ଘରମାଲିକଙ୍କୁ ବାନ୍ଧି ଚୋର ନେଇଗଲେ ୧୫ ଲକ୍ଷ ଟଙ୍କାର ଗହଣା ଓ ନଗଦ ଟଙ୍କା

ନାଲ୍‌କୋନଗର: ରବିବାର ରାତି ପ୍ରାୟ ତିନିଟା ବେଳେ ଅନଗୁଳ ଜିଲ୍ଲାର ନାଲ୍‌କୋନଗର ଥାନା ଅଧୀନ କୁଲାଡ଼ ପେଟ୍ରୋଲ୍‌ ପମ୍ପ୍‌ ସମ୍ମୁଖରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ପଶି ଡକାୟତମାନେ ଗହଣା ଓ ଟଙ୍କା ନେଇ ପଳାଇଛନ୍ତି।

ଘରମାଲିକ ବରଦାପ୍ରସନ୍ନ ପଟ୍ଟନାୟକଙ୍କ କହିବା ଅନୁସାରେ, ଚୋର ଦଳରେ ଛଅଜଣ ଥିଲେ। ଦୁଇ ମହଲା ତିଆରି ଚାଲିଥିବା ଘରଟିର ପଛପଟେ ଥିବା ଝରକାର ଗ୍ରିଲ୍‌ ତାଡ଼ି ୪ ଜଣ ଚୋର ଭିତରେ ପଶିଥିଲେ ଓ ଅନ୍ୟ ଦୁଇ ଜଣ ବାହାରେ ରହିଥିଲେ।

ସେତେବେଳେ ବରଦାପ୍ରସନ୍ନ, ତାଙ୍କ ପତ୍ନୀ ଓ ସେମାନଙ୍କର ଗୋଟିଏ ପିଲା ଗୋଟିଏ କୋଠରିରେ ଶୋଇଥିଲେ। ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା ଓ ଦୁଇଜଣ ଠେଙ୍ଗା ଓ ଅନ୍ୟ ଦୁଇଜଣ ଛୁରି ଧରିଥିବା ସେ ଚୋରମାନେ ବରଦାଙ୍କ ଗୋଡ଼ହାତ ବାନ୍ଧି ପକାଇ ସମସ୍ତଙ୍କୁ ଚୁପ୍‌ ରହିବାକୁ ଧମକ ଦେଇଥିଲେ।

କୋଠରିର ଜିରୋ ଆଲୁଅରେ ମୁହଁରେ ଗାମୁଛା ବାନ୍ଧିଥିବା ଦୁର୍ବୃତ୍ତମାନେ ତାଙ୍କ ପତ୍ନୀଙ୍କ ଠାରୁ ଚାବି ନେଇ ଷ୍ଟିଲ୍‌ ଆଲମିରାରୁ ପ୍ରାୟ ୧୫ ଲକ୍ଷ ଟଙ୍କାର ଗହଣା ନେବା ସହ ବେଡ୍‌ବକ୍ସ୍‍ରେ ଥିବା ନଗଦ ଟଙ୍କା କାଢ଼ି ଦେବାକୁ ତାଙ୍କୁ କହିଥିଲେ।

ଏସବୁ ଜିନିଷ ହସ୍ତଗତ କରିବା ପରେ ଆନୁମାନିକ ୪୫ ବର୍ଷ ବୟସର ସେ ଚୋରମାନେ ପୁଣି ଝରକା ବାଟେ ନ ଯାଇ ଅନ୍ୟ ଗୋଟିଏ କବାଟ ଖୋଲି ବାହାରପଟୁ ବନ୍ଦ କରି ପଳାଇଥିଲେ। ଗଲାବେଳେ କହିଲେ କି, ଏବେ ବାହାରକୁ ବାହାରିଲେ ଆମ ଲୋକେ ତୁମକୁ ଗୁଳି କରି ମାରିଦେବେ।

ସେମାନେ ଯିବାର ୧୦ ମିନିଟ୍‌ ପରେ ବରଦାଙ୍କ ପରିବାର ବାହାରକୁ ଆସି କାହାକୁ ନ ଦେଖି ପୁଲିସକୁ ଫୋନ୍‌ କରିଥିଲେ। ରାତି ୩: ୩୦ ସୁଦ୍ଧା ପୁଲିସ ସନ୍ଧାନୀ କୁକୁର ସହ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଘଟଣାସ୍ଥଳରୁ ପୁଲିସ ଚୋରମାନେ ଛାଡ଼ି ଯାଇଥିବା ଗ୍ରିଲ୍‌ ତଡ଼ା ଲୁହା ଉପକରଣ ଓ ତଡ଼ାଯାଇଥିବା ଗ୍ରିଲ୍‌ ଜବତ କରିଛି।

ସମ୍ବନ୍ଧିତ ଖବର