ତୃତୀୟ ରଥଯାତ୍ରା ସମନ୍ଵୟ ବୈଠକ : ସ୍ୱାସ୍ଥ୍ୟ ଓ ପରିମଳ ସେବାକୁ ନେଇ ଉଦ୍‌ବେଗ

ପୁରୀ : ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ସଫଳ କରିବା ପାଇଁ ଆଜି ତୃତୀୟ ରଥଯାତ୍ରା ସମନ୍ଵୟ ବୈଠକ ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଜସ୍ୱ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଶୃଙ୍ଖଳିତ ରଥଯାତ୍ରା, ରଥକାଠ ଯୋଗାଣ, ରଥ ମରାମତି ଓ ରଥ ଦଉଡ଼ିକୁ ନେଇ ଆଲୋଚନା ହୋଇଥିଲା। ରଥ ଚାରମାଳ ପାଇଁ ଆବଶ୍ୟକ ପଡୁଥିବା ତାଳ କାଠ ଏ ଯାଏ ଆସିନାହିଁ। ଏଥି ପାଇଁ ଖୋର୍ଦ୍ଧା ବାଣପୁର ଅଞ୍ଚଳରୁ ପ୍ରାୟ ୫୭ରୁ ଅଧିକ ତାଳ ଗଛ ଚିହ୍ନଟ କରାଯାଇଛି ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ବୈଠକରେ ସୂଚନା ଦିଆଯାଇଥିଲା। କତା ନିଗମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ରଥ ଦଉଡି ସମସ୍ୟା ଉପରେ ଆଲୋଚନା ହୋଇଥିବା ବେଳେ ରଥ ଦଉଡିକୁ ନେଇ କୌଣସି ସମସ୍ୟା ରହିବ ନାହିଁ ବୋଲି ଶ୍ରୀମନ୍ଦିରର ନୀତି ପ୍ରଶାସକ ପ୍ରଦୀପ ଦାଶ କହିଥିଲେ। ତିନି ରଥ ପାଇଁ ୧୨ଟି ଦଉଡି ଆବଶ୍ୟକ ରହିଛି। ଏଥର ୧୪ଟି ଦଉଡି ବରାଦ ଥିବା ବେଳେ ୧୨ଟି ଦଉଡି ଆସିସାରିଛି। କତା ନିଗମ କର୍ମଚାରୀ ଆନ୍ଦୋଳନ ପ୍ରତ୍ୟାହାର ନ କଲେ ବି ସମସ୍ୟ ରହିବ ନାହିଁ। ପୂର୍ବରୁ ପ୍ରାୟ ୨୦ଟି ପୁରୁଣା ରଥ ଦଉଡି ରହିଛି। ଆବଶ୍ୟକ ପଡିଲେ ପୁରୁଣା ଦଉଡିକୁ ବ୍ୟବହାର କରାଯିବ ବୋଲି ଶ୍ରୀ ଦାଶ କହିଥିଲେ। ଆସନ୍ତାକାଲି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ଜିଲ୍ଲାପାଳ ରଥ ଦଉଡି କାମର ଅଗ୍ରଗତି ସଂପର୍କରେ ଅବଗତ ହେବା ପାଇଁ କତା ନିଗମ କର୍ମଚାରୀଙ୍କୁ ଭେଟିବେ ବୋଲି ସ୍ଥିର ହୋଇଥିଲା।

ରଥଯାତ୍ରା ମୁଣ୍ଡ ଉପରେ ଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଚଳାବସ୍ଥାକୁ ନେଇ ବୁଦ୍ଧିଜୀବୀମାନେ ସିଡିଏମ୍‌ଓଙ୍କ ଘେରିଥିଲେ। ପୁରୀରେ ବାସି ଖାଦ୍ୟ ବିକ୍ରିକୁ ନେଇ ବୈଠକରେ ପ୍ରବଳ ହୋହଲ୍ଲା ହୋଇଥିଲା। ୪ ଜଣ ଖାଦ୍ୟ ନିରାପତ୍ତା ଅଧିକାରୀ ଏହାର ତଦାରଖ କରୁଛନ୍ତି। ବିଗତ ଦିନରେ ୪୬୪ଟି ଦୋକାନରେ ଚଢଉ କରାଯାଇ ଖାଦ୍ୟ ନଷ୍ଟ କରାଯାଇଥିବା ସୂଚନା ଦିଆଯାଇଥିଲା। ପୁରୀ ସ୍ୱର୍ଗଦ୍ଵାର ଅଞ୍ଚଳରେ ବିକ୍ରି ହେଉଥିବା ଆମିଷ ଖାଦ୍ୟକୁ ନେଇ ବି ବୈଠକରେ ଉଷ୍ମତା ପ୍ରକାଶ ପାଇଥିଲା। ଏଣିକି ଖାଲି ଚଢଉ କରାଯିବ ନାହିଁ, ବାସି ଖାଦ୍ୟ ବିକ୍ରି କରୁଥିବା ଦୋକାନୀଙ୍କ ବିରୋଧରେ ଏତଲା ଦିଆଯିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ରଥଯାତ୍ରା ପାଇଁ ୩୦ଟି ଫାଷ୍ଟ୍‌ ଏଡ ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ହୋଇଛି। ରଥଯାତ୍ରା ସମୟରେ ନିରବିଚ୍ଛିନ୍ନ ଜଳ ଯୋଗାଣ, ଅଧିକ ପାଣି ଟାଙ୍କିର ବ୍ୟବସ୍ଥା ଏବଂ ଇଣ୍ଡଷ୍ଟ୍ରିଆଲ ବ୍ଲାୱାର ମାଧ୍ୟମରେ ଜଳ ସିଞ୍ଚନ କରିବାକୁ ନିଷ୍ପତ୍ତି ହୋଇଛି। ରଥଯାତ୍ରା ସମୟରେ ଯେଭଳି ବିଦ୍ୟୁତ୍‌ କାଟ ହେବ ନାହିଁ ସେଥିପ୍ରତି ଧ୍ୟାନ ଦେବାକୁ ସେସୁ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ରଥଯାତ୍ରା ସମୟରେ ଅଧିକ ବସ୍‌ ଚଳାଚଳ ସଂପର୍କରେ ଆଲୋଚନା କରାଯାଇଥିଲା।

ରେଳ ବିଭାଗ ପକ୍ଷରୁ ୧୮୬ଟି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। ରେଳ ଯାତ୍ରୀଙ୍କୁ ୧୫ ଟଙ୍କାରେ ଖାଦ୍ୟ ପୁଡିଆ ଦେବା ଲାଗି ରେଳବାଇ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଯାତ୍ରୀଙ୍କ ନିରାପତ୍ତା ପାଇଁ ପୁରୀ ରେଳ ଷ୍ଟେନ୍‌ରେ ଅଧିକ ସିସିଟିଭି କ୍ୟାମେରା ଲଗାଯିବା ସହିତ ଟ୍ରେନ୍‌ ଚଳାଚଳ ଓ ଫେରାନ୍ତା ଟ୍ରେନ୍‌ ସଂପର୍କରେ ସବିଶେଷ ସୂଚନା ପ୍ରଦାନ କରିବାକୁ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ପରାମର୍ଶ ଦେଇଥିଲେ। ରଥଯାତ୍ରା ପାଖେଇ ଆସୁଥିବା ବେଳେ ସହରର ମୁଖ୍ୟ ଡ୍ରେନ୍‌ ସହିତ ସାହି ଗଳିକନ୍ଦିଗୁଡ଼ିକର ଡ୍ରେନ୍‌ ଠିକ ଭାବେ ସଫା ହୋଇନାହିଁ। ନାଳ ସଫା କାର୍ଯ୍ୟ ସରିଥିବା ନେଇ ପୌର ସଂସ୍ଥା ସଫେଇ ଦେଇଥିବା ବେଳେ ବଳକା କାମ ଆସନ୍ତା ୩୦ ତାରିଖ ସୁଦ୍ଧା ଶେଷ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ବଡଦାଣ୍ଡରେ ଜମି ରହୁଥିବା ବର୍ଷା ଜଳ ନିଷ୍କାସନ ପାଇଁ ଅଧିକ ପମ୍ପସେଟ୍‌ ରଖାଯିବ।

ସେହିପରି ଟ୍ରାଫିକ କଟକଣାକୁ ନେଇ ପୁରୀ ସହରବାସୀ ହନ୍ତସନ୍ତ ହେଉଥିବା ଅଭିଯୋଗ ଆସିବା ପରେ ଏ ନେଇ ପ୍ରତି ସାହିରେ ପୁଲିସ ସହିତ ସମନ୍ଵୟ ବୈଠକ ଡକାଯାଇ ବାଇକ୍‌ ପାସ ଦିଆଯିବ ବୋଲି ଏସ୍‌ପି ଡାକ୍ତର ସାର୍ଥକ ଷଡଙ୍ଗୀ ସୂଚନା ଦେଇଥିଲେ। ସାହି ଲୋକଙ୍କୁ ଚିହ୍ନଟ କରିବା ଲାଗି ଜଣେ ଲେଖା ସ୍ଥାନୀୟ ହୋମଗାର୍ଡ ଓ ପୁଲିସଙ୍କୁ ନିଯୁକ୍ତି ଦିଆଯିବ। ସୁରକ୍ଷା ପାଇଁ ୧୪୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯିବ। ସୁରକ୍ଷା ଦାୟିତ୍ଵରେ ଦୁଇ ଜଣ ଆଇଜି ଓ ଏଡିଜି ତଦାରଖ କରିବେ ବୋଲି ସୂଚନା ଦିଆଯାଇଥିଲା। ବୈଠକରେ ନଗର ଉନ୍ନୟନ ଓ ଜଳ ସଂପଦ ମନ୍ତ୍ରୀ ନିରଂଜନ ପୂଜାରୀ, ଶ୍ରମ ଓ ନିୟୋଜନ ମନ୍ତ୍ରୀ ସୁଶାନ୍ତ ସିଂହ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, କେନ୍ଦ୍ରାଞ୍ଚଳ ଆରଡିସି ଡିଭି ସ୍ୱାମୀ, ଆଇଜି ଅମିତାଭ ଠାକୁର, ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ୍‌ପି ଡାକ୍ତର ସାର୍ଥକ ଷଡଙ୍ଗୀ, ପୁରୀ ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସ, ପୁରୀ ନଗରପାଳ ଜୟନ୍ତ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର