ରାସ୍ତା ନଥିବା ଗାଁ କଣ୍ତେଲଗୁଡ଼ା ଓ କର˚ଜଗୁଡ଼ା

କାଲିମେଳା : ଭାରତ ସ୍ବାଧୀନତା ହେବାର ୭ ଦଶନ୍ଧି ବିତି ଯାଇଥିଲେ ମଧୢ କାଲିମେଳା ବ୍ଲକର ଅନେକ ଗ୍ରାମକୁ ଏବେବି ରାସ୍ତାଘାଟର ସୁବିଧା ହୋଇପାରି ନାହିଁ। ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଳକ କୋୟା ଆଦିବାସୀ ଓ ବ˚ଗାଳୀ ଗ୍ରାମକୁ ନେଇ ଗଠିତ ହୋଇଥିବାବେଳେ ଅନେକ ଆଦିବାସୀ ଗ୍ରାମକୁ ଯୋଗାଯୋଗ ସୁବିଧା ନାହିଁ। ଏବେ ବି ପାଦଚଲା ରାସ୍ତା ହେଉଛି ସେମାନଙ୍କ ପାଇଁ ମୁଖ୍ୟମାଧୢମ। ଏହିପରି ରାସ୍ତାନଥିବା ଦୁଇଟି ଗାଁ ହେଉଛି କାଲିମେଳା ବ୍ଲକ ତେଲରାଇ ପଞ୍ଚାୟତ ଅନ୍ତର୍ଗତ କଣ୍ତେଲଗୁଡ଼ା ଓ କର˚ଜଗୁଡ଼ା। କଣ୍ତେଲଗୁଡ଼ା ଗ୍ରାମରେ ୧୮ଟି ପରିବାର ଏବଂ କ˚ରଜଗୁଡ଼ା ଗ୍ରାମରେ ମାତ୍ର ୧୦ଟି ପରିବାର ବସବାସ କରୁଛନ୍ତି। ଦୀର୍ଘ ୪୦ ବର୍ଷ ପୂର୍ବେ କୋରାପୁଟ ଜିଲ୍ଲାରେ ମାଛକୁଣ୍ତ ଜଳଭଣ୍ତାର ହେବାପରେ ବିସ୍ଥାପିତ ହୋଇ ମାତ୍ର ୪ଟି ପରିବାର ଏଠାକୁ ଆସି ବସତି ସ୍ଥାପନ କରିଥିଲେ। କୋରାପୁଟ ଜିଲ୍ଲାର ନନ୍ଦପୁର, ଲମତାପୁଟ ଅଞ୍ଚଳରୁ ସେମାନେ ଏଠାକୁ ଚାଲିଆସିଥିଲେ। ଏବେ ଉଭୟ ଗ୍ରାମରେ ଦେଢ଼ଶହରୁ ଉର୍ଧ୍ବ ଲୋକ ବସବାସ କରୁଛନ୍ତି। ସମସ୍ତେ ଚାଷବାସ କରି ପରିବାର ପ୍ରତିପୋଷଣ କରୁଥିବାବେଳେ ସେମାନଙ୍କ ମୁଖ୍ୟ ସମସ୍ୟା ହେଉଛି ରାସ୍ତାଘାଟ।

କାଲିମେଳା ଠାରୁ ମାତ୍ର ୧୪ କିମି ଦୂର ଏହି ଜଙ୍ଗଲ ମଧୢରେ ଥିବା ଦୁଇଟି ଗ୍ରାମବାସୀ କେବଳ ପାଦଚଲା ରାସ୍ତା ଉପରେ ନିର୍ଭର କରିଥାନ୍ତି। ଖରାଦିନେ ବହୁକଷ୍ଟରେ ପାଦରେ କିମ୍ବା ସାଇକେଲରେ ଚାଲି ଚାଲି ଯିବାକୁ ପଡୁଥିବାବେଳେ ବର୍ଷା ଦିନେ ଯାତାୟତ କରିବାକୁ ମୁସ୍କିଲ ହୋଇପଡୁଛି ବୋଲି କହିଛନ୍ତି କଣ୍ତେଲଗୁଡ଼ା ଗ୍ରାମର ସହଦେବ ଗୋଲରି। ଗ୍ରାମର କୌଣସି ଲୋକ ଅସୁସ୍ଥ ହେଲେ ସେମାନେ କାନ୍ଧରେ କିମ୍ବା ଭାରରେ ମେଡ଼ିକାଲକୁ ଆଣିବାକୁ ବାଧୢ ହେଉଛନ୍ତି। ରାଜ୍ୟ ସରକାର ଦେଉଥିବା ଟଙ୍କିକିଆ ଚାଉଳ ନେବାକୁ ସେମାନଙ୍କୁ ୧୨ କିମି ପାଦରେ ଚାଲି ଚାଲି ତେଲରାଇ ପଞ୍ଚାୟତକୁ ଅସିବାକୁ ପଡେ଼। ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ଥିଲେ ମଧୢ କମ ପିଲା ଥିବା ଦର୍ଶାଇ ବିଦ୍ୟାଳୟକୁ ୪ ବର୍ଷ ହେଲା ବନ୍ଦ କରିଦିଆଯାଇଛି। ଗ୍ରାମରେ ଏକ ମିନି ଅଙ୍ଗନଵାଡ଼ି କେନ୍ଦ୍ର ରହିଥିବା ବେଳେ କେବଳ ପିଲାମାନଙ୍କୁ ଖାଇବାକୁ ଦିଆଯାଇ ଘରକୁ ଛାଡ଼ି ଦିଆଯାଇଥାଏ। ଏହି ଅଙ୍ଗନଵାଡ଼ି କେନ୍ଦ୍ରଟି ସବୁବେଳେ ଖୋଲା ରହୁଥିବାବେଳେ ଘରର ଅଧା ଚଟାଣ ସିମେଣ୍ଟ ହୋଇପାରି ନାହିଁ। ଠିକାଦାର ଘର କାମ ଅଧା କରି ଛାଡ଼ି ଦେଇଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସବୁଠାରୁ ଉଲେଖନୀୟ କଥା ହେଲା ଗ୍ରାମର ଅଧିକା˚ଶ ଲୋକ ଅଲେଖ ମହିମା ଧର୍ମରେ ଦୀକ୍ଷିତ। ତେଣୁ ସେମାନେ କେବେ ହେଲେ ଆମିଷ ଖାଇନଥାନ୍ତି ବୋଲି ଗ୍ରାମବାସୀ କହିଛନ୍ତି। କାମଧାମ ଅଭାବରୁ ଧାନକଟା ପରେ ଗ୍ରାମର ଅଧିକା˚ଶ ଯୁବକ ଆନ୍ଧ୍ରକୁ ଦାଦନ ଖଟିବାକୁ ଚାଲିଯାଇଥାନ୍ତି। ତେବେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଜାକଲକୁଣ୍ତି ଠାରୁ ମାଛଘାଟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର