ଇଏ ବି ଜଣେ ଶିଶୁ! ମା’ ସେବା କରି ଭୋଗୁଛି ଯକ୍ଷ୍ମା

ନୀଳଗିରି: ରାତି ପାହିଲେ ଶିଶୁଦିବସ। ସାରାଦେଶରେ ଶିଶୁଙ୍କ ମୁହଁରେ ହସ ଫୁଟାଇବା ପାଇଁ କାହିଁ କେତେ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ମାତ୍ର, ଏମିତି ଶିଶୁ ଅଛନ୍ତି ଯେଉଁମାନଙ୍କ ମୁହଁର ହସକୁ ଭାଗ୍ୟ ଯେମିତି ଛଡ଼ାଇ ନେଇଛି। ‌ସେମିତି ଜଣେ ଶିଶୁ ହେଉଛି ବାଲେଶ୍ବର ନୀଳଗିରିର ପରୀ (ଛଦ୍ମନାମ), ଯିଏକି ରୋଗିଣା ମା’କୁ ସେବା କରି ଏବେ ଯକ୍ଷ୍ମାରୋଗରେ ପୀଡ଼ିତ ହୋଇଯାଇଛି। ପରୀକୁ ‌ଏବେ ପାଞ୍ଚବର୍ଷ। ନୀଳଗିରି ଡାକ୍ତରଖାନାର ଯକ୍ଷ୍ମା ୱାର୍ଡରେ ମା’ ଶୁକୁରୀ ପାଖେପାଖେ ରହୁଛି ସେ। ୨୦୧୩ରେ ସ୍ବାମୀ ଠାକୁରା ସିଂଙ୍କ ମୃତ୍ୟୁପରେ ବେସାହାରା ଶୁକୁରୀଙ୍କୁ ଧୋବଶିଳା ପଞ୍ଚାୟତ କଇଁତୋଟାସ୍ଥିତ ଶାଶୂଘରେ ଜାଗା ମିଳିଲାନି। ଏକମାତ୍ର ପୁଅକୁ କକାଘରେ ରଖିନେଲେ। ଦୁଇଝିଅଙ୍କୁ ଧରି ଶାଶୂଘର ଛାଡ଼ିଲେ ଶୁକୁରୀ। ମାଗିଯାଚି ଦୁଇ ଝିଅଙ୍କ ମୁହଁରେ ଦାନା ଦେଉଥିବା ବେଳେ ପୁଣି ଦଇବ ଦାଉସାଧିଲା। ଖେଳୁଥିବା ବେଳେ ପାଣିରେ ପଡ଼ି ଶୁକୁରୀଙ୍କ ବଡ଼ଝିଅ ଝୁମୁରୀର ମୃତ୍ୟୁ ହୋଇଗଲା। ୫ ବର୍ଷର ଝିଅ ପରୀକୁ ଧରି ମାଗିଯାଚି ପେଟ ପୋଷୁଥି‌େଲ ଶୁକୁରୀ। ମାତ୍ର ଭଗବାନ ପୁଣି ନିର୍ଦ୍ଦୟ ହେଲେ। ଗତ ସେପ୍ଟେମ୍ବର ୬ରେ ଶୁକୁରୀଙ୍କୁ ଜ୍ବର, ଝାଡ଼ା ହେବାରୁ ନୀଳଗିରି ଡାକ୍ତରଖାନାକୁ ଆସିଥି‌େଲ। ଡାକ୍ତରମାନେ ପରୀକ୍ଷା କରିବା ପରେ ତାଙ୍କୁ ଯକ୍ଷ୍ମା ହୋଇଥିବା ଜଣାପଡ଼ିଥିଲା। ୧୦ ତାରିଖରେ ତାଙ୍କୁ ଡାକ୍ତରଖାନାର ଯକ୍ଷ୍ମା ୱାର୍ଡରେ ଭର୍ତ୍ତି କରାଯାଇଥିଲା। ପାଖରେ ରହିଲା ପରୀ। ହାତରେ କାଣିକଉଡ଼ିଟିଏ ନ ଥିଲାବେଳେ ନୀଳଗିରି ମେଡିକାଲର ଏସ୍‌ଡିଏମ୍‌ଓ ଡା. ଅଜୟକୃଷ୍ଣ ସାମଲ ମାଗଣାରେ ଔଷଧ ସହ ପ୍ରତ୍ୟେକ ଦିନ ଖାଇବା ପାଇଁ ୧୦୦ ଟଙ୍କା ଦେଉଛନ୍ତି। ପରୀ ମା’ର ଯାବତୀୟ ସେବା କରୁଛି। ଏପରି ସମୟରେ ପରୀ ମଧ୍ୟ ଯକ୍ଷ୍ମାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ନିଜର ଚିକିତ୍ସା ପ୍ରତି ଦୃଷ୍ଟି ନଦେଇ ପରୀ ମା’ର ସେବା କରିଚାଲିଛି। ଏପରି ଘଟଣା ଦେଖିଶୁଣି ସମସ୍ତଙ୍କ ମୁହଁରୁ ଆହାପ‌େଦ ବାହାରିବା ସହ ଆଖି ବି ଛଳଛଳ ହୋଇଯାଉଛି। କେହିକେହି ଏହି ଦୁଃଖ ସହି ନ ପାରି କିଛିକିଛି ଆର୍ଥିକ ସହାୟତା ବି କରୁଛନ୍ତି। ମାତ୍ର ପରୀର ଭବିଷ୍ୟତ ‌ନେଇ ସମସ୍ତେ ସନ୍ଦିହାନ। ଡାକ୍ତରଖାନାରୁ ଖାଇବା ଓ ଔଷଧ ମିଳୁଥିଲେ ମଧ୍ୟ ତାହା ଯଥେଷ୍ଟ ନୁହେଁ। ଉତ୍ତମ ଚିକିତ୍ସା, ସେବା ଓ ସୁଷମ ଖାଦ୍ୟର ଆବଶ୍ୟକତା ରହିଛି। ରୋଗଗ୍ରସ୍ତ ମା’ର ଜୀବନ ଚାଲିଗଲେ କ’ଣ ହେବ ପରୀର ଭବିଷ୍ୟତ। ଆସନ୍ତାକାଲିର ଶିଶୁଦିବସ ପାଳନ ସମୟରେ ସମସ୍ତେ ମନରେ ଏହି ପ୍ରଶ୍ନ ଏବେ ଉଙ୍କି ମାରିଛି।

ସମ୍ବନ୍ଧିତ ଖବର