ଦୁଃଖ ଦୁର୍ଦ୍ଦିନରେ ପରିଚାରିକା

ସେଦିନ ରାଜଉଆସ ଆଜି ରାଜରାସ୍ତା

ରେଢ଼ାଖୋଲ: ରେଢ଼ାଖୋଲ ରାଜପ୍ରାସାଦରେ ଏକଦା ଦାସୀ ବା ପରିଚାରିକା ଭାବରେ ପ୍ରାୟ ୫୦ ବର୍ଷ ଧରି ସେବା କରିଥିବା ଶଙ୍କରୀ ବାଈ ଏବେ ଅତ୍ୟନ୍ତ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। ସେତେବେଳେ ସୁଦୂର ଗୁଜରାଟରୁ ଆସି ଏଠାରେ ରହିଥିବା ଶତାୟୁ ଶଙ୍କରୀ ବାଈ ଏବେ ଗଣ୍ଡେ ଖାଇବାକୁ ପାଉନାହାନ୍ତି। ୫୦ ଦଶକରେ ରେଢ଼ାଖୋଲ ରାଜ ପରିବାରର ସତ୍ୟନାରାୟଣ ଦେଓଙ୍କୁ ଗୁଜରାଟର କନକ ଦେବୀଙ୍କୁ ବିବାହ କରିଥିଲେ। ତାଙ୍କ ସହ ଦାସୀ ଭାବେ ଶଙ୍କରୀ ବାଈ ମଧ୍ୟ ରେଢ଼ାଖୋଲ ରାଜପ୍ରାସାଦକୁ ଆସିଥିଲେ। ସେହି ଦିନଠାରୁ ଆଜି ଯାଏ ଶଙ୍କରୀ ନିଜ ଘର ଗୁଜରାଟର ଅହମ୍ମଦାବାଦକୁ ଫେରି ନାହାନ୍ତି। ତାଙ୍କ କହିବାନୁସାରେ, ରାଣୀଙ୍କ ନିକଟତର ହୋଇଥିବାରୁ ସୈନ୍ୟସାମନ୍ତ, କଟୁଆଳ, ଚାକର ସମସ୍ତେ ତାଙ୍କୁ ଖାତିର କରୁଥିଲେ। ସେ ଭଲ ରୋଷେଇ କରୁଥିବା ଯୋଗୁଁ ରାଜପ୍ରାସାଦରେ ସମସ୍ତଙ୍କ ଅତି ପ୍ରିୟ ଭାଜନ ହୋଇପାରିଥିଲେ।

ରାଜତନ୍ତ୍ରର ପରିସମାପ୍ତି ପରେ ତାଙ୍କର ମଧ୍ୟ ଜୀବନରେ ନୂଆ ମୋଡ଼ ନେଲା। ଗୁଜରାଟ ନଫେରି ସେ ପଡ଼ି ରହିଲେ ରାଜବାଟୀରେ। ରାଜବାଟୀ ପରିସରରେ ଏକ ଭଂଗା ଦଦରା ଘରେ ଅଲୋଡ଼ା ଜୀବନ ବଂଚୁଛନ୍ତି ଶଙ୍କରୀ। ବହୁ ବର୍ଷ ହେଲା ତାଙ୍କର ସ୍ୱାମୀ ପରପାରିକୁ ଚାଲି ଗଲେଣି। ୩ ପୁଅଙ୍କ ମଧ୍ୟରୁ ବଡ଼ ପୁଅ ଅନେକ ବର୍ଷ ହେଲା କୁଆଡ଼େ ଗଲେ ଯେ ତାଙ୍କର ଖୋଜ୍‌ଖବର ନାହିଁ। ମଝିଆ ପୁଅ ମଧ୍ୟ କିଛି ଦିନ ତଳେ ପ୍ରାଣ ହରାଇଛନ୍ତି। ସାନ ପୁଅ ବେକାର୍‌। କାମଧନ୍ଦା କିଛି ନାହିଁ। ତେବେ, ଏନ୍‌ଏସି ପକ୍ଷରୁ ତାଙ୍କୁ ୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ମିଳୁଥିଲା। କିଛି ମାସ ହେଲା ବୋହୂ ଭତ୍ତା ବାବଦର କାଗଜପତ୍ର ନେଇଯାଇଛନ୍ତି। ରାଜବାଟୀ ପରିସର ଘରୁ ମଧ୍ୟ ଜବରଦସ୍ତି ତାଙ୍କୁ ବାହାର କରିଦିଆଯାଇଥିବା ଶଙ୍କରୀ କହିଛନ୍ତି। ଶଙ୍କରୀଙ୍କ ଚାଲିବାକୁ ମଧ୍ୟ ଶକ୍ତିିନାହିଁ। ଗୁରୁଣ୍ଡି ଗୁରୁଣ୍ଡି ଯାଉଛନ୍ତି । ଦୟା ପରବଶ ହୋଇ ଯିଏ କେହି ଯଦି କିଛି ଦିଏ ସେତିକି ଖାଇ ବଞ୍ଚିଛନ୍ତି। ଏପରିକି ବେବେଳେ ଓଳିଏ ସୁଦ୍ଧା ଖାଇବାକୁ ନପାଇ ଭୋକଓପାସରେ ଦିନ କାଟୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର