ଝଡ଼ ତୋଫାନ୍‌ ସାଙ୍ଗକୁ ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା : ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୀଘାରେ ପହଞ୍ଚିଛି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଏବେ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ମଧ୍ୟବର୍ତ୍ତୀ ଅଞ୍ଚଳ ଦୀଘା ନିକଟରେ ରହିଛି। ଫଳରେ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ଟି ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ବୋଲି ଗୁରୁବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ଏହି ୧୦ଟି ଜିଲ୍ଲା ମଧ୍ୟରେ କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ଯାଜପୁର, କଟକ, କେନ୍ଦୁଝର, ଢ଼େଙ୍କାନାଳ, ଦେବଗଡ଼, ସମ୍ବଲପୁର ଓ ସୋନପୁର ରହିଛି।

ସେହିପରି ବାଲେଶ୍ୱର, ମୟୁରଭଞ୍ଜ, ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଳାହାଣ୍ଡି, ବୌଦ୍ଧ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। କେବଳ ଏତିକି ନୁହେଁ ଏହି ସବୁ ଜିଲ୍ଲାମାନଙ୍କରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ପବନର ବେଗ ୨୩ରୁ ୨୫କିମି ରହିବ । ଏଥିସହିତ ୪୫କିମିର ବେଗରେ ଝଡ଼ ତୋଫାନ୍‌ ମଧ୍ୟ ହୋଇପାରେ।

୨୪ ଘଣ୍ଟା ପରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଧୀରେ ଧୀରେ ଗତି କରି ଦୁର୍ବଳ ହେବ ଲଘୁଚାପ କିନ୍ତୁ ଏହି ସମୟ ମଧ୍ୟରେ ସାରା ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ। କେଉଁଠି କମ୍‌ ହେବ ତ କେଉଁଠି ବେଶୀ ହେବ। ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀ ଓ ଅନ୍ୟମାନଙ୍କୁ ଯିବାକୁ ବାରଣ କରାଯାଇଛି। ଗତକାଲି ସୁନ୍ଦରଗଡ଼ରେ ୩୨.୦ ଡିଗ୍ରୀ ସେଲସିୟସ୍‌ ସର୍ବାଧିକ ତାପମାତ୍ରା ଥିବା ବେଳେ ଫୁଲବାଣୀରେ ୧୯.୦ଡିଗ୍ରୀ ସେଲସିୟସ୍‌ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର