ଏବର୍ଷ ଗୁରୁଙ୍କୁ ମିଳିବନି ସମ୍ମାନ

ବାତିଲ୍‌ ହେଲା ରାଜ୍ୟ ଓ ଜିଲ୍ଲାସ୍ତରୀୟ ଗୁରୁ ଦିବସ

ଭୁବନେଶ୍ୱର: ଗୁରୁ ଦିବସରେ ଗୁରୁଙ୍କୁ ମିଳିବନି ସମ୍ମାନ। ବିଗତବର୍ଷଗୁଡ଼ିକ ପରି ଏଥର ରାଜ୍ୟ କିମ୍ବା ଜିଲ୍ଲାସ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟକ୍ରମ ହେବନି। ଗୁରୁ ଦିବସ ପାଳନ ହେବନି କି ଯୋଗ୍ୟ ବିବେଚିତ ଶିକ୍ଷକଙ୍କୁ ପୁରସ୍କୃତ କରାଯିବନି। ରାଜ୍ୟ ଓ ଜିଲ୍ଲାସ୍ତରରେ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ସରିଥିବା ବେଳେ ଆଜି ଶେଷ ମୁହୂର୍ତ୍ତରେ ଗୁରୁ ଦିବସ ପାଳନ ତଥା ପୁରସ୍କାର ପ୍ରଦାନ ଉତ୍ସବକୁ ବାତିଲ୍‌ କରାଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମସ୍ତ ନିର୍ଦେଶାଳୟ ନିର୍ଦେଶକଙ୍କୁ ଚିଠି ଲେଖି ଜଣାଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁ ଦିବସର ରାଜ୍ୟସ୍ତରୀୟ ଉତ୍ସବ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ଜୟଦେବ ଭବନରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ର୍ରି ନାରାୟଣ ପାତ୍ର ମୁଖ୍ୟ ଅତିଥି, ବିଭାଗୀୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥାନ୍ତେ। ହେଲେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଯେଉଁ ପୁରସ୍କାର ଦିିଆଯିବାକୁ ଥିଲା ତାହା ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଥିବାରୁ ଶେଷ ମୁହୂର୍ତ୍ତରେ ଉତ୍ସବକୁ ବାତିଲ୍‌ କରାଯାଇଛି।

ନିମନ୍ତ୍ରଣପତ୍ର ବାଣ୍ଟି ଭାଣ୍ଡିଆ ହେଲା ଗଣଶିକ୍ଷା ବିଭାଗ
ପୁରସ୍କାର ପାଇଥାନ୍ତେ ୧୫୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ

ଜିଲ୍ଲାସ୍ତରରେ ବି ଉତ୍ସବ ହେବ ନାହିଁ। ଯେଉଁଥିପାଇଁ ଚଳିତବର୍ଷ ୧୫୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଚଳିତବର୍ଷ ଗୁରୁ ଦିବସରେ ସମ୍ମାନ ପାଇବାରୁ ବଞ୍ଚିତ ହୋଇଛନ୍ତି। ରାଜ୍ୟସ୍ତରରେ ୧୫ ଜଣ ଶିକ୍ଷୟିତ୍ରୀ ଓ ୪୨ ଜଣ ଶିକ୍ଷକ ରହିଛନ୍ତି। ଜିଲ୍ଲାସ୍ତରରେ ୧୦୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପୁରସ୍କାର ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ପୁରସ୍କାର ଚୟନକୁୁ ନେଇ ଝାରସୁଗୁଡ଼ାର ଏକ ଘରୋଇ ସ୍କୁଲର ଜଣେ ଶିକ୍ଷକ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସରକାରୀ ଓ ସରକାରୀ ଅନୁଦାନପ୍ର୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୁରସ୍କାର ଦିଆଯାଉଥିବା ବେଳେ ଘରୋଇ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ କାହିଁକି ବଞ୍ଚିତ ହେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ରହିତାଦେଶ ଉଠିବା ପରେ ପୁରସ୍କାର ପ୍ରଦାନ କରାଯିବ। ଯେଉଁ ଆନେକ୍ସର ମାଧ୍ୟମରେ ପୁରସ୍କାର ଚୟନ ହୋଇଛି ସେଥିରେ ପରିବର୍ତନ ଆଣିବାକୁ ଯଦି ହାଇକୋର୍ଟ କହିବେ ତେବେ ଚୟନ ହୋଇଥିବା ସମ୍ପୂର୍ଣ୍ଣ ତାଲିକାକୁ ବାତିଲ୍‌ କରାଯିବ। ରାଜ୍ୟ ସରକାର ମଧ୍ୟ ନିଜ ପକ୍ଷରୁ ଜବାବ ରଖିବେ। ଦରକାର ପଡ଼ିଲେ ସୁପ୍ରିମ୍‌କୋର୍ଟ ଯିବେ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ହାଇକୋର୍ଟ ରହିତାଦେଶ ଦେଇଥିବା ନେଇ ବିଭାଗୀୟ ଅଧିକାରୀମାନେ ଜାଣିପାରିଲେ ନାହିଁ କେମିତି?

ବିଭାଗୀୟ ଅନୁଶାସନ ସଚିବ ଚକ୍ରଧର ବେହେରା କହିଛନ୍ତି ଯେ ଉତ୍ସବ ପାଇଁ ନିମନ୍ତ୍ରଣପତ୍ର ବଣ୍ଟା ସରିଥିଲା। ଅଦାଲତରେ ମାମଲା ଥିବା ନେଇ ଜଣାପଡ଼ିବା ପରେ ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ଜବାବ ଦିଆଯାଇଥିଲା। କିନ୍ତୁ କୋର୍ଟ ତାହାକୁ ଗ୍ରହଣ କରିନାହାନ୍ତି। ତେଣୁ ବାଧ୍ୟହୋଇ ଉତ୍ସବକୁ ବାତିଲ୍‌ କରିବାକୁ ପଡ଼ିଲା। ରହିତାଦେଶ ଉଠିବା ପରେ ପରବର୍ତୀ ପଦକ୍ଷେପ ନିଆଯିବ। ଯଦି ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଆସିବ ତେବେ ଆଉ ଦିନେ ଉତ୍ସବ ଆୟୋଜନ କରାଯାଇ ପୁରସ୍କାର ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର