ଭିଡିଓ କନ୍‌ଫରେନ୍ସିଂରେ କୁଳପତିଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବୈଠକ, +୩ ଦ୍ବିତୀୟ ଓ ଚତୁର୍ଥ ସେମିଷ୍ଟର୍‌ ପରୀକ୍ଷା ହେବନି

ପିଜିର ଦ୍ୱିତୀୟ ସେମିଷ୍ଟର୍‌ ମଧ୍ୟ ହେବ ନାହିଁ, +୩ ଓ ପିଜି ପାଠ୍ୟକ୍ରମର ୨୫% ସ୍ୱୟଂ-ଅଧ୍ୟୟନ

ଭୁବନେଶ୍ବର: ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଅଧୀନ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି କଲେଜର ଯୁକ୍ତ୩(ୟୁଜି) ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟର୍‌ ପରୀକ୍ଷା କରାଯିବ ନାହିଁ। ସେହିପରି ସ୍ନାତକୋତ୍ତର(ପିଜି) ଶ୍ରେଣୀର ଦ୍ୱିତୀୟ ସେମିଷ୍ଟର୍‌ ପରୀକ୍ଷା ମଧ୍ୟ ହେବନି। ବିଶ୍ୱବିଦ୍ୟାଳୟଗୁଡ଼ିକ ଦ୍ୱାରା ବିକଳ୍ପ ବ୍ୟବସ୍ଥା କରାଯାଇ ମୂଲ୍ୟାୟନ ହେବ ଏବଂ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ସେମିଷ୍ଟର୍‌କୁ ଉତ୍ତୀର୍ଣ୍ଣ କରାଯିବ। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ଭିଡିଓ କନ୍‌ଫରେନ୍ସିଂ‌େ ରେନ୍ସି ମାଧ୍ୟମରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି।

ତେବେ ମେ’ ୬ରେ ଅନୁଷ୍ଠିତ କୁଳପତିମାନଙ୍କ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଯୁକ୍ତ୩ ଷଷ୍ଠ ଓ ସ୍ନାତକୋତ୍ତର(ପିଜି) ଶ୍ରେଣୀର ଚତୁର୍ଥ ସେମିଷ୍ଟର୍‌ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଯୁକ୍ତ ୩ର ଷଷ୍ଠ ସେମିଷ୍ଟର୍‌ ପରୀକ୍ଷା ଆସନ୍ତା‌ ଜୁନ୍ ୨୦ ପରେ ଆରମ୍ଭ ହୋଇ ଜୁଲାଇ ୨୪ସୁଦ୍ଧା ଶେଷ ହେବ। ଅଗଷ୍ଟ ୩୧ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ ପାଇବ। ସ୍ନାତକୋତ୍ତର ଚତୁର୍ଥ ସେମିଷ୍ଟର୍‌ ପରୀକ୍ଷା ଅଗଷ୍ଟ ୨୦ ସୁଦ୍ଧା ଶେଷ କରାଯିବ ଏବଂ ସେପ୍ଟେମ୍ବର ୨୦ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବ। ବୈଠକରେ ନିଆଯାଇଥିବା ଆଉ ଏକ ନିଷ୍ପତ୍ତି ଅନୁଯାୟୀ, ପ୍ରଥମଥର ପାଇଁ ଯୁକ୍ତ୩ ଓ ପିଜି ପାଠ୍ୟକ୍ରମର ୨୫ପ୍ରତିଶତ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱୟଂ-ଅଧ୍ୟୟନ(ଗାଇଡେଡ୍‌ ସେଲ୍ଫ ଷ୍ଟଡି) ମାଧ୍ୟମରେ କରାଯିବ। ଅନ୍‌ଲାଇନ୍‌, ଅଫଲାଇନ୍‌ ଓ ପାଠ୍ୟପୁସ୍ତକ ମାଧ୍ୟମରେ ଉନ୍ନତ ଷ୍ଟଡି ମାଟେରିଆଲ୍ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ। ଛାତ୍ରଛାତ୍ରୀ ସେଗୁଡ଼ିକ ନିଜେ ପଢ଼ିବେ ଓ ଟ୍ୟୁଟୋରିଆଲ୍ କ୍ଲାସ୍‌ରେ ଅଧ୍ୟାପକଙ୍କଠାରୁ ବୁଝି ନପାରୁଥିବା ପାଠ୍ୟ ସମ୍ପର୍କରେ ପଚାରି ବୁଝିପାରିବେ। ଏହାଦ୍ୱାରା ସେମାନଙ୍କର ଜିଜ୍ଞାସା ବଢ଼ିବା ସହ ସମାଲୋଚନାତ୍ମକ ଚିନ୍ତାଶକ୍ତି, ଅନୁଶୀଳନ ଦକ୍ଷତା, ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇବ। ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ସେମିଷ୍ଟର୍‌କୁ ଉତ୍ତୀର୍ଣ୍ଣ କରିବା ପାଇଁ ବିଶ୍ବବିଦ୍ୟାଳୟଗୁଡ଼ିକ ମୁଖ୍ୟତଃ ଦୁଇଟି ପନ୍ଥା ଆପଣାଇ ପାରିବେ। ପ୍ରଥମତଃ ପୂର୍ବ ସେମିଷ୍ଟର୍‌ରେ ଛାତ୍ରଛାତ୍ରୀ ରଖିଥିବା ମାର୍କକୁ ଆଧାର କରି ପିଲାଙ୍କୁ ମାର୍କ ଦେବେ। ନ ହେଲେ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ ମାର୍କକୁ ବି ବିଚାରକୁ ନେଇପାରିବେ। ଲୋକସେବା ଭବନ‌ରେ ଅନୁଷ୍ଠିତ ଏହି ବୈଠକରେ ଉଚ୍ଚଶିକ୍ଷା ବିଭାଗ ଶାସନ ସଚିବ ଶାଶ୍ୱତ ମିଶ୍ର, ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସଙ୍କ ସମେତ ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଅନ୍ୟ ବିଶ୍ୱବିଦ୍ୟାଳୟର କୁଳପତିମାନେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ।

ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ବିଭାଗର ଏଭଳି ନିଷ୍ପତ୍ତିକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବିରୋଧ କରିଛି। ସଙ୍ଗଠନ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି‌ରେ କୁହାଯାଇଛି ଯେ ଏହି ସାମୂହିକ ପ୍ରମୋସନ୍‌ ଫଳରେ ଛାତ୍ରଛାତ୍ରୀଙ୍କ ବୌଦ୍ଧିକତାର ପରୀକ୍ଷା ହୋଇପାରିବ ନାହିଁ। କରୋନା ଏକ ଅସ୍ବାଭାବିକ ପରିସ୍ଥିତି ହୋଇଥିବାରୁ ପରୀକ୍ଷା ବିଳମ୍ବ ହେବା ଏକ ସ୍ବାଭାବିକ ପ୍ରକ୍ରିୟା। କିନ୍ତୁ ପରୀକ୍ଷା ବନ୍ଦ କରିବା ଆଦୌ ଗ୍ରହଣୀୟ ନୁହେଁ। ପରୀକ୍ଷା କରିବାର ସମସ୍ତ ବିକଳ୍ପ ଉପରେ ସରକାରୀ ଚିନ୍ତା କରିବା ଆବଶ୍ୟକ ବୋଲି ଏବିଭିପି ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର