ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟରେ ମୌସୁମୀ ବର୍ଷା ସ୍ବାଭାବିକ ହେବ। ଏହା ଚାଷ ପାଇଁ ଅନୁକୂଳ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି। ଓଡ଼ିଶାରେ ଜୁନ୍ ଓ ଜୁଲାଇରେ ସ୍ବଭାବିକ ବର୍ଷା ହେବ। ଅଗଷ୍ଟ ଓ ସେପ୍ଟେମ୍ବରରେ ବର୍ଷାର ପରିମାଣ ବି ଠିକ୍ ରହିବ। ୪ ମାସରେ ମୌସୁମୀ ବର୍ଷାର ଆବଣ୍ଟନ ସମାନ ରହିବାର ସମ୍ଭାବନା ଥିବାରୁ ଚଳିତ ବର୍ଷ ଫସଲ ଭଲ ହେବ। ଏଥି ସହ ଚାଷୀମାନେ ଅତ୍ୟଧିକ ବର୍ଷା ଓ ରୋଗ ପୋକର ଯତ୍ନ ନେଇପାରିଲେ ଚଳିତ ବର୍ଷ ରାଜ୍ୟ ଫସଲ ଅମଳରେ ରେକର୍ଡ ସୃଷ୍ଟି କରିବାର ସମ୍ଭାବନା ରହିଛି। ମୌସୁମୀ ବର୍ଷା ସ୍ବାଭାବିକ ହେବ ବୋଲି ଗତ ଏପ୍ରିଲ୍ ମାସରେ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଥିଲା। ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ମଧ୍ୟ ଏପ୍ରିଲ ୨୦ ତାରିଖରେ ସ୍ବାଭାବିକ ମୌସୁମୀର ଆକଳନ କରିଥିଲେ। କିନ୍ତୁ ଏପ୍ରିଲ ମାସର ଆକଳନ ସର୍ବଭାରତୀୟ ସ୍ତରରେ ହୋଇଥିଲା। ତେବେ ବର୍ତ୍ତମାନ ଆକଳନ କରିବାକୁ ସମୟ ଆସିଯାଇଛି ଯେ ଆମ ରାଜ୍ୟରେ ୪ ମାସରେ ମୌସୁମୀ ବର୍ଷା ଓ ଫସଲ କିପରି ରହିବ। ଯେହେତୁ ୬୫ ପ୍ରତିଶତ ଚାଷ ଜମି ଅଣଜଳସେଚିତ, ମୌସୁମୀ ବର୍ଷା ଆମ ରାଜ୍ୟର ଫସଲ ଉପରେ ଯଥେଷ୍ଟ ପ୍ରଭାବ ପକାଇଥାଏ।
କୃଷି ପାଇଁ ମୌସୁମୀର ଆଗମନ ବହୁତ ଗୁରୁତ୍ବପୂର୍ଣ୍ଣ। ବିଭିନ୍ନ ସଂସ୍ଥା ଦ୍ବାରା ଏହା କେରଳକୁ ମେ’ ୨୮ରୁ ଜୁନ୍ ୫ ମଧ୍ୟରେ ପ୍ରବେଶ କରିବ ବୋଲି ଆକଳନ କରାଯାଇଛି। ପ୍ରଫେସର ପଶୁପାଳକଙ୍କ ଆକଳନ କହୁଛି, ମେ’ ୨୮ ସୁଦ୍ଧା ପ୍ରାକ୍ ମୌସୁମୀ ବର୍ଷା କେରଳରେ ହେବାର ସମ୍ଭାବନା ଅଛି। ଭାରତ ମହାସାଗର ଓ ଆରବ ସାଗରରେ ଅନୁକୂଳ ପରିସ୍ଥିତି ଯୋଗୁଁ ଜୁନ୍ ୮ ସୁଦ୍ଧା କେରଳ ସହ କର୍ଣ୍ଣାଟକ ଓ ମହାରାଷ୍ଟ୍ରର କେତେକ ଅଂଶରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବ। ଏହାସହ ଦକ୍ଷିଣ ବଙ୍ଗୋପସାଗର ଓ ସଂଲଗ୍ନ ତାମିଲନାଡ଼ୁରେ ମଧ୍ୟ ମୌସୁମୀ ବର୍ଷା ଆରମ୍ଭ ହୋଇଯିବାର ସମ୍ଭାବନା ରହିଛି। ତେବେ ବଙ୍ଗୋପସାଗରୀୟ ଶାଖା ମନ୍ଥର ଗତି ସହିତ ଓଡ଼ିଶାରେ ଜୁନ୍ ୧୫ରୁ ୧୮ ସୁଦ୍ଧା ମୌସୁମୀ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ଅଛି। ପ୍ରଫେସର ପଶୁପାଳକ ଆହୁରି କହିଛନ୍ତି, ଜୁନ୍ଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମୌସୁମୀ ୪ ମାସରେ ବର୍ଷାର ବିତରଣ ଆଇଓଡି (ଇଣ୍ଡିଆନ୍ ଓସେନ୍ ଡାଇପୋଲ୍), ଏମ୍ଜେଓ ଏବଂ ଇଏନ୍ଏସ୍ଓ (ଇଏଲ୍ ନିନୋ ସର୍ଦନ୍ ଓସିଲେସନ୍) ଦ୍ବାରା ପ୍ରଭାବିତ ହୋଇଥାଏ। ବାୟୁମଣ୍ଡଳୀୟ ଚାପ ଏବଂ ସାମୁଦ୍ରିକ ଜଳପତ୍ତନର ତାପମାତ୍ରାକୁ ନେଇ ଇଏନ୍ଏସ୍ଓର ମୂଲ୍ୟାୟନ ହୋଇଥାଏ। ଇଏନ୍ଏସ୍ଓରୁ ଏଲ୍ନିନୋ, ଲା-ନିନା ଓ ନ୍ୟୁଟ୍ରାଲ୍ର ମାତ୍ରା ଜଣାପଡ଼ିଥାଏ। ଏଲ୍ନିନୋ ଅଧିକା ହେଲେ ସାଧାରଣ ଭାବେ ବର୍ଷା କମ୍ ହୋଇଥାଏ। ସେହିପରି ଲା-ନିନା ଅଧିକ ହେଲେ ବର୍ଷା ଅଧିକ ହୋଇଥାଏ। ଏହା ନ୍ୟୁଟ୍ରାଲ୍ ରହିଲେ ଏହା ସ୍ବାଭାବିକ ବର୍ଷାର ସମ୍ଭାବନା ରହିଥାଏ। ମେ’ ଦ୍ବିତୀୟ ସପ୍ତାହ ସୁଦ୍ଧା ନ୍ୟୁଟ୍ରାଲ୍ର ମାତ୍ରା ୭୨ ପ୍ରତିଶତ ରହିଥିଲା ଓ ତାହା କ୍ରମଶଃ କମି ଅକ୍ଟୋବର ସୁଦ୍ଧା ୪୫ ପ୍ରତିଶତରେ ପହଞ୍ଚିବାର ଆକଳନ କରାଯାଇଛି। ସେହିପରି ଲା-ନିନା ୧୨ ପ୍ରତିଶତରୁ କ୍ରମଶଃ ବଢ଼ି ଅକ୍ଟୋବର ସୁଦ୍ଧା ୮୪ ପ୍ରତିଶତରେ ପହଞ୍ଚିପାରେ। ଏଣୁ ଚଳିତ ବର୍ଷ ମୌସୁମୀ ସମୟରେ ଏଲ୍ନିନୋ ରହିବ ନାହିଁ।
ଏହି ସବୁର ଅଧିକ ବିଶ୍ଲେଷଣରୁ ଜଣାପଡ଼ୁଛି ଯେ ଓଡ଼ିଶାରେ ଜୁନ୍ ଓ ଜୁଲାଇରେ ସ୍ବାଭାବିକ ବର୍ଷା ବେଳେ ଅଗଷ୍ଟ ଓ ସେପ୍ଟେମ୍ବରରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାରେ ଅପେକ୍ଷାକୃତ ଅଧିକ ବର୍ଷା ହୋଇପାରେ। ଆହୁରି ମଧ୍ୟ ଜଣାପଡ଼ୁଛି ଯେ ଜୁଲାଇ ଓ ଅଗଷ୍ଟ ମାସରେ ବର୍ଷାର ପରିମାଣ ଠିକ୍ ରହିଲେ ବି ବର୍ଷାର ଦିନ ସଂଖ୍ୟା କମିପାରେ। ତେବେ ଚଳିତ ବର୍ଷ ଆମ ରାଜ୍ୟର କୃଷି ପାଇଁ ମୌସୁମୀ ବର୍ଷା ଅନୁକୂଳ ହେବ। ଅତ୍ୟଧିକ ବର୍ଷା ଓ ରୋଗ ପୋକର ଯତ୍ନ ନିଆଗଲେ, ଫସଲ ଅମଳରେ ଆଉ ଏକ ରେକର୍ଡ ସୃଷ୍ଟି ହେବାର ସମ୍ଭାବନା ରହିଛି। ଓଡ଼ିଶାରେ ଜୁନ୍ ୧୧ରୁ ୧୫ ହେଉଛି ମୌସୁମୀ ଆଗମନର ସ୍ବାଭାବିକ ସମୟ। ଏଣୁ ଚାଷୀମାନେ ବର୍ତ୍ତମାନଠାରୁ ବିହନ ଓ ସାର ଆଦି ଗଚ୍ଛିତ କରି ରଖନ୍ତୁ। ବଜାରରେ ୧୦୧୪ କିସମ ଭଳି ଲମ୍ବା, ସରୁ ଚାଉଳର ଅଧିକ ଚାହିଦା ରହିଛି। ଏଣୁ ୧୪୫ ଦିନିଆ ସେହିଭଳି କିସମ ଖାଲ ଜମି ପାଇଁ ଚୟନ କରନ୍ତୁ, ମଧ୍ୟମ କିସମ ଜମିରେ ବୀଣା ପ୍ରଜାତିର ୧୧୫ ଦିନିଆ ବା ସୁରେନ୍ଦ୍ର ଆଦି ୧୩୦ ଦିନିଆ କିସମ ଚୟନ କରିବାକୁ ପ୍ରଫେସର୍ ପଶୁପାଳକ ପରାମର୍ଶ ଦେଇଛନ୍ତି।