ଓଡ଼ିଶାମୁହାଁ ପଙ୍ଗପାଳ, ଚାଷୀଙ୍କୁ ସତର୍କ କରାଇଲା ଓୟୁଏଟି

ଭୁବନେଶ୍ବର: ବାତ୍ୟା ମାଡ଼ ପରେ ଏବେ ଓଡ଼ିଶା ଚାଷୀଙ୍କୁ ପଙ୍ଗପାଳ ଭୟ। ଦେଶର ଗୋଟିଏ ପରେ ଗୋଟିଏ ରାଜ୍ୟ ଅତିକ୍ରମ କରୁଥିବା ପଙ୍ଗପାଳ ଦଳ ଏବେ ଓଡ଼ିଶାମୁହାଁ। ରାଜସ୍ଥାନ ଅତିକ୍ରମ କରି ସେମାନେ ମଧ୍ୟପ୍ରଦେଶରେ ପହଞ୍ଚି ସାରିଲେଣି। ଆଗକୁ ଓଡ଼ିଶାକୁ ଆସିବାର ସମ୍ଭାବନା ଥିବାରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ଅଧୀନ ସମ୍ପ୍ରସାରଣ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଚା‌ଷୀଙ୍କୁ ସତର୍କ କରାଯାଇଛି। ପଙ୍ଗପାଳଙ୍କ ଆକ୍ରମଣରୁ ଫସଲକୁ ସୁରକ୍ଷା ଦେବା ଲାଗି ପଦକ୍ଷେପ ନେବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି।

କୁହାଯାଇଛି ଯେ ସୀମାବର୍ତୀ ରାଜ୍ୟରେ ପଙ୍ଗପାଳ ଦଳ ପହଞ୍ଚିଲେ ଓଡ଼ିଶା ଜମିରେ ଥିବା ଫସଲ ଉପରେ ପ୍ରତିଷେଧକ ବ୍ୟବସ୍ଥା ହିସାବରେ ୫ ପ୍ରତିଶତ ନିମ୍ବ ମଞ୍ଜି ଉଦ୍ଧୃତାଂଶ(ଏନ୍‌ଏସ୍‌‌କେଇ)ର ଦ୍ରବଣକୁ ଏକର ପ୍ରତି ୨୦୦ଲିଟର ହିସାବରେ ଅପରାହ୍‌ଣରେ ସିଞ୍ଚନ କରନ୍ତୁ। ଏହା ବଦଳରେ ବଜାରରେ ମିଳୁଥିବା ୩୦୦ ପିପିଏମ୍‌ର ନିମ୍ବ ଆଧାରିତ କୀଟ ବିଷକୁ ଏକର ପ୍ରତି ଏକ ଲିଟର ହିସାବରେ ୨୦୦ ଲିଟର ପାଣି ସହ ମିଶାଇ ଅପରାହ୍‌ଣରେ ସିଞ୍ଚନ କରାଯାଇପାରେ। ପଙ୍ଗପାଳ ଦଳ ଫସଲ କିଆରିରେ ପହଞ୍ଚି ଯାଇଥିଲେ, ସେଗୁଡ଼ିକୁ ବିଭିନ୍ନ ଉପାୟରେ ଯଥା ଟିଣ ବାଡ଼େଇ, କଣ୍ଟାଯୁକ୍ତ ଡାଳରେ ପିଟି ଘଉଡ଼ାଇବାର ବ୍ୟବସ୍ଥା କରନ୍ତୁ। ସଂଧ୍ୟା ସମୟରେ ପଙ୍ଗପାଳ ବସିଥିବା ବଡ଼ ବଡ଼ ଗଛ ତଳେ ପଲିଥିନ୍ ଜରି ବିଛାଇ ଡାଳଗୁଡ଼ିକୁ ହଲାଇଦେଲେ, ସେମାନେ ଜରି ଉପରେ ଗଳି ପଡ଼ିବେ। ସେଗୁଡ଼ିକୁ ସଂଗ୍ରହ କରି କିରାସିନି ମିଶ୍ରିତ ପାଣିରେ ବୁଡ଼ାଇ ମାରି ଦିଅନ୍ତୁ। ଏହାବ୍ୟତୀତ କୀଟଗୁଡ଼ିକ ଦ୍ୱାରା ଆକ୍ରାନ୍ତ ଫସଲ ଉପରେ ଉପରୋକ୍ତ ନିମ୍ବ ଆଧାରିତ କୀଟନାଶକ ସିଞ୍ଚନ କରନ୍ତୁ କିମ୍ବା ଏକର ପ୍ରତି ୪୦୦ ମିଲି ପ୍ରୋଫେନୋଫସ୍ ୫୦ ଇସିକୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।

ସମ୍ବନ୍ଧିତ ଖବର