ମାମଲାର ଶୁଣାଣିବେଳେ ସ୍ପଷ୍ଟ କଲେ ହାଇକୋର୍ଟ, ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ

କଟକ: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ଦୁଷ୍କର୍ମ ଅପରାଧ (ରେପ୍) ପରିସରଭୁକ୍ତ ନୁହେଁ। ଆଇପିସିର ଦଫା ୩୭୫ ଅନୁସାରେ ପୀଡିତାଙ୍କ ସହିତ ଘଟିଥିବା ନିର୍ଦ୍ଦିଷ୍ଟ ଯୌନ ନିର୍ଯାତନା ପ୍ରସଂଗକୁ ଦୁଷ୍କର୍ମ ଅପରାଧ ପରିସରଭୁକ୍ତ କରାଯାଇଥିବାବେଳେ ବିବାହର ପ୍ରଲୋଭନ ଦେଇ ଶାରୀରିକ ସଂପର୍କ ରଖିବା ଘଟଣା ଏଥି ମଧ୍ୟରେ ଅନ୍ତର୍ଭୁକ୍ତ ନୁହେଁ। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଦୁଷ୍କର୍ମ ମାମଲାରେ ଜାମିନ ପ୍ରସଂଗରେ ଶୁଣାଣି କରି ଏପରି ରାୟ ଦେଇଛନ୍ତି। ଏଥିସହିତ ନିମ୍ନ ଅଦାଲତଙ୍କ ଜାମିନ ଖାରଜ ସଂପର୍କିତ ୨୦୧୯, ଡିସେମ୍ବର ୧୧ର ନିର୍ଦ୍ଦେଶକୁ ଖଣ୍ଡପୀଠ ରଦ୍ଦ କରିଛନ୍ତି। ଆବେଦନକାରୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ପାଇଁ କୋରାପୁଟ-ଜୟପୁର ଦୌରା ଜଜ୍ ତଥା ସ୍ପେଶାଲ ଜଜ୍‌ଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଜାମିନରେ ଛାଡ଼ ପାଇବା ପରେ ଆବେଦନକାରୀ ଅଭିଯୁକ୍ତ ତଦନ୍ତରେ ସହଯୋଗ କରିବେ, ପୀଡିତାଙ୍କୁ ଧମକ ଦେବେନାହିଁ ଓ ଜାମିନର ଦୂରୁପଯୋଗ କରିବେ ନାହିଁ ବୋଲି ସର୍ତ୍ତାରୋପ କରାଯାଇଛି। ହାଇକୋର୍ଟଙ୍କ ରାୟରେ ବିଭିନ୍ନ ଘଟଣାକୁ ନେଇ ପ୍ରଦାନ କରାଯାଇଥିବା ଟିପ୍ପଣୀ (ଅବଜରଭେସନ୍) ନିମ୍ନ ଅଦାଲତରେ ମାମଲାର ଶୁଣାଣି (ଟ୍ରାଏଲ)କୁ ପ୍ରଭାବିତ କରିବ ନାହିଁ ବୋଲି ପ୍ରକ‌ାଶିତ ରାୟରେ ସ୍ପଷ୍ଟ କରାଯାଇଛି।

ଜଣେ ଅନୁସୂଚିତ ଜନଜାତି ବର୍ଗର ପୀଡ଼ିତା (୧୯ ବର୍ଷ) ପଟାଙ୍ଗି ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ, ଆବେଦନକାରୀ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଦୁଷ୍କର୍ମ କରିଛନ୍ତି। ଏ ନେଇ ପୁଲିସ ଆଇପିସିର ଦଫା ୪୯୩, ୩୧୩, ୩୭୬ ଓ ଏସ୍‌ସି ଆଣ୍ଡ ଏସ୍‌ଟି (ପିଏ) ଆକ୍ଟ, ୨୦୧୫ର ଧାରା ୩(୨)(ଭି)ରେ ମାମଲା ରୁଜୁ କରି ଆବେଦନକାରୀଙ୍କୁ ଗିରଫ କରିଥିଲା। କୋରାପୁଟ-ଜୟପୁର ଦୌରାଜଜ୍ ତଥା ସ୍ପେଶାଲ ଜଜ୍‌ ଆବେଦନକାରୀଙ୍କ ଜାମିନ ଆବେଦନ ୨୦୧୯, ଡିସେମ୍ବର ୧୧ରେ ଖାରଜ କରିଥିଲେ। ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ସମୟରେ କେସ୍ ଡାଏରି, ପୀଡିତାଙ୍କ ବୟାନ ଓ ତଦନ୍ତର ତଥ୍ୟ ପ୍ରମାଣରୁ ସ୍ପଷ୍ଟ ହୋଇଥିଲା ଯେ, ଆବେଦନକାରୀ ଓ ପୀଡ଼ିତା ଗୋଟିଏ ଅଞ୍ଚଳର ହୋଇଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା। ଆବେଦନକାରୀ ବିବାହର ପ୍ରତିଶ୍ରୁତି ଦେଇ ପୀଡିତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲେ ଓ ପୀଡ଼ିତା ଗର୍ଭବତୀ ହେବା ପରେ ଦୁଇ ଥର ତାଙ୍କ ଗର୍ଭନଷ୍ଟ ପାଇଁ ବାଧ୍ୟ କରିଥିଲେ। ଡାକ୍ତରୀ ରିପୋର୍ଟରୁ ପୀଡିତାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନଥିବା ସ୍ପଷ୍ଟ ହୋଇଥିଲା। ଡାକ୍ତରୀ ପରୀକ୍ଷା ସମୟରେ ପୀଡ଼ିତା ଗର୍ଭବତୀ ନଥିବା ଜଣାପଡ଼ିଥିଲା। ପୀଡିତା ମାନସିକ ଭାବେ ସୁସ୍ଥ ଥିବାବେଳେ ତାଙ୍କୁ କେହି ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବାକୁ ପ୍ରରୋଚିତ କରିବାର ପ୍ରଶ୍ନ ଉଠିନଥିଲା।

ଅଦାଲତ ମାମଲାର ଶୁଣାଣି ବେଳେ ସ୍ପଷ୍ଟ କରିଛନ୍ତି ଯେ ଦୁଷ୍କର୍ମ (ରେପ)ର ସଂଜ୍ଞା ଆଇପିସର ଧାରା ୩୭୫ରେ ରହିଛି। ଧାରା ୩୭୫ ଅନୁସାରେ, ପୀଡିତାଙ୍କ ଉପରେ ହୋଇଥିବା ନିର୍ଦ୍ଦିଷ୍ଟ ଯୌନ ନିର୍ଯାତନା ସଂପର୍କିତ କାର୍ଯ୍ୟ ଦୁଷ୍କର୍ମ ପରିସରଭୁକ୍ତ। ଏଭଳି ୭ଟି ପ୍ରସଙ୍ଗକୁ ଅଦାଲତ ସ୍ପଷ୍ଟ କରିଛନ୍ତି। ପୀଡ଼ିତାଙ୍କ ଇଚ୍ଛା ବିରୋଧରେ, ତାଙ୍କ ବିନା ଅନୁମତିରେ, ମୃତ୍ୟୁ କିମ୍ବା ଆଘାତ ଦେବାର ଭୟ ଦେଖାଇ ନିଆଯାଇଥିବା ସମ୍ମତି, ଜଣେ ବ୍ୟକ୍ତି ନିଜକୁ ପୀଡିତାଙ୍କ ସ୍ବାମୀ ବୋଲି ଭୁଲ ବିଶ୍ବାସ ଜନ୍ମାଇ ନେଇଥିବା ସମ୍ମତି, ଠିକ୍ ମାନସିକ ସ୍ଥିତି ନଥିବା ବେଳେ ବା ନିଶାଗ୍ରସ୍ତ ଥିବାବେଳେ ଓ କ’ଣ ଘଟିବାକୁ ଯାଉଛି ବୁଝିବିାକୁ ସକ୍ଷମ ନଥାଇ ଥିବା ପରିସ୍ଥିତିରେ ନିଆଯାଇଥିବା ସମ୍ମତି, ୧୮ ବର୍ଷରୁ କମ୍ ବାଳିକାର ସମ୍ମତି, ସମ୍ମତି ଜଣାଇବା ସ୍ଥିତିରେ ନଥିବା ବେଳେ ନିଆଯାଇଥିବା ସମ୍ମତି ଏହି ଅପରାଧ ପରିସରଭୁକ୍ତ। କିନ୍ତୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ଏହି ପରିସର ମଧ୍ୟରେ ଆସୁନାହିଁ।

ହାଇକୋର୍ଟଙ୍କ ରାୟରେ ସୁପ୍ରିମକୋର୍ଟ ନିକଟରେ ପ୍ରକାଶ କରିଥିବା ଅନୁରାଗ ସୋନି ବନାମ ଛତିଶଗଡ ସରକାର ମାମଲାର ରାୟ ଉପରେ ଗୁରୁତ୍ବାରୋପ କରାଯାଇଛି। ଯେଉଁଥିରେ ପ୍ରତିଶ୍ରୁତି ଯାହା ପୂରଣ ହୋଇ ପାରି ନାହିଁ ଓ ପ୍ରତିଶ୍ରୁତି ଯାହାକି ମୂଳରୁ ମିଛ, ତାହା ମଧ୍ୟରେ ରହିଥିବା ପାର୍ଥକ୍ୟ ଉପରେ ଆଲୋକପାତ କରାଯାଇଛି। ଯଦି ଜଣେ ବ୍ୟକ୍ତି ପ୍ରମାଣ କରେ ଯେ ସେ ବିବାହ କରିବାକୁ ଚାହୁଁଥିଲା ଓ ପରବର୍ତ୍ତୀ ସମୟରେ ମନ ପରିବର୍ତ୍ତନ କରିଲା ତେବେ ଏହା ଦୁଷ୍କର୍ମ ନୁହେଁ। କିନ୍ତୁ ଯଦି ସଂପର୍କର ମୂଳରୁ ଉଦ୍ଦେଶ୍ୟ ମନ୍ଦ ବୋଲି ପ୍ରମା‌ଣିତ ହୁଏ ତେବେ ଏହା ଦୁଷ୍କର୍ମ ବୋଲି ଗ୍ରହଣ କରାଯିବ।

ବହୁ ସମୟରେ ଦୁଇ ଜଣ ବ୍ୟକ୍ତି ନିଜ ଇଚ୍ଛାରେ ସଂପର୍କ ସ୍ଥାପନ କରିଥାନ୍ତି। ପରସ୍ପର ସ୍ବୀକୃତିରେ ଶାରୀରିକ ସଂପର୍କ ରଖିଥାନ୍ତି। କିନ୍ତୁ ଯଦି କୌଣସି କାରଣରୁ ସଂପର୍କରେ ତିକ୍ତତା ଆସେ ତେବେ ମହିଳା ଜଣକ ନିଜର ବ୍ୟକ୍ତିଗତ ପ୍ରତିଶୋଧ ପାଇଁ ଆଇନକୁ ଅସ୍ତ୍ର ଭାବେ ବ୍ୟବହାର କରିଥାନ୍ତି। ରାଗ ଓ ହତାଶା ଭାବରୁ ଏଭଳି ସ୍ବୀକୃତିରେ ଚାଲିଥିବା ସଂପର୍କକୁ ଦୁଷ୍କର୍ମ ଘଟଣାରେ ପରିଣତ କରିଥାନ୍ତି। ଅନ୍ତରଙ୍ଗ ସଂପର୍କ ଯେଉଁଥିରେ ମହିଳା ନିଜ ଇଚ୍ଛାରେ ସଂପର୍କ ସ୍ଥାପନ କରିଥାନ୍ତି ତାହା ନିୟନ୍ତ୍ରଣ କରିବା ପାଇଁ ଦୁଷ୍କର୍ମ ଆଇନ ବ୍ୟବହାର କରିବା ଉଚିତ ନୁହେଁ। ସାମାଜିକ ଅନଗ୍ରସର ଓ ଗରିବ ଶ୍ରେଣୀର ସମାଜରେ ଗ୍ରାମାଞ୍ଚଳରେ ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କ ସହିତ ସଂପର୍କ ରଖି ଗର୍ଭବତୀ ହେବା ପରେ ତାଙ୍କୁ ପରିତ୍ୟାଗ କରାଯିବା ଘଟଣା ନେଇ ବହୁ ଅଭିଯୋଗ ହେଉଥିବାବେଳେ ଏହା ଚିନ୍ତାଜନକ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର

Comments are closed.