ଏଣିକି ଟ୍ରେନ ଭିତରକୁ କିନ୍ନର ମନା

ଭୁବନେଶ୍ବର: ଏଣିକି ଷ୍ଟେସନ ହେଉ କିମ୍ବା ଟ୍ରେନ। କିନ୍ନରମାନେ ପ୍ରବେଶ କରି‌ବେ ନାହିଁ। ଯାତ୍ରୀ ହିସାବରେ ସେମାନେ ଯାଇ ପାରିବେ କିନ୍ତୁ ଭିକ୍ଷାବୃତ୍ତି କରି ପାରିବେ ନାହିଁ। ଆଜି ରେଲୱେ କତୃର୍ପକ୍ଷ, ଆରପିଏଫ ଓ ରେଳବାଇ ପୁଲିସ ଏକ ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିପାଇଁ କିନ୍ନରମାନଙ୍କ ସହିତ ପ୍ରଥମେ ଆଲୋଚନା କରାଯିବ, ସେମାନେ ରହୁଥିବା ସ୍ଥାନକୁ ଯାଇ ପୁଲିସ ସେମାନଙ୍କୁ ବୁଝାଇବ। ଯଦି ସେମାନେ ଏହାକୁ ନ ମାନି ଷ୍ଟେସନ ଓ ଟ୍ରେନ ଭିତରେ ଭିକ୍ଷାବୃତ୍ତି କରନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଷ୍ଟେସନ ଓ ଟ୍ରେନ ଭିତରେ ଯାତ୍ରୀଙ୍କ ସୁରକ୍ଷା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। କେମିତି ଯାତ୍ରୀମାନେ ସୁରକ୍ଷିତ ଭାବେ ଯାତ୍ରା କରି ପାରିବେ। ବିଶେଷକରି ମହିଳା ଓ ଶିଶୁ ଯାତ୍ରୀମାନଙ୍କ ସୁରକ୍ଷାକୁ କିଭଳି ପ୍ରଧାନ୍ୟ ଦିଆଯାଇ ପାରିବ ତା ଉପରେ ସବିଶେଷ ଆଲୋଚନା ହୋଇଥିଲା। କିଭଳି ନିଶାଦିଆ ଲୁଟେରାଙ୍କଠାରୁ ଆରମ୍ଭ କରି ଲୁଟେରାମାନଙ୍କ ହା‌ବୁଡ଼ରେ ଯାତ୍ରୀମାନେ ନ ପଡ଼ିବେ ସେନେଇ ପୁଲିସ ଯତ୍ନବାନ ହେବ। ଏଥିପାଇଁ ଜିଆରପି ଓ ରେଲୱେ ପୁଲିସ ମଧ୍ୟରେ ଏକ ହ୍ବାଟସଆପ୍ ଗ୍ରୁପ ଗଠନ କରାଯିବ। ଏହି ଗ୍ରୁପ ମାଧ୍ୟମରେ ପେଶାଦାର ରେଳବାଇ ଅପରାଧୀମାନଙ୍କ ଫଟୋ ସେୟାର କରାଯିବ। ସେହିପରି ଗ୍ରୁପ ମାଧ୍ୟମରେ ତଥ୍ୟର ମଧ୍ୟ ଆଦାନ ପ୍ରଦାନ କରାଯିବ। ଟ୍ରେନରେ ନିଶା, ମାରଣାସ୍ତ୍ର ଚାଲାଣ ଉପରେ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବାକୁ ଆଲୋଚନା ହୋଇଥିଲା। ସେହିପରି ଜିଆରପି କର୍ମଚାରୀମାନଙ୍କୁ ମଧ୍ୟ ବୋମା ନିଷ୍କ୍ରିୟ କରାଯିବା ନେଇ ତାଲିମ ପ୍ରଦାନ କରାଯିବ। ସମସ୍ତ ଷ୍ଟେସନରେ ବ୍ୟାଗେଜ ସ୍କାନର ଲଗାଯିବା ସହିତ ସିସି କ୍ୟାମେରା ଲଗାଯିବାକୁ କୁହାଯାଇଛି। ଆଗକୁ ରଥଯାତ୍ରା ଆସୁଥିବାରୁ ପୁରୀକୁ ଯିବା ଆସିବା କରିବାକୁ ଥିବା ଟ୍ରେନରେ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ବୈଠକ ସ୍ଥିର ହୋଇଥିଲା।

ସମ୍ବନ୍ଧିତ ଖବର