୩ ବର୍ଷ ତଳେ ଲୋକେ ପୋଡ଼ିଥିଲେ ଠେମ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଏଯାଏ ମିଳିନି ଆମ୍ବୁଲାନ୍ସ, ନାହିଁ କାର୍ଯ୍ୟାଳୟ କୋଠା
ସମ୍ବଲପୁର : ତିନି ବର୍ଷ ତଳେ ୨୦୧୬ ସେପ୍ଟେମ୍ବର ୮ ତାରିଖରେ ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ୍ସ୍ଥିତ ଠେମରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଉତ୍ତ୍ୟକ୍ତ ଗ୍ରାମବାସୀ ସଂପୂର୍ଣ୍ଣ ପୋଡ଼ି ଦେଇଥିଲେ। ସେହି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣେ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ କେହି ଡାକ୍ତର ନଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ପଠାଇବାକୁ କୌଣସି ଆମ୍ବୁଲାନ୍ସ ବି ନ ଥିଲା। ତେଣୁ ଲୋକଙ୍କ କ୍ରୋଧ ଚରମରେ ପହଞ୍ଚିଥିଲା ଓ ସେମାନେ ଡାକ୍ତରଖାନାର ମୁଖ୍ୟ କୋଠାକୁ ସଂପୂର୍ଣ୍ଣ ଜାଳି ଦେଇଥିଲେ। ଡାକ୍ତରଖାନାର ବିଭିନ୍ନ ଉପକରଣ, ଯନ୍ତ୍ରପାତି ତଥା ସେହି କୋଠା ଭିତରେ ଥିବା ଏକ ଜିପ୍ ବି ଜଳି ନଷ୍ଟ ହୋଇ ଯାଇଥିଲା। ଇତିମଧ୍ୟରେ ୩ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ବି ଆଜି ଯାଏ ଏହି ଡାକ୍ତରଖାନାରେ ଆମ୍ବୁଲାନ୍ସ ନାହିଁ। ବିଶେଷଜ୍ଞ ଡାକ୍ତର ନାହାନ୍ତି। ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ସେଭଳି କୌଣସି ବିଶେଷ ବ୍ୟବସ୍ଥା ନାହିଁ। ଜଳି ଯାଇଥିବା କୋଠାଟି ବନ୍ଦ ହୋଇ ପଡ଼ି ରହିଛି। ତା’ ଭିତରେ ଅଧା ଜଳା ଗାଡ଼ି ଓ ଅନ୍ୟାନ୍ୟ ଉପକରଣ ସେମିତି ରହିଛି। ବର୍ତ୍ତମାନ ଅନ୍ୟ ପାର୍ଶ୍ବବର୍ତ୍ତୀ ଗୃହ ଓ ପ୍ରକୋଷ୍ଠ ଗୁଡ଼ିକରେ ଡାକ୍ତରଖାନା ଚାଲିଛି। ଯଦିଓ ଗତ ୩ ବର୍ଷ ମଧ୍ୟରେ ଡାକ୍ତରଖାନାରେ ଅନେକ ସୁଧାର ଆସିଛି, ଏକାଧିକ ଡାକ୍ତର ଓ କର୍ମଚାରୀ ନିଯୁକ୍ତ ହୋଇଛନ୍ତି, କିନ୍ତୁ କେବଳ ମୌଳିକ ଚିକିତ୍ସା ଯୋଗାଉଥିବା ଏହା ଏକ ସାଧାରଣ ଡାକ୍ତରଖାନାରେ ସୀମିତ ହୋଇ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବର୍ତ୍ତମାନ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଡାକ୍ତରଖାନାମାନଙ୍କରେ ‘ମୋ ସରକାର’ ଓ ୫-ଟି କାର୍ଯ୍ୟକାରିତାର ସ୍ଥିତି ଯାଞ୍ଚ କରିବାରେ ବ୍ୟସ୍ତ ଥିବାବେଳେ ଏହି ପ୍ରତିନିଧି ସମ୍ବଲପୁର ସହରର ଅନତି ଦୂରରେ ଥିବା ଠେମରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବାସ୍ତବ ସ୍ଥିତି ଜାଣିବାକୁ ପହଞ୍ଚିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରର ଆଉଟ୍ଡୋରରେ ୨ ଜଣ ଡାକ୍ତର ରୋଗୀଙ୍କୁ ଦେଖୁଥିଲେ। ଡାକ୍ତରଖାନାର ମୁଖ୍ୟ ବ୍ଲକ୍ ସାଧାରଣ ସ୍ବାସ୍ଥ୍ୟ ଅଧିକାରୀ ଡା. ରାଜେଶ କୁମାର ବାବୁ ଏବଂ ଅଧିକାଂଶ କର୍ମଚାରୀ ଉପସ୍ଥିତ ଥିଲେ। ଡାକ୍ତରଖାନାର ଅଧୀକ୍ଷକ ପଦ ଖାଲିଥିବା ବେଳେ ଡା. ବାବୁ ଦୋହରା ଦାୟିତ୍ବରେ ଅଛନ୍ତି। ଏହା ବ୍ୟତୀତ ୩ ଜଣ ଏମ୍ବିବିଏସ୍ (ଚୁକ୍ତିଭିତ୍ତିକ) ଡାକ୍ତର, ଜଣେ ଆୟୁଷ ଡାକ୍ତର ଅଛନ୍ତି। ଅବସର ପରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ଜଣେ ବରିଷ୍ଠ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ସପ୍ତାହକୁ ୨ ଦିନ ଆସି ରୋଗୀଙ୍କୁ ଦେଖୁଛନ୍ତି। ଡାକ୍ତରଖାନାର ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ୨ ଜଣ ଫାର୍ମାସିଷ୍ଟ, ୨ ଜଣ ଲ୍ୟାବ୍ ଟେକ୍ନିସିଆନ, ଜଣେ ଷ୍ଟାଫ ନର୍ସ, ଜଣେ ଏଏନ୍ଏମ୍, ଜଣେ ଷ୍ଟାଫ ନର୍ସ, ୪ ଜଣ ଆଟେଣ୍ଡାଣ୍ଟ ଓ ଜଣେ କୁକ୍ ରହିଛନ୍ତି।
କେବଳ ଜଣେ ଅଧୀକ୍ଷକଙ୍କ ବ୍ୟତୀତ ଏଠାରେ ଡାକ୍ତର ଓ କର୍ମଚାରୀ ଅଭାବ ନ ଥିଲେ ବି କେହି ବିଶେଷଜ୍ଞ ଡାକ୍ତର ନଥିବାରୁ ଲୋକଙ୍କୁ ଉନ୍ନତ ଚିକିତ୍ସା ମିଳିପାରୁ ନାହିଁ। ତେଣୁ ସେଠାରେ ସ୍ଥାୟୀଭାବେ ଜଣେ ଲେଖାଏଁ ପ୍ରସୂତି ଓ ସ୍ତ୍ରୀରୋଗ, ଅସ୍ଥିଶଲ୍ୟ, ଶିଶୁରୋଗ ଆଦି ବିଶେଷଜ୍ଞ ଡାକ୍ତର ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଡାକ୍ତରଖାନାରେ ଆମ୍ବୁଲାନ୍ସ ନ ଥିବାରୁ ଗୁରୁତର ରୋଗୀ, ବିଶେଷ କରି ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଲୋକଙ୍କୁ ତୁରନ୍ତ ସଦର ବା ବୁର୍ଲା ଡାକ୍ତରଖାନାକୁ ପଠାଇବା ସମ୍ଭବ ହେଉ ନାହିଁ। ଡାକ୍ତରଖାନାର ଏକ ମୁଖ୍ୟ କୋଠା ନ ଥିବାରୁ ସମସ୍ତ କାର୍ଯ୍ୟାଳୟ, ଆଉଟ୍ଡୋର, ଇନ୍ଡୋର ଇତ୍ୟାଦି ବିକ୍ଷିପ୍ତଭାବେ ଛୋଟଛୋଟ ପ୍ରକୋଷ୍ଠରେ ଚାଲୁଛି। ନିଜସ୍ବ ଗାଡ଼ି ନ ଥିବାରୁ ଫିଲ୍ଡ ଭିଜିଟ୍ରେ ଯାଉଥିବା ଡାକ୍ତର ଓ କର୍ମଚାରୀମାନେ ଭଡ଼ା ଗାଡ଼ି ଉପରେ ନିର୍ଭରଶୀଳ କରୁଛନ୍ତି। ଡାକ୍ତରଖାନାରେ ପାଣିର ସମସ୍ୟା ରହିଛି। ଡାକ୍ତରଖାନାର ଆବଶ୍ୟକ ପରିମାଣର ପାଣି ବୋରୱେଲ୍ରୁ ବାହାରୁ ନାହିଁ। ପିଏଚ୍ଡି ଲାଇନ୍ ପାଇଁ ଆବେଦନ କରା ଯାଇଥିଲେ ବି ଏଯାଏ ଲାଗି ପାରିନାହିଁ। ତେବେ ଡାକ୍ତର ଓ କର୍ମଚାରୀଙ୍କ ଉଦ୍ୟମରେ ଡାକ୍ତରଖାନାରେ ଅନେକ ସୁଧାରମୂଳକ କାର୍ଯ୍ୟ କରାଯାଉଛି। ଡାକ୍ତରଖାନାରେ ମୁଖ୍ୟ ଗେଟ୍ ଲଗାଯାଇଛି। ଏକ ହର୍ବାଲ ଗାର୍ଡେନ ଓ ଲନ୍ ପାଇଁ ଜମି ପ୍ରସ୍ତୁତ କରାଯାଉଛି। ରୋଗୀଙ୍କ ବସିବା, ରେଜିଷ୍ଟ୍ରେସନ, ଔଷଧ ନେବା ପାଇଁ ସୁବିଧା କରାଯାଇଛି।
ଡାକ୍ତରଖାନର ଇନ୍ଡୋର୍ରେ ୬ଟି ଶଯ୍ୟାର ବ୍ୟବସ୍ଥା ଅଛି। ତେବେ ଡାକ୍ତରଖାନାରେ ସାଧାରଣ (ବିନା ଅସ୍ତ୍ରୋପଚାର) ପ୍ରସବ କରାଯାଉଛି। ମାସକୁ ୫ରୁ ୧୦ ଜଣ ମହିଳାଙ୍କର ପ୍ରସବ ହେଉଛି। ପ୍ରତି ବୁଧବାର ଟୀକା ଦିଆଯାଉଛି। ଡାକ୍ତରଖାନାରେ ଗ୍ରୁପ୍ ଟେଷ୍ଟିଂ, ଡିସି, ମ୍ୟାଲେରିଆ ଭଳି ବିଭିନ୍ନ ପରୀକ୍ଷା ନିଦାନ ଯୋଜନାରେ ମାଗଣାରେ କରାଯାଉଛି।