ଆସନ୍ତା ଶିକ୍ଷାବର୍ଷରୁ ୧୫ ହାଇସ୍କୁଲରେ ଖୋଲିବ +୨

+୨ କଲେଜ ଅଲଗା ହେବା ପାଇଁ ଲାଗିବ ୫ବର୍ଷ, ୪୯ କଲେଜରେ ଏବର୍ଷ +୨ ଅଲଗା ହେବ

ଭୁବନେଶ୍ୱର: ଡିଗ୍ରି କଲେଜରୁ +୨ କଲେଜ ଅଲଗା କରିବା ପାଇଁ ଦୀର୍ଘ ବର୍ଷ ହେଲା ଯୋଜନା ହେଉଥିଲେ ହେଁ ଆସନ୍ତା ଶିକ୍ଷା ବର୍ଷରେ ଏହା ଚୂଡ଼ାନ୍ତ ରୂପ ନେବ। ଏନେଇ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ଏବେ +୨ କଲେଜଗୁଡ଼ିକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ହେଉଥିଲେ ହେଁ ଭିତ୍ତିଭୂମି ଅଭାବରୁ ଡିଗ୍ରି କଲେଜ ଠାରୁ ଏହା ଅଲଗା ହୋଇପାରିନି। ତେଣୁ ଯେଉଁଠି ପର୍ଯ୍ୟାପ୍ତ ଭିତ୍ତିଭୂମି ଅଛି, ଆବଶ୍ୟକୀୟ ଅଧ୍ୟାପକ ଅଛନ୍ତି ସେହି କଲେଜଗୁଡ଼ିକୁ ଆସନ୍ତା ଶିକ୍ଷା ବର୍ଷରେ ଅଲଗା କରାଯିବ। ଏହାବାଦ୍‌ ୧୫ଟି ସ୍କୁଲରେ +୨ ପ୍ରଥମବର୍ଷ (ଏକାଦଶ) ଖୋଲିବ। ଡିଗ୍ରି କଲେଜରୁ +୨ ଅଲଗା ହେବା ପାଇଁ ୩ରୁ ୫ବର୍ଷ ଲାଗିବାର ସମ୍ଭାବନା ଥିବାରୁ ବିଭିନ୍ନ ପର୍ଯ୍ୟାୟରେ ଏହାକୁ ଅଲଗା କରିବାକୁ ନିଷ୍ପତ୍ତି ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଶିକ୍ଷାବର୍ଷରୁ ଯେପରି ସ୍କୁଲରେ +୨ ପ୍ରଥମବର୍ଷ ପାଠ୍ୟକ୍ରମ ଖୋଲିବ ସେଥିପାଇଁ ୧୫ଟି ସ୍କୁଲ ବଛାଯାଇଛି। ଏହି ସ୍କୁଲଗୁଡ଼ିକରେ ଯେଉଁ ଭିତ୍ତିଭୂମି ଅଛି ସେଥିରେ ସାମାନ୍ୟ ପରିବର୍ତ୍ତନ ଅଣାଯାଇ ଏକାଦଶ ଶ୍ରେଣୀ ଖୋଲାଯିବ। ଏଠାରେ ଅନଲାଇନ୍‌ ମାଧ୍ୟମରେ ନାମ ଲେଖା ହେବ। କିନ୍ତୁ ଏହି ସ୍କୁଲରେ ବିଜ୍ଞାନ, ବାଣିଜ୍ୟ କି କଳା ପାଠ୍ୟକ୍ରମ ଖୋଲିବ ତାହା ସ୍ଥିର ହୋଇନି। ବିଜ୍ଞାନ ପାଠ୍ୟକ୍ରମ ଖୋଲିଲେ ଲାବୋରେଟୋରିର ଆବଶ୍ୟକତା ଥିବାରୁ ଯଦି ଏହା ଯୋଗାଇ ଦିଆଯାଇପାରିବ ତେବେ ଆରମ୍ଭ କରିବାରେ ଅସୁବିଧା ନାହିଁ। ଏଥିପାଇଁ ଆଲୋଚନା ଚାଲିଛି। ୧୫ଟି ଯାକ ସ୍କୁଲରେ ତିନିଟି ଯାକ ପାଠ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା କରାଯାଇଛି। ୨୦୧୯-୨୦ରେ ଏଠାରେ +୨ ଦ୍ୱିତୀୟ ବର୍ଷ (ଦ୍ୱାଦଶ ଶ୍ରେଣୀ) ଖୋଲିବ। ଏଠାରେ ନାମ ଲେଖାଇବାକୁ ଥିବା ଛାତ୍ରଛାତ୍ରୀଙ୍କୁ ପଢାଇବାକୁ ନୂଆ ପିଜିଟି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଏଥିପାଇଁ ୧୩୭ଟି ପଦବି ଅନୁମୋଦିତ ହୋଇଛି। ଏହି ପଦବିରେ ନିଯୁକ୍ତି ଶେଷ ହେବା ପର୍ଯ୍ୟନ୍ତ ଜୁନିଅର ଲେକଚର୍‌, ଲେକଚର୍‌ ଏବଂ ରିଡର ପାହ୍ୟାର ଅଧ୍ୟାପକମାନେ ସ୍କୁଲରେ ପାଠ ପଢ଼ାଇବେ ବୋଲି ନିଷ୍ପତ୍ତି ହୋଇଛି। ଛାତ୍ରଛାତ୍ରୀଙ୍କୁ ଯେପରି ଗୁଣାତ୍ମକ ଶିକ୍ଷା ମିଳିବ ତାହା ପ୍ରଧାନଶିକ୍ଷକମାନେ ନିଶ୍ଚିତ କରିବେ। ସେହିପରି ଆସନ୍ତା ଶିକ୍ଷା ବର୍ଷ (୨୦୧୮-୧୯)ରେ ୪୯ଟି +୨ କଲେଜ ଡିଗ୍ରି କଲେଜରୁ ଅଲଗା କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସବୁଜ ସଂକେତ ମିଳିଛି। ଏହି କଲେଜଗୁଡ଼ିକୁ ଅଲଗା କରିବାରେ କୌଣସି ସମସ୍ୟା ନଥିବାରୁ ଆସନ୍ତା ମାସକ ମଧ୍ୟରେ ଯେପରି ଏହି କଲେଜଗୁଡ଼ିକ ଅଲଗା ହୋଇପାରିବ ଏବଂ ପାଠପଢା ସୂଚାରୁ ରୂପେ ହେବ ସେଥିପାଇଁ ଉଚ୍ଚଶିକ୍ଷା ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବୈଠକ କରି ନିଷ୍ପତ୍ତି ନେବାକୁ କୁହାଯାଇଛି।

ଏହାବାଦ୍‌ ବିଶ୍ୱବ୍ୟାଙ୍କ୍‌ ସହାୟତା ପ୍ରକଳ୍ପରେ ଚାଲିଥିବା ୬୭ଟି କଲେଜରୁ +୨କୁ ପୃଥକ କରିବା ସମ୍ଭବ ଥିବାରୁ ଏହା ପୃଥକ ହୋଇପାରିବ ବୋଲି ଉଚ୍ଚଶିକ୍ଷା ବିଭାଗ କହିଛି। ଏହି କଲେଜଗୁଡ଼ିକରେ +୨ ଓ +୩ କଲେଜର ଅଧ୍ୟକ୍ଷମାନେ ଏକାଠି ବସି ଭିତ୍ତିଭୂମି ଅଲଗା ଅଲଗା କରିପାରିବେ। ଏଥିରେ ଖେଳପଡ଼ିଆ ଅଲଗା କରିବାକୁ ପଡ଼ିବନି। ଯଦି ଏକ ମାସ ମଧ୍ୟରେ ଦୁଇ କଲେଜର ଅଧ୍ୟକ୍ଷ ଏକାଠି ବସି ପୃଥକ ନ କରିପାରିବେ ତେବେ ଉକ୍ତ କଲେଜର ଗଭର୍ଣ୍ଣିଂ ବଡି ବୈଠକରେ ଏନେଇ ଆଲୋଚନା କରି ପୃଥକ କରାଯାଉ। ଏହାପରେ ବି ଯଦି କିଛି ମତପାର୍ଥକ୍ୟ ରହିବ ତେବେ ଉଚ୍ଚଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଗଭର୍ଣ୍ଣିଂ ବଡି ସହ ଆଲୋଚନା କରି ଭିତ୍ତିଭୂମି ଅଲଗା କରିବେ। ଏହା ଯଦି ଆସନ୍ତା ଶିକ୍ଷାବର୍ଷ ପାଇଁ ହେବାକୁ ଥିବା ନାମ ଲେଖା ପୂର୍ବରୁ ଚୂଡ଼ାନ୍ତ ହୋଇଯିବ ତେବେ ଏଠାରେ ବି ଅନଲାଇନ୍‌ ମାଧ୍ୟମରେ +୨ ନାମ ଲେଖା ହେବ। ବର୍ତ୍ତମାନ ରାଜ୍ୟର ବିଭିନ୍ନ କଲେଜଗୁଡ଼ିକର ଯେଉଁ ଭିତ୍ତିଭୂମି ଅଛି ସେଥିରେ ଡିଗ୍ରି କଲେଜରୁ +୨ କଲେଜ ସଂପୂର୍ଣ୍ଣ ପୃଥକ ହେବା ପାଇଁ ୩ରୁ ୫ବର୍ଷ ଲାଗିଯିବ। ଏହି ସମୟରେ ଅର୍ଥ ବିଭାଗ ଏବଂ ଅନ୍ୟ ବିଭାଗଗୁଡ଼ିକ ଆବଶ୍ୟକୀୟ ପଦବି ସୃଷ୍ଟି କରିବା ସହ ମଞ୍ଜୁର କରିବାକୁ କୁହାଯାଇଛି। ଏହା ସଂପୂର୍ଣ୍ଣ ପୃଥକ ହେବା ପରେ ଯେଉଁ କର୍ମଚାରୀମାନେ ଜିଆଇଏ-୨୦୧୭ ଅଧୀନରେ ଅଛନ୍ତି ସେମାନେ ଏଡେଡ୍‌ ଡିଗ୍ରି କଲେଜ୍‌ ଅଧୀନକୁ ଆସିବେ। ଏସବୁ ବାଦ୍‌ ଅର୍ଥ ବିଭାଗ ସମସ୍ତ ପଦବି ମଞ୍ଜୁରୀ ପ୍ରକ୍ରିୟା ତ୍ୱରାନ୍ଵିତ କରିବାକୁ ଉନ୍ନୟନ କମିସନର ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର