ସମ୍ବଲପୁର ବିଶ୍ବବିଦ୍ୟାଳୟର ୩୦ତମ ସମାବର୍ତ୍ତନ ଉତ୍ସବ : ୫ ଟ୍ରିଲିୟନ୍ ଅର୍ଥନୀତି ପାଇଁ ଠିକଣା ପଥରେ ଆଗଉଛୁ – ପି.କେ.ମିଶ୍ର

ସମ୍ବଲପୁର : ଏକ ନୂଆ ଭାରତ ଗଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ସ୍ବପ୍ନ ଦେଖିଛନ୍ତି ତାକୁ ସାକାର କରିବା ପାଇଁ ଅନେକ ଭିନ୍ନ ପ୍ରୟାସ କରାଯାଉଛି। ୨୦୨୪ ସୁଦ୍ଧା ଭାରତକୁ ଏକ ୫ ଟ୍ରିଲିୟନ୍ ଡଲାର୍ ଅର୍ଥନୀତିରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ଧ‌ାର୍ଯ୍ୟ କରିଛନ୍ତି। ଏହା ଏକ ମହତ୍ବାକାଂକ୍ଷୀ‌ ଅଭିଳାଷ ହୋଇଥିଲେ ବି ଆମେ ଠିକଣା ପଥରେ ଅଛୁ ଓ ଏହାକୁ ହାସଲ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛୁ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ ମିଶ୍ର କହିଛନ୍ତି।

ଆଜି ସମ୍ବଲପୁର ବିଶ୍ବବିଦ୍ୟାଳୟର ୩୦ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଡ. ମିଶ୍ର କହିଲେ, ଆମର ଅର୍ଥନୈତିକ ଭିତ୍ତି ସୁଦୃଢ଼ ରହିଛି। ୨୦୧୪ରୁ ୨୦୧୯ ମଧ୍ୟରେ ଆମର ୭.୫%ର ବାର୍ଷିକ ହାରାହାରି ଅଭିବୃଦ୍ଧି ହାର ସ୍ବାଧୀନତା ପରଠାରୁ ସବୁଠୁ ଅଧିକ। ଜି-୨୦ ଦେଶମାନଙ୍କ ଭିତରେ ବି ଏହା ସର୍ବାଧିକ। ଗତ ୫ ବର୍ଷ ମଧ୍ୟରେ ଦେଶକୁ ସ୍ଥୁଳ ଅର୍ଥନୈତିକ ସ୍ଥିରତା ମିଳିଛି ଯାହା ବିଭିନ୍ନ ସୁଧାରମୂଳକ ପଦକ୍ଷେପ ନେବାରେ ସହାୟକ ହୋଇଛି। ଗତ ୫ ବର୍ଷ ମଧ୍ୟରେ ମୁଦ୍ରାସ୍ଫୀତି, ବିତ୍ତୀୟ ନିଅଣ୍ଟ ଓ ଚଳନ୍ତି ଜମା ନିଅଣ୍ଟ ହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ଇନ୍‌ସଲଭେନ୍‌ସି ଆଣ୍ଡ ବ୍ୟାଙ୍କରପ୍‌ସି କୋଡ୍ (ଆଇବିସି) ଏବଂ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ର ପ୍ରଚଳନ, ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ)ର ଉଦାରୀକରଣ ଆଦି ମୌଳିକ ସୁଧାରମୂଳକ ପଦକ୍ଷେପ ଦେଶର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହୋଇଛି ବୋଲି ଡ. ମିଶ୍ର କହିଥିଲେ।

ବିଶ୍ବବିଦ୍ୟାଳୟରୁ ଡିଗ୍ରି ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇ ଡ. ମିଶ୍ର କହିଲେ, ଆମେ ସବୁବେଳେ ନିଜ ଅଧିକାର କଥା ଚିନ୍ତା କରୁ। କିନ୍ତୁ ଦାୟିତ୍ବ ଓ କର୍ତ୍ତବ୍ୟ ସଂପର୍କରେ ଭାବୁନା। ଗାନ୍ଧୀଜୀ କହିଥିଲେ ‘ଆମେ ସମସ୍ତେ ଯଦି ନିଜ କର୍ତ୍ତବ୍ୟ ଠିକ୍‌ରେ କରିବା ତାହେଲେ ଅଧିକାର ଆପେ ସମସ୍ତଙ୍କୁ ମିଳିବ। ତେଣୁ ଯଦି ଆମେ ସମସ୍ତେ ନିଜ କର୍ତ୍ତବ୍ୟ ସଂପର୍କରେ ସଚେତନ ହେବା ତା‌ହେଲେ ୧୫୦ତମ ଜୟନ୍ତୀରେ ତାହା ବାପୁଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ସମ୍ବଲପୁର ବିଶ୍ବବିଦ୍ୟାଳୟ ସହିତ ନିଜ ସଂପର୍କକୁ ମନେ ପକାଇ ଡ. ମିଶ୍ର କହିଲେ, ମୁଁ ନିଜ ଗ୍ରାଜୁଏସନ୍‌ର ୩ଟି ଯାକ ପରୀକ୍ଷା ଏହି ବିଶ୍ବବିଦ୍ୟାଳୟ ଅଧୀନରେ ଦେଇଛି। ମୁଁ ଏହି ବିଶ୍ବବିଦ୍ୟାଳୟର ପ୍ରଥମ ବ୍ୟାଚ୍ ଛାତ୍ର ମଧ୍ୟରୁ ଜଣେ। ଏହି ବିଶ୍ବବିଦ୍ୟାଳୟ ସହ ମୋର ଅନେକ ମଧୁର ସ୍ମୃତି ରହିଛି।

ସମାବର୍ତ୍ତନ ଉତ୍ସବରେ ସଭାପତିତ୍ବ କରି ବିଶ୍ବବିଦ୍ୟାଳୟର କୁଳାଧିପତି ତଥା ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଲେ, ଜଗତର ସର୍ବପ୍ରଥମ ଦୀକ୍ଷାନ୍ତ ଭାଷଣ ପ୍ରଭୁ ଶ୍ରୀକୃଷ୍ଣ ଦେଇଥିଲେ ଅର୍ଜୁନଙ୍କ ସମ୍ମୁଖରେ ଯୁଦ୍ଧଭୂମି କୁରୁକ୍ଷେତ୍ରରେ। ମହାଜ୍ଞାନୀ ଓ ମହାଯୋଦ୍ଧା ହୋଇ ବି ଅର୍ଜୁନ ରଣଭୂମିରେ ଅସ୍ତ୍ରତ୍ୟାଗ କରି ବସିଥିଲେ। କିନ୍ତୁ କୃଷ୍ଣଙ୍କ ବାଣୀ ଶୁଣିବା ପରେ ସେ ଅବସାଦ ବଳୟରୁ ବାହାରକୁ ଆସିଥିଲେ ଓ ନିଜ ଦାୟିତ୍ବ, କର୍ତ୍ତବ୍ୟ ସଂପର୍କରେ ସଚେତନ ହୋଇ ଧର୍ମର ଜୟ ପାଇଁ ଯୁଦ୍ଧ କରିଥିଲେ। ‌ତେଣୁ କେବଳ ଶିକ୍ଷା ହାସଲ କରିବା ବଡ଼ କଥା ନୁହେଁ, ତାର ସଦୁ‌ପଯୋଗ ପାଇଁ ଆମ ଭିତରେ ସେହି ଐଶ୍ବରୀୟ ଚେତନା ଓ ଉତ୍ସର୍ଗୀକୃତ ଭାବନା ରହିବା ଦରକାର। ସମସ୍ତଙ୍କୁ ଆପଣାର କରି ପାରିଲେ ହିଁ ଆମର ଶିକ୍ଷା ସାକାର ହେଲା ବୋଲି କୁହାଯିବ। ସେହି ଶିକ୍ଷା କି ଶିକ୍ଷା ଯାହା ମୋତେ ମୋ ମିତ୍ରଠୁ ଅଲଗା କରିଦେବ, ସେହି ଶିକ୍ଷା ବା କି ଶିକ୍ଷା ଯାହା ମୋତେ ଅନ୍ୟର ବନ୍ଧୁ ନ କରିବ। ତେଣୁ ସମସ୍ତଙ୍କୁ ସ୍ବୀକାର କର, ସମସ୍ତଙ୍କୁ ଭଲ ପାଅ ବୋଲି ରାଜ୍ୟପାଳ ନିଜ ବକ୍ତବ୍ୟରେ କହିଥିଲେ।

କୁଳପତି ପ୍ର. ଦୀପକ କୁମାର ବେହେରା ସ୍ବାଗତ ଭାଷଣ ଦେଇ ୩୦ତମ ସମାବର୍ତ୍ତନ ଉତ୍ସବରେ ପ୍ରଦାନ କରା ଯାଉଥିବା ବିଭିନ୍ନ ଉପାଧି ଓ ଡିଗ୍ରି ସଂପର୍କରେ ସୂଚନା ଦେଇଥିଲେ। ଏଥି ସହ ବିଗତ ଦିନରେ ବିଶ୍ବବିଦ୍ୟାଳୟର ବିଭିନ୍ନ ସଫଳତା ଓ ଉପଲବ୍‌ଧି ବିଷୟରେ କହିଥିଲେ। କୁଳସଚିବ ପ୍ର. ସଂଜତ କୁମାର ସାହୁଙ୍କ ତତ୍ତ୍ବାବଧାନରେ ଉପାଧି ଓ ଡିଗ୍ରି ପ୍ରଦାନ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ସମ୍ବନ୍ଧିତ ଖବର