ରାଜନଗର: ବାତ୍ୟା ଅମ୍ଫାନ୍ ମୁକାବିଲା ପାଇଁ ପ୍ରଶାସନ ୩ ଦିନ ଧରି କମର କଷିଲା। ସମୁଦ୍ର କୂଳିଆ ଓ କଚ୍ଚାଘରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଗଲା। ମାତ୍ର ମରଣ ମୁହଁରେ ୩ ପରିବାରକୁ ଛାଡ଼ି ଦେଲା। ବଙ୍ଗୋପସାଗର ଆଁ ମୁହଁରେ ଦୀର୍ଘ ୨୦ ଘଣ୍ଟା ଧରି ତାଣ୍ତବର ଭୀମକାନ୍ତି ରୂପକୁ ଦେଖିବା ସହ ନିଶ୍ଚିନ୍ତ ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି ୩ ପରିବାରର ୧୫ ସଦସ୍ୟ। ନିଶ୍ଚିନ୍ତ ମୃତ୍ୟୁ ମୁଖରୁ ବଞ୍ଚିଯିବା ପରେ ମା’ ପଞ୍ଚୁବରାହୀଙ୍କୁ ଧନ୍ୟବାଦ ଦେଇଛନ୍ତି ସେମାନେ।
ବଙ୍ଗୋପସାଗର ଆଁ ମୁହଁରେ ରହିଛି ରାଜନଗର ବ୍ଲକର ସାତଭାୟା ଗାଁ। ବାତ୍ୟା ଆସିଲେ ପ୍ରଶାସନର ପ୍ରଥମ ନଜର ସାତଭାୟା ଉପରେ ଥାଏ। ଦୀର୍ଘ ୪୫ ବର୍ଷ ଧରି ଥଇଥାନର ପ୍ରତିଶ୍ରୁତିର ପରେ ୩ ବର୍ଷ ତଳୁ ସାତଭାୟାର ୫୭୧ ପରିବାରକୁ ୧୦ କିମି ଦୂର ବଗପାଟିଆରେ ଥଇଥାନ କରାଯାଇଛି। ପ୍ରଶାସନର ଥଇଥାନ ତାଲିକାରେ ତ୍ରୁଟି ଯୋଗୁଁ କିଛି ପରିବାର ଥଇଥାନ ତାଲିକାରୁ ବାଦ ପଡିଛନ୍ତି। ବାତ୍ୟା ଅମ୍ଫାନ୍ ଆସିବା ପରେ ପ୍ରଶାସନ ସାତଭାୟାର ମଗରକନ୍ଦା ଓ ଅଡାସଲରେ ଥିବା ୮୦ ପରିବାରକୁ ବଗପାଟିଆ ଥଇଥାନ ସ୍ଥଳିକୁ ସ୍ଥାନାନ୍ତର କରାଯାଇଥିଲା। ସାତଭାୟାରେ କୌଣସି ପରିବାର ନ ଥିବା ନେଇ ସରପଂଚ ଓ ନିର୍ବାହୀ ଅଧିକାରୀ ପ୍ରଶାସନକୁ ତଥ୍ୟ ଦେଇଥିଲେ। ସେମାନଙ୍କ ତଥ୍ୟକୁ ଆଧାର କରି ପ୍ରଶାସନ ସାତଭାୟାରେ ଥିବା ୩ ପରିବାରକୁ ମରଣ ମୁହଁରେ ଛାଡି ଦେଇଥିଲା। ଏପରିକି ସାତଭାୟାର ବାଲିସାହିରେ ଥିବା ଜଗବନ୍ଧୁ ବେହେରା, ପ୍ରଭାକର ବେହେରା, ବ୍ରହ୍ମାନନ୍ଦ ଦଳାଇ ପ୍ରଭୃତି ୩ ପରିବାରର ୧୫ ସଦସ୍ୟ ବାତ୍ୟାର ପ୍ରଳୟ ଭିତରେ ସେଠାରେ ପଡ଼ି ରହିଥିଲେ। ବାଉଁଶଗଡ଼ ନଦୀଠାରୁ ୭ କିମି ଦୂର ସାତଭାୟାକୁ ରାସ୍ତା ନ ଥିବାରୁ ଓ ଯିବାକୁ କୌଣସି ସୁବିଧା ନ ଥିବାରୁ କୌଣସି ଅଧିକାରୀ ସାତଭାୟାରେ ପହଞ୍ଚି ପାରିନଥିଲେ। ବାତ୍ୟା ସମୁଦ୍ର ଭିତରେ ଅତି ଭୟଙ୍କର ଭାବେ ଗତି କରିଥିଲା। ସାତଭାୟାର ବାଲିସାହିରେ ପ୍ରାୟ ୨ଶହରୁ ଅଧିକ ବିରାଟ ବିରାଟ ଝାଉଁ ଗଛ ଉପୁଡି ପଡିଛି ଓ ଭାଙ୍ଗି ପଡିଛି। କାଦୁଆନାସୀ ନିକଟରେ ଓ ମା ପଞ୍ଚୁବରାହୀଙ୍କ ପୁରୁଣା ମନ୍ଦିର ନିକଟରେ ସମୁଦ୍ର ଜୁଆର ଗାଁ ଭିତରକୁ ପଶିଥିଲା। ୩ ପରିବାରଙ୍କ ଘର ନିକଟରେ ସମୁଦ୍ର ଜୁଆର ପାଣି ପହଞ୍ଚିଥିଲା। ଘର ପାଖରେ ଗର୍ଜନ କରି ବିରାଟ ବିରାଟ ଝାଉଁ ଗଛ ଉପୁଡ଼ି ପଡ଼ିଥିଲା। ବ୍ରହ୍ମାନନ୍ଦଙ୍କ ଗୋଟିଏ ଘର ମାଟିରେ ଶୋଇ ଯାଇଥିଲା। ଅନ୍ୟ ୩ ପରିବାରର ଚାଳ ଛପର ବି ପବନ ଉଡାଇ ନେଇଥିଲା। ୩ ପରିବାର ଦୀର୍ଘ ୨୦ ଘଣ୍ଟା ଧରି ପବନ ଓ ସମୁଦ୍ରର ଗର୍ଜନ ଭିତରେ ମୃତ୍ୟୁ କଥା ଭାବି ଭାବି ଜୀବନ ବଂଚାଇ ପାରିଛନ୍ତି। ଜଗବନ୍ଧୁଙ୍କ କହିବା କଥା ହେଲା ପ୍ରତି ମୁହୂର୍ତ୍ତରେ ମା ପଞ୍ଚୁବରାହୀଙ୍କୁ ଡାକୁଥିଲୁ। ମା ଆମ ଡ଼ାକ ଶୁଣିଲେ, ସାତଭାୟାରେ ଥିବା ୩ ପରିବାର ସମସ୍ତେ ଜୀବନ ରକ୍ଷା ପାଇଗଲୁ ବୋଲି କହିଛନ୍ତି।