ବିଜେପୁର : ସ୍ୱାଧୀନତାର ୭୨ ବର୍ଷ ପରେ ବି ‘ସାନ ସାହାଜବାହାଲ’ ଗାଁକୁ ନାହିଁ ସବୁ ଦିନିଆ ରାସ୍ତା, ଉପନିର୍ବାଚନ ବର୍ଜନ କରିବାକୁ ଗ୍ରାମବାସୀଙ୍କ ନିଷ୍ପତ୍ତି

ଗାଇସିଲାଟ୍‌ : ବିଜେପୁର ଉପନିର୍ବାଚନ ନେଇ ଏବେ ସବୁଠି ଚର୍ଚ୍ଚା। ଦୁଇବର୍ଷ ଭିତରେ ଦୁଇଟି ଉପନିର୍ବାଚନ ଓ ଗୋଟିଏ ସାଧାରଣ ନିର୍ବାଚନ ଏହି ନିର୍ବାଚନ ମଣ୍ଡଳୀ ସମ୍ମୁଖୀନ ହେବାକୁ ଯାଉଛି। ମାଳମାଳ ପ୍ରତିଶ୍ରୁତିରେ ଲୋକେ ପୋତି ହେଲେଣି। ଆଶ୍ଚର୍ଯ୍ୟର କଥା ସ୍ୱାଧୀନତାର ୭୨ ବର୍ଷ ପରେ ବି ଗାଇସିଲାଟରୁ ମାତ୍ର ୩ କିଲୋମିଟର୍‌ ଦୂରରେ ଥିବା ସାନ ସାହାଜବାହାଲ ଗାଁକୁ ସବୁ ଦିନିଆ ରାସ୍ତା ନାହିଁ। ବ୍ଳକ ସଦର ମହକୁମାକୁ ଆସିବାକୁ ହେଲେ ୩ କିଲୋମିଟର୍‌ ପରିବର୍ତ୍ତେ ତିନୋଟି ପଞ୍ଚାୟତ ଦେଇ ୧୫ କିଲୋମିଟର୍‌ ରାସ୍ତା ବୁଲି ଯିବାକୁ ପଡ଼ିଥାଏ। ହଜାରେରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଗ୍ରାମର ଲୋକେ ରାସନ, ପେନସନ,ବଜାର ପାଇଁ ଗାଇସିଲାଟ ଉପରେ ନିର୍ଭର କରିଥାନ୍ତି। ଏଥିପାଇଁ ସେମାନେ କ୍ଷୁଦ୍ର ଜଳସେଚନ ବିଭାଗର ହିଡରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଯିବା ଆସିବା କରିଥାନ୍ତି। ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ଓ ରାଜନେତାଙ୍କ ନିକଟରେ ଦାବି କରି ଆସୁଛନ୍ତି। ବିଗତ ବର୍ଷରେ ରାସ୍ତା ତିଆରି ପାଇଁ ଉଦ୍ୟମ ହୋଇଥିବା ବେଳେ ରୟତି ଜମିର ମାଲିକ ରାସ୍ତା ପାଇଁ ଜମି ଛାଡିଥିଲେ। କିନ୍ତୁ ସଂରକ୍ଷିତ ଜଙ୍ଗଲ ଜମି ବାଧକ ସୃଷ୍ଟି କରୁଛି। ଗ୍ରାମବାସୀ ଜଙ୍ଗଲ ବିଭାଗର ସବୁ ସରକାରୀ ନିୟମ ପାଳନ କରିଥିଲେ। ସଂରକ୍ଷିତ ଜଙ୍ଗଲ ଜମିରେ ରାସ୍ତା ତିଆରି ପାଇଁ ଜଂଗଲ ବିଭାଗ ଆବଶ୍ୟକ ଥିବା ୧ଏକର ୮୦ ଡେସିମିଲ ଜମି ପାଇଁ ଅନୁମତି ପ୍ରଦାନରେ ବିଳମ୍ବ ହେଉଥିବାରୁ ରାସ୍ତା ନିର୍ମାଣ ହୋଇପାରୁ ନାହିଁ। ତେବେ ରାସ୍ତା ନିର୍ମାଣ ନହେଲେ ଏଥର ଉପନିର୍ବାଚନ ବର୍ଜନ କରିବାକୁ ନିଷ୍ପତ୍ତି ହୋଇଥିବା ଗ୍ରାମର ସନକ ପଧାନ, ଅଚ୍ୟୁତାନନ୍ଦ ବାରିକ ଜଣାଇଛନ୍ତି।

ସମ୍ବନ୍ଧିତ ଖବର