ହୁଗୁଳିଲାଣି ଶ୍ରୀମନ୍ଦିର ପ୍ରଶାସନ : ବାର୍ଷିକ ରିପୋର୍ଟ ଉପସ୍ଥାପନ କରୁନି, ଚାପିଦେଲେ ବ୍ରହ୍ମ ବିଭ୍ରାଟ ରିପୋର୍ଟ, ସିଏଜି ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନାହିଁ
ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ କେବଳ ଯେ ସେବାୟତ ବିଶୃଙ୍ଖଳା କରୁଛନ୍ତି, ଭକ୍ତଙ୍କୁ ଅକଥନୀୟ ଦୁର୍ଦଶା ଭିତରକୁ ଠେଲି ଦିଆଯାଉଛି ତା ନୁହେଁ, ବରଂ ଶ୍ରୀମନ୍ଦିର ପ୍ରଶାସନର ଉଦାସୀନତା, ବେପରୁଆ କାରବାର ଏବେ ସବୁ ସୀମା ଟପିବାକୁ ବସିଲାଣି।
Sambad is now on WhatsApp
Join and get latest news updates delivered to you via WhatsApp
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବା ଘଟଣା କେବଳ ଗୋଟିଏ ଉଦାହରଣ ନୁହେଁ, ଏମିତି ଡଜନେରୁ ଅଧିକ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନର ମନମାନି ଓ ଦାୟିତ୍ୱହୀନତା ଏବେ ଚର୍ଚ୍ଚାକୁ ଆସିଛି। ଶ୍ରୀମନ୍ଦିରରେ ଦେଖାଯାଉଥିବା ଅବ୍ୟବସ୍ଥା ପଛରେ ଅନେକ ଏହାକୁ ଏକ ବଡ଼ କାରଣ ବୋଲି ବର୍ଣ୍ଣନା କରୁଛନ୍ତି। ସବୁଠାରୁ ବଡ଼ କଥା ହେଲା, ଏତେ ସବୁ ପରେ ବି ରାଜ୍ୟ ସରକାର ତମାମ ଘଟଣା ଉପରେ କୌଣସି ପଦକ୍ଷେପ ନନେବା ଶ୍ରୀମନ୍ଦିରରେ ବିଶୃଙ୍ଖଳାକୁ ବହୁଗୁଣିତ କରୁଛି ଓ ସମାନ୍ତରାଳ ଭାବେ ଶ୍ରୀଜଗନ୍ନାଥ, ଶ୍ରୀକ୍ଷେତ୍ର ଓ ଓଡ଼ିଶା ମଧ୍ୟ ବଦନାମ ମୁଣ୍ଡାଉଛି।
ଉଲ୍ଲେଖଯୋଗ୍ୟ, ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ରାଜ୍ୟ ସରକାର ଫି ବର୍ଷ ବଜେଟ୍ରେ ଅର୍ଥ ବରାଦ କରୁଛନ୍ତି। ବିଧାନସଭା ଏହାକୁ ପାରିତ କରୁଛି। ମାତ୍ର ବିଧାନସଭା ଜାଣିପାରୁନାହାନ୍ତି, କେମିତି ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କାର ଏହି ସରକାରୀ ଅନୁଦାନ। କାରଣ, ଶ୍ରୀମନ୍ଦିର ପ୍ରଶାସନ ବର୍ଷ ବର୍ଷ ଧରି ବାର୍ଷିକ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରୁନାହାନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ଆଇନର ଧାରା ୧୮ରେ ସ୍ପଷ୍ଟ ନିର୍ଦେଶ ରହିଛି ଯେ ମନ୍ଦିର ପରିଚାଳନା କମିଟି ବାର୍ଷିକ ରିପୋର୍ଟ ବିଧାନସଭାରେ ନିଶ୍ଚିତ ଭାବେ ଉପସ୍ଥାପନ ହେବ। ଖୋଲାଖୋଲି ଭାବେ ବ୍ୟବସ୍ଥାକୁ ଉଲ୍ଲଂଘନ କରାଯାଉଥିଲେ ହେଁ, ରାଜ୍ୟ ସରକାର ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ତାଗିଦ୍ କରୁନାହାନ୍ତି। ବିଧାନସଭାର ବାଚସ୍ପତି ମଧ୍ୟ ଏ ପ୍ରସଙ୍ଗରେ କୌଣସି କଡ଼ା ନିର୍ଦେଶନାମା ଜାରି କରିନାହାନ୍ତି। ଏହାଦ୍ୱାରା ବିଧାନସଭାର ଗରିମା କ୍ଷୁଣ୍ଣ ହେଉଛି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ସମୟରେ ବ୍ରହ୍ମ ପରିବର୍ତ୍ତନ କାଳରେ ବିଭ୍ରାଟ ସଂଘଟିତ ହେଲା। ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଘଟଣାର ତଦନ୍ତ କଲେ। ବିଳମ୍ବରେ ହେଲେ ବି ଏହି ତଦନ୍ତ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ମିଳିଲା। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ପ୍ରସଙ୍ଗରେ ଆଲୋଚନା ହେଲା। ସଭ୍ୟମାନେ ଅନୁଭବ କଲେ ଯେ ବ୍ରହ୍ମ ବିଭ୍ରାଟ ଶବ୍ଦ ବ୍ୟବହାର କରାଯିବ ନାହିଁ, ବରଂ ଘଟ ପରିବର୍ତ୍ତନ ଶବ୍ଦ ଲେଖାଯିବ। ଏଥିସହିତ ଘଟ ପରିବର୍ତ୍ତନ ରିପୋର୍ଟ ଉପସ୍ଥାପନ ହେଲା। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବେ କଣ, ପୁଣ ଏକ କମିଟି ଗଠନ କରି ତର୍ଜମା କରୁଛନ୍ତି। ମହୀମୋହନ ତ୍ରିପାଠୀ, ବାବା ସଚ୍ଚିଦାନନ୍ଦ ମହାରାଜ ଓ ସିଦ୍ଧେଶ୍ୱର ମହାପାତ୍ରଙ୍କୁ ନେଇ ଗଠିତ ସବ୍ କମିଟି ଏବେ ଏହାର ତର୍ଜମା ଜାରି ରଖିଛନ୍ତି। କେବେ ସରିବ, କାହାକୁ ଜଣାନାହିଁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିରବ, ଶ୍ରୀମନ୍ଦିର ପରିଚାଳନା କମିଟି ମଧ୍ୟ। ସର୍ବସମ୍ମୁଖରେ ଏତେ ବଡ଼ ଘଟଣା ଘଟିଲା। ଖୋଦ୍ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏ ସଂପର୍କରେ ତଦନ୍ତ କଲେ। ସଂପୃକ୍ତ ସେବାୟତଙ୍କୁ ପଚରାଉଚରା କରି ରିପୋର୍ଟ ପ୍ରଦାନ କରିବା ପରେ ପୁଣି ଥରେ ଅନୁଧ୍ୟାନ ଆଳରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାକୁ ବିଳମ୍ବିତ କରାଯିବା ପଛର ରହସ୍ୟ କଣ? ଯଦି ମହାପ୍ରଭୁଙ୍କ ପ୍ରତି ହୋଇଥିବା ଏହି ଐତିହାସିକ ଅପରାଧର ପରିଣାମ ଏୟା ହୁଏ, ତେବେ ଏଥିରେ ଶ୍ରୀମନ୍ଦିର ପ୍ରଶାସନ ବା ଶ୍ରୀମନ୍ଦିର ପରିଚାଳନା କମିଟି କିମ୍ବା ରାଜ୍ୟ ସରକାରଙ୍କୁ କିଏ କାହିଁକି ମାନିବ?
ସେତିକି ନୁହେଁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଣ୍ଠି ପରିଚାଳନାରେ ବଡ଼ କେଳେଙ୍କାରି ହୋଇଛି। ଏ ଅଭିଯୋଗ କୌଣସି ରାଜନୈତିକ ଦଳର ନୁହେଁ। ସିଏଜି ଶ୍ରୀମନ୍ଦିର ପ୍ରଶାସନର ଆର୍ଥିକ ଅନିମିୟତା ନେଇ ଏଭଳି ସାଂଘାତିକ ତଥ୍ୟ ତାଙ୍କ ରିପୋର୍ଟରେ ରଖିଛନ୍ତି। ଏଥିରେ କୁହାଯାଇଛି, ଶ୍ରୀଜଗନ୍ନାଥଙ୍କ ହଜାର ହଜାର ଏକର ଜମି ଏଯାଏ ଚିହ୍ନଟ ହୋଇପାରୁନାହିଁ। ଶ୍ରୀମନ୍ଦିର ରାଜସ୍ୱ ହ୍ରାସ ପାଇଛି, ଅନ୍ୟପଟେ ବେଞ୍ଚ ମାର୍କ ମୂଲ୍ୟ ଠାରୁ କମ୍ ଦରରେ ମହାପ୍ରଭୁଙ୍କ ଜମିକୁ ଟେକି ଦିଆଯାଇଛି। ପୁରୀ ନୂଆ ବସ୍ଷ୍ଟାଣ୍ଡ ନିର୍ମାଣ ଲାଗି ମହାପ୍ରଭୁଙ୍କ ଜମିକୁ ଅତ୍ୟନ୍ତ କମ୍ ମୂଲ୍ୟରେ ପ୍ରଶାସନ ଦେବାକୁ କୁଣ୍ଠାବୋଧ କରିନାହିଁ। କଳିଙ୍ଗ ବ୍ଲାକ୍ ଷ୍ଟୋନ୍ କ୍ୱାରି ନିଲାମ କ୍ଷେତ୍ରରେ ୨ କୋଟି ୬୭ଲକ୍ଷ ଟଙ୍କା କ୍ଷତି ସହିଛନ୍ତି ମହାପ୍ରଭୁ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଯେଉଁ ଦପ୍ତର କାର୍ଯ୍ୟ କରୁଛି, ସେଠାରେ ଏଭଳି ଏକ ବଡ଼ କେଳେଙ୍କାରି ଘଟିଛି। ଏ ରିପୋର୍ଟ ଉପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ପାଖାପାଖି ଅଢେଇ ବର୍ଷ ଧରି ଏହି ରିପୋର୍ଟକୁ ସମସ୍ତେ ମାଡ଼ି ବସିଛନ୍ତି। ଅଡିଟ୍ ରିପୋର୍ଟଟି ୨୦୧୫ ଡିସେମ୍ବର ୨୧ରେ ଆକାଉଣ୍ଟାଣ୍ଟ ଜେନେରାଲ, ଶ୍ରୀମନ୍ଦିର ପ୍ରଶାସନ ଓ ଆଇନ ବିଭାଗଙ୍କୁ ପ୍ରଦାନ କରିଥିଲେ। ଶ୍ରୀମନ୍ଦିର ପରିଚାଳନା କମିଟି ଅନୁଧ୍ୟାନ କରୁନାହାନ୍ତି କି ରାଜ୍ୟ ସରକାର। ଏଥିରେ ଶ୍ରୀମନ୍ଦିରରେ କେଳେଙ୍କାରି ବଢିବନି, ଆଉ କ’ଣ ଶୃଙ୍ଖଳା ଆସିବ?
ସ୍ମରଣଯୋଗ୍ୟ, ଶ୍ରୀମନ୍ଦିର ବ୍ୟବସ୍ଥାରେ ଶୃଙ୍ଖଳା ଆଣିବା ପାଇଁ ଅତୀତରେ ଅନେକ କମିଟି ଗଠନ ହୋଇଛି। ରାଜ୍ୟ ସରକାର ଶ୍ରୀମନ୍ଦିର ଆଇନକୁ ସଂଶୋଧନ କରି ଜଣେ କମିସନର ପାହ୍ୟାର ଅଧିକାରୀଙ୍କୁ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି। ହେଲେ ଏହି ପଦବି ସୃଷ୍ଟି ଦିନରୁ ଏହାକୁ କା’ ପଦବି ଭାବେ ରାଜ୍ୟ ସରକାର ମାନ୍ୟତା ଦେଇ ଆସୁଛନ୍ତି। ପୂର୍ବରୁ ଜଣେ ବରିଷ୍ଠ ଅଧିକାରୀ ବ୍ୟବସ୍ଥା ସମ୍ଭାଳୁଥିଲେ। ଏବେ ମୁଖ୍ୟ ପ୍ରଶାସକଙ୍କ ବାଦ୍ ନୀତି, ରାଜସ୍ୱ, ସୁରକ୍ଷା ଆଦି ପାଇଁ ବଡ଼ ବଡ଼ିଆଙ୍କୁ ନିଯୁକ୍ତି ଦିଆଯାଇଛି। ହେଲେ ନୀତିରେ ବିଭ୍ରାଟ ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନାହିଁ, ରାଜସ୍ୱ ହଡପ କ୍ଷେତ୍ରରେ ବି ସେୟା। ଆଉ ଶ୍ରୀମନ୍ଦିରରେ ଢିଲା ସୁରକ୍ଷା ବ୍ୟବସ୍ଥା ପାଇଁ କେବେ ବି ପୁଲିସ ନିର୍ଦେଶକ ଦାୟିତ୍ୱରେ ଥିବା ସଂପୃକ୍ତ ଅତିରିକ୍ତ ଏସ୍ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ନଜିର ମଧ୍ୟ ନାହିଁ।
ସେହିଭଳି ସଂସ୍କାର ପାଇଁ ଶ୍ରୀମନ୍ଦିରରେ ଅନେକ କମିଟି ଗଠନ ହୋଇଛି। ହେଲେ କମିଟି ଗଠନ କରିବା ବେଳେ ସରକାର ଯେଭଳି ଦୃଢୋକ୍ତି ପ୍ରକାଶ କରିଥାନ୍ତି, ରିପୋର୍ଟର କାର୍ଯ୍ୟାନ୍ଵୟନ କ୍ଷେତ୍ରରେ ସେତିକି ଆନ୍ତରିକତା ଦେଖାନ୍ତି ନାହିଁ। ନିକଟରେ ରାଜ୍ୟ ସରକାର ଗଠନ କରିଥିବା ଜଷ୍ଟିସ ବି ପି ଦାସ କମିସନଙ୍କ ରିପୋର୍ଟକୁ ସମାନ ଦଶା ଭୋଗିବାକୁ ପଡିଛି। ସବୁଠାରୁ ବଡ଼ କଥା ହେଉଛି, ଏହି ରିପୋର୍ଟ ଶ୍ରୀମନ୍ଦିର ପରିଚାଳନା କମିଟିରେ ଉପସ୍ଥାପନ କରାଗଲା ବେଳେ ଖୋଦ୍ ଗଜପତି ମହାରାଜା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସିଧା ସିଧା ଅସନ୍ତୋଷ ପ୍ରକଟ କରି ଜଣାଇଛନ୍ତି ଯେ କମିସନଙ୍କ ସମ୍ପୂର୍ଣ୍ଣ ରିପୋର୍ଟ ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନା କମିଟିକୁ ଦେବା କଥା। ମାତ୍ର ଯେଉଁ ରିପୋର୍ଟଟି ଆସିଛି, ସେଥିରେ କେବଳ ଶ୍ରୀମନ୍ଦିର ସଂପର୍କିତ ତଥ୍ୟ ରହିଛି। ଗଜପତି କ୍ଷୋଭର ସହ ଏକଥା ବି କହିଛନ୍ତି, ଶ୍ରୀମନ୍ଦିର ରାଜ୍ୟ ସରକାରଙ୍କ ସଂପତ୍ତି ନୁହେଁ। ଏହା ଜନସାଧାରଣଙ୍କ ସଂସ୍ଥା। ଶ୍ରୀମନ୍ଦିର ପରିଚାଳନା କମିଟି ସମ୍ପୂର୍ଣ୍ଣ ରିପୋର୍ଟ ସଂପର୍କରେ ଅବଗତ ହେବା ଦରକାର।
ହେଲେ ଗଜପତିଙ୍କ ଏଭଳି ଅସନ୍ତୋଷକୁ ନ୍ୟାୟ ମିଳିନାହିଁ। ଶ୍ରୀମନ୍ଦିର ପ୍ରଶାସନ ଏ ନେଇ ସରକାରଙ୍କୁ ଅବଗତ କରିନାହାନ୍ତି କିମ୍ବା ରାଜ୍ୟ ସରକାର ମଧ୍ୟ ଶ୍ରୀମନ୍ଦିର ପ୍ରଶାସନକୁ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାକୁ ଆଗ୍ରହ ଦେଖାଇନାହାନ୍ତି। ଏ ମଧ୍ୟରେ କମିସନଙ୍କ ଅନ୍ତରୀଣ ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଅଟକି ଗଲା ଭଳି ମନେ ହେଉଛି।