟ ୧୫୦। ଗ୍ରାମକୁ ଚାରି ଦିଗରେ ଘେରି ରହିଛି ଘଞ୍ଚ ଜଙ୍ଗଲ। ଗ୍ରାମରେ ବିଦ୍ୟାଳୟ କି ଆଙ୍ଗନୱାଡି କେନ୍ଦ୍ରଟିଏ ମଧ୍ୟ ନାହିଁ। ପିଲାମାନେ ଦୈନିକ ପାଖାପାଖି ୪ କିଲୋମିଟର ଦୂର ଗ୍ରିନ୍‌ଡୋଲାକୁ ପାଠ ପଢ଼ିବାକୁ ଯାଆନ୍ତି। ଗାଁକୁ ଆଦ‌ୌଁ ବିଦ୍ୟୁତ ସଂଯୋଗ ହୋଇ ନାହିଁ। ରାତିରେ ଡିବିରି ଆଲୁଆ ହିଁ ସେମାନଙ୍କ ଭରସା ପାଲଟିଛି ଗ୍ରାମର ରେମତି ରୋହିଦାସ କହିଛନ୍ତି। ଏହି ଗ୍ରାମର ସମସ୍ତ ପରିବାର ବିପିଏଲ୍ ଅନ୍ତର୍ଭୁକ୍ତ। ବିପିଏଲ୍ ପରିବାରକୁ ବିଦ୍ୟୁତ୍ ଯୋଗାଇବାଠାରୁ ଆରମ୍ଭ କରି ଏକାଧିକ ସୁବିଧା ଦେବାକୁ ରାଜ୍ୟ ଏବଂ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି। ମାତ୍ର ତେତିଲିଆବାହାଲ ଗ୍ରାମବାସୀ ଦୀର୍ଘ ବର୍ଷ ହେବ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାରୁ ମୁକୁଳି ପାରି ନାହାନ୍ତି।

ଗାଁରେ ସରକାରୀ ସୁବିଧା କହିଲେ ମିଳିଛି କେବଳ ୨ଟି ନଳକୂପ। ଏହି ନଳକୂପ ଖରାଦିନେ ସୁଖି ଯାଉଥିବାରୁ ଲୋକେ ଗାଁଠାର ୨ କିଲୋମିଟର ଦୂର ବିକ୍ରମ ଖୋଲ ନାଳ ଉଭରେ ନିର୍ଭର କରନ୍ତି। କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୯ ଜଣଙ୍କୁ ଘର ମିଳିଥିବା କୁହାଯାଉଛି। ଏଠାକାର ଲୋକେ ସ୍ୱାସ୍ଥ୍ୟସେବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ଉପରେ ନିର୍ଭର କରନ୍ତି। ଗ୍ରାମକୁ ଯିବା ଆସିବା କରିବା ପାଇଁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲେନ୍‌ସ ଆସି ପାରେ ନାହିଁ। ଫଳରେ ରୋଗୀକୁ ଖଟିଆରେ ବୋହି ଚିକିତ୍ସାଳୟ ନେବାକୁ ହୋଇଥାଏ। ଏହି ଖରାପ ରାସ୍ତାରେ ଗ୍ରାମବାସୀ ସାତ କିଲୋମିଟର ବଣପାହାଡ଼ ରାସ୍ତାରେ ବଞ୍ଜାରୀକୁ ଯାଇ ମାସକୁ ମାସ ଭତ୍ତା, ଚାଉଳ ଆଣନ୍ତି। ଗ୍ରାମର ଅଧିକାଂଶ ଲୋକ ନିରକ୍ଷର। ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଏହି ଗ୍ରାମକୁ ନିର୍ବାଚନ ସମୟରେ ନେତାମାନେ ଆସି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥାନ୍ତି, କିନ୍ତୁ ନିର୍ବାଚନ ପରେ ସବୁ ଭୁଲିଯାଇଥାନ୍ତି ବୋଲି କୁହନ୍ତି ଗ୍ରାମର ତରଣୀ ଭୁଏ। ବହୁବର୍ଷ  ଧରି ସେମାନେ  ବିକାଶକୁ ଅନେଇ ବସିଛନ୍ତି,  ହେଲେ  ବିକାଶ  ତ ଦୂରର କଥା, ସମବେଦନା ଜଣେଇବାକୁ ମଧ୍ୟ କେହି ଆସନ୍ତି ନାହିଁ ବୋଲି ଗ୍ରାମବାସୀମାନେ ମତ ଦେଇଛନ୍ତି।

ତେତିଲିଆବାହାଲ ଗ୍ରାମବାସୀ ହୀରାକୁଦ ନଦୀବନ୍ଧ ପୂର୍ବରୁ ସାଗରପାଲି ଗ୍ରାମରେ ରହୁଥିଲେ। ହୀରାକୁଦ ବନ୍ଧ ନିର୍ମାଣ ଶେଷ ହେବା ପରେ ୧୯୫୭ ମସିହାରେ ଏହି ଗ୍ରାମର କେତେକ ଭୂମିହୀନଙ୍କୁ ପୁଲିସ୍ ଲଗାଇ ତଡ଼ି ଦିଆଯାଇଥିଲା। ପୁଲିସ ଭୟରେ ଏହି ନୀରିହ ଲୋକମାନେ ବିକ୍ରମଖୋଲ ଜଙ୍ଗଲ ଭିତରେ ଏକ ତେନ୍ତୁଳି ଗଛ ତଳେ ଆଶ୍ରୟ ନେଇଥିଲେ। ସେହିଦିନଠାରୁ ଏହି ସ୍ଥାନକୁ ଲୋକେ ତେତଲିଆବାହାଲ କହୁଛନ୍ତି ବୋଲି ନୃପ ରୋହିଦାସ କହିଛନ୍ତି। ହୀରାକୁଦ ବନ୍ଧ ଉଦ୍‌ଘାଟନ ହେବାର ଇତି ମଧ୍ୟରେ ୬୨ ବର୍ଷ ଅତିକ୍ରମ କରିସାରିଛି । କିନ୍ତୁ ଏହି ହୀରାକୁଦ ବିସ୍ଥାପିତ ଲୋକେ ଏବେ ମଧ୍ୟ  ଜଙ୍ଗଲ ଭିତରେ ପଡ଼ି ରହିଛନ୍ତି। ଏବେ ବି ଏଠାକାର ଲୋକେ ସରକାରୀ ସାହାଯ୍ୟ ପାଇଁ ଆଶ ବାନ୍ଧି ବସି ରହିଛନ୍ତି। ହୀରାକୁଦ ନଦୀ ବନ୍ଧ ଯୋଜନାର ବିସ୍ଥାପିତ ଲୋକଙ୍କ ଦୁଃଖ କାହା ପାଖରେ ଅଛପା ନାହିଁ। ନିଜର ଭିଟାମାଟି ହରାଇଥିବା ଏହି ବିସ୍ଥାପିତ ଲୋକେ ଆଜି ପର୍ଯ୍ୟନ୍ତ ତାହାର ଉଚିତ କ୍ଷତିପୂରଣ ମଧ୍ୟ ପାଇ ନାହାନ୍ତି।

ସମ୍ବନ୍ଧିତ ଖବର

Comments are closed.