ସନ୍ଦେହ ଘେରରେ ଅଳକାନନ୍ଦା ହତ୍ୟାକାଣ୍ଡ : ସାମନାକୁ ଆସିଲା ଅଳକାନନ୍ଦାଙ୍କ ଫୋନକଲ୍, ପୂରା ଘଟଣା କହିଲେ ଭଉଣୀ

ଭୁବନେଶ୍ୱର : ଭୁବନେଶ୍ୱରରେ ଅଳକାନନ୍ଦା ହତ୍ୟାକାଣ୍ଡକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ଆଉ ଏହାରି ଭିତରେ ସାମନାକୁ ଆସିଛି ଅଳକାନନ୍ଦାଙ୍କ ଫୋନକଲ୍ । ତାଙ୍କର ବିବାହ ଠିକ୍ ହୋଇଯିବାରୁ ଅନିଶା ତାଙ୍କୁ ମାରପିଟ୍ କରିଥିବା ଭଉଣୀକୁ ଫୋନ କରି ଜଣାଇଥିଲେ ଅଳକା। ଭଉଣୀ ମଧୁଚନ୍ଦା ଅଭିଯୋଗ କରିଛନ୍ତି ଯେ ଦୁହିଁଙ୍କ ସଂପର୍କକୁ ନେଇ ଅନିଶାଙ୍କ ମନରେ ରହିଥିଲା ମନ୍ଦ ଉଦ୍ଦେଶ୍ୟ ।

ଅଳକାନନ୍ଦାଙ୍କ ହତ୍ୟାକାଣ୍ଡ ବାହାରକୁ ଯାହା ଦେଖାଯାଉଛି, ପରଦା ପଛରେ ସେତିକି ରହସ୍ୟ ରହିଥିବା ସନ୍ଦେହ କରାଯାଉଛି । ଏସବୁ ଭିତରେ ଅଳକାଙ୍କ ପରିବାର ଯେଉଁ ଅଭିଯୋଗ ଆଣିଛନ୍ତି, ତାହା ସାଂଘାତିକ ଦିଗ ପ୍ରତି ଆଙ୍ଗୁଳି ଉଠାଉଛି । ଶେଷ ଥର ପାଇଁ ଭଉଣୀ ମଧୁଚନ୍ଦା ଦାସଙ୍କ ସହ କଥା ହୋଇଥିଲେ ମୃତ ଅଳକା । ମଧୁଚନ୍ଦାଙ୍କ କହିବାନୁସାରେ, ଅଳକାଙ୍କ ବିବାହକୁ ସହଜରେ ଗ୍ରହଣ କରି ପାରିନଥିଲା ଅଭିଯୁକ୍ତ ଅନିଶା।

ଅଳକାଙ୍କ ଭଉଣୀ

ବିବାହ ଠିକ ହୋଇଥିବା ନେଇ ଖବର ଶୁଣିବା ପରେ ଉତ୍ୟକ୍ତ ହୋଇ ପଡିଥିଲା ଅଭିଯୁକ୍ତ । ବାହାଘର ଯୋଗୁ ଅଳକାଙ୍କୁ ସବୁଦିନ ପାଇଁ ଭୁବନେଶ୍ୱର ଛାଡି ବାଲେଶ୍ୱର ଆସିବାର ଥିଲା । ସେଥିପାଇଁ ଶନିବାର ରାତିରେ ସମସ୍ତ ଜିନିଷ ପ୍ୟାକ୍ କରୁଥିବା ସମୟରେ ଅଳକାଙ୍କୁ ମାରପିଟ କରିଥିଲା ଅନିଶା । ତା’ ମନରେ ପାପ ସଂପର୍କ ଥିବାରୁ ଅଳକାଙ୍କ ବିବାହ ହେଉଥିବା ଜାଣିବା ପରେ ରାଗି ଉଠିଥିଲା ସେ । ଅଳକା ଏ ସଂପର୍କରେ ଫୋନ୍ କରି କହିଥିବା କହିଛନ୍ତି ଭଉଣୀ ମଧୁଚନ୍ଦା ।

ଗଣମାଧ୍ୟମକୁ ଅଳକାଙ୍କ ଭଉଣୀ ଦେଇଥିବା ବୟାନ ଓ ପୁଲିସ ତଦନ୍ତ ବୟାନ ଠିକ୍ ସମାନ କଥା କହୁଛି । ଅନିଶା ଓ ଅଳକାଙ୍କର ଦୀର୍ଘ ୧୦ ବର୍ଷର ବନ୍ଧୁତ୍ୱ ଭିତରେ ବାହାଘର ହିଁ ପାଚେରୀ ହୋଇ ଠିଆ ହୋଇଥିଲା । ତେବେ ଅଭିଯୁକ୍ତ ଅନିଶାଙ୍କ ବିରୋଧରେ ପାରିପାଶ୍ୱିର୍କ ପ୍ରମାଣ ମିଳିଥିବାରୁ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପ୍ରତିପକ୍ଷ ଓକିଲ । ଏବେ ପ୍ରଶ୍ନ ଉଠୁଛି – କିଭଳି ଥିଲା ଅଳକା ଓ ଅନିଶାଙ୍କ ସଂପର୍କ? ଖାଲି ବନ୍ଧୁତ୍ୱ ନା’ ଗଢ଼ି ଉଠିଥିଲା ଅନ୍ୟ କିଛି ସଂପର୍କ? ଏସବୁ ଦିଗକୁ ଦୃଷ୍ଟିରେ ରଖି ଛାନଭିନ୍ ଚଳାଇଛି କମିସନରେଟ୍ ପୁଲିସ।

ସମ୍ବନ୍ଧିତ ଖବର