ବାଲେଶ୍ବର: ବିଜୁ ଶ୍ରମିକ ସଂଘର ବିର୍ଲା ଟାୟାର୍ସ ଶାଖା ପକ୍ଷରୁ ଆଜି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଆଗରେ ଧାରଣା ପ୍ରଦର୍ଶନ କରାଯାଇଥିଲା। ଗତ ୬ ମାସ ଧରି ବିର୍ଲା ଟାୟାର୍ସର ହଜାର ହଜାର ଶ୍ରମିକ ଦରମା ନପାଇବା, ବାରମ୍ବାର ଫେରାଦ ହେବା ସତ୍ତ୍ବେ କମ୍ପାନି କର୍ତ୍ତୃପକ୍ଷ ଗୁରୁତ୍ବ ନଦେବା, ଶ୍ରମିକମାନେ ଧାରଣାରେ ବସିବା ପରେ ବି ପ୍ରତିଶ୍ରୁତି ଦେଇ ବାରମ୍ବାର ଠକିବା, ଉଚ୍ଚ ଅଧିକାରୀଙ୍କୁ ଗୋଟିଏ ମାସର ସଂପୂର୍ଣ୍ଣ ଦରମା ଦିଆଯାଇଥିବା ବେଳେ ଶ୍ରମିକମାନଙ୍କୁ ଗୋଟିଏ ମାସ ଦରମାର ମାତ୍ର ୨୦ ପ୍ରତିଶତ ଟଙ୍କା ଦେବା, ଆଇନ୍ ଅନୁସାରେ କୌଣସି ନିୟମକୁ କମ୍ପାନି କର୍ତ୍ତୃପକ୍ଷ ନମାନିବା ଆଦି ପ୍ରସଙ୍ଗରେ ଶ୍ରମିକମାନେ ଧାରଣା ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଖବର ପାଇ ସେଠାରେ ସହଦେବଖୁଣ୍ଟା ଥାନା ପୁଲିସ ପହଞ୍ଚି ଜିଲ୍ଲା ଶ୍ରମ ଅଧିକାରୀ ଓ ଶ୍ରମିକମାନଙ୍କ ସହ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ଆସନ୍ତା ୭ ଦିନ ଭିତରେ ଶ୍ରମିକମାନଙ୍କୁ ଦରମା ଦେବାକୁ ଜିଲ୍ଲା ଶ୍ରମ ଅଧିକାରୀ ଏନେଇ କମ୍ପାନି କର୍ତ୍ତୃପକ୍ଷଙ୍କୁ ଏକ ଚିଠି ଲେଖିଛନ୍ତି। ଯଦି ଏହି ସମସ୍ୟାର ସମାଧାନ ନହୁଏ, ତେବେ ଶ୍ରମିକ ସଂଘ ପକ୍ଷରୁ ଜାତୀୟ ରାଜପଥ ଘେରଉ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସଂଘର ସଂପାଦକ କମଳ ଲୋଚନ ଦାସ, ଚିତ୍ତରଂଜନ ସାହୁ, ପ୍ରଦୀପ ନାୟକ, ସତ୍ୟନାରାୟଣ ଆଚାର୍ଯ୍ୟ, ଦୁକୁଲ ଚନ୍ଦ୍ର ଘଡ଼େଇ, ପିଜି କୋଇଲା, କାର୍ତ୍ତିକ ଚନ୍ଦ୍ର ପାଣିଗ୍ରାହୀ, ହରିଶ ଚନ୍ଦ୍ର ପାତ୍ର ପ୍ରମୁଖ ସାମିଲ ଥିଲେ।