ସାର ବିକ୍ରି ପାଇଁ ଅସାଧୁ ମେଣ୍ଟ, ହଜାର ହଜାର ଟନ୍‌ ୟୁରିଆ ଗାଏବ୍‌

ଯାଜପୁରରୋଡ୍‌: ଲଗାଣ ବର୍ଷା ଉପକୂଳ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଥିବା ବେଳେ ଏବେ ସାର କଳାବଜାର ସେମାନଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ସଦୃଶ ହୋଇଛି। ବଜାରରେ ସାରର ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହେଲାଣି। ଏପଟେ କେତେକ ବ୍ୟବସାୟୀ ୟୁରିଆ କଳାବଜାର କରି ମାଲାମାଲ ହେଉଛନ୍ତି। ୟୁରିଆ ସାର ସହିତ କେତେକ କମ୍ପାନି ଅଣୁ ସାର ଟ୍ୟାଗ୍‌ କରି କୋଟି କୋଟି ଟଙ୍କା ବ୍ୟବସାୟ କରୁଛନ୍ତି। ଖରିଫ ଋତୁରେ ଯାଜପୁର, କେନ୍ଦୁଝର, ଭଦ୍ରକ ପ୍ରଭୃତି ଅଞ୍ଚଳରେ ୨/୩ଟି କମ୍ପାନି ପ୍ରାୟ ୨କୋଟି ଟଙ୍କାର ଅଣୁ ସାର୍‌ ବିକ୍ରି କରିଥିବା ସୂଚନା ମିଳିଛି। ଅଣୁ ସାର ବିକ୍ରି କରୁଥିବା କମ୍ପାନିଗୁଡ଼ିକ କେତେକ ମୁଷ୍ଟିମେୟ ହୋଲସେଲର୍‌ ଓ ରିଟେଲର୍‌ଙ୍କୁ ନିଜର ସ୍ୱତନ୍ତ୍ର ଏଜେଣ୍ଟ ଭାବେ ବ୍ୟବହାର କରୁଛନ୍ତି। ଏହି ଏଜେଣ୍ଟମାନେ ଶହ ଶହ ଟନ୍‌ ୟୁରିଆ ଗଛିତ ରଖି ବଜାରରେ ନିଅଣ୍ଟିଆ ପରିବେଶ ସୃଷ୍ଟି କରୁଛନ୍ତି। ଏହାପରେ କଳାବଜାରରେ ଦେଢ ଗୁଣ ଦାମରେ ବିକ୍ରି କରୁଥିବା ଚାଷୀମାନେ ଅଭିଯୋଗ କରୁଛନ୍ତିି।

ଏହାକୁ ନେଇ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ୟୁରିଆ କେଜି ପ୍ରାୟ ୬ଟଙ୍କା ଥିବା ବେଳେ ଯାଜପୁରରେ ୯ଟଙ୍କା ଓ କେନ୍ଦୁଝରରେ ୧୦ରୁ୧୨ ଟଙ୍କାରେ ବିକ୍ରି ହେଉଛି। ଚାଷୀଙ୍କ ପସନ୍ଦ ନାଗାର୍ଜୁନ ୟୁରିଆ ବସ୍ତା ୨୬୬.୫୦ପଇସା ସରକାର ଧାର୍ଯ୍ୟ କରିଥିବା ବେଳେ ଏହା ୩୭୦ ରୁ ୫ଶହ ଟଙ୍କାରେ ବିକ୍ରି ହେଉଛି। ଏଥି ପ୍ରତି କୃଷି ବିଭାଗ ଓ ସରକାରୀ ସାର ବିକ୍ରିକୁ ନିୟନ୍ତ୍ରଣ କରୁଥିବା ସଂସ୍ଥାଗୁଡ଼ିକର ନଜର ନାହିଁ। ଯାଜପୁର ଜିଲ୍ଲା ପାଇଁ ଚଳିତ ବର୍ଷ ୧୪ହଜାର ମେଟ୍ରିକ୍‌ ଟନ ୟୁରିଆ ଆବଶ୍ୟକ ଥିବା ବେଳେ ଏବେ ସୁଦ୍ଧା ୭ହଜାର ୨୧୭ମେଟ୍ରିକ୍‌ ଟନ୍‌ ସାର ଯୋଗାଣ ହୋଇଛି ବୋଲି କୃୃଷି ବିଭାଗ ଉପନିର୍ଦେଶକ(ଡିଡିଏ) କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ଯୋଗାଣ ହୋଇଥିବା ସାର ମଧ୍ୟରୁ ୫ ହଜାର ଟନ୍‌ ବଣ୍ଟନ ହୋଇଛି ବୋଲି ଅନ୍‌ଲାଇନ୍‌ ହିସାବକୁ ଭିତ୍ତି କରି ସଂପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି, ଏଥର ନାଗାର୍ଜୁନ, ୟୁରିଆ ସାର ଉପରେ ଆକ୍ଟିନ୍‌ ଓ ଟ୍ରାକସିଓର୍‌ ନାମକ ୨ଟି ଅଣୁ ସାର୍‌ ଟ୍ୟାଗ୍‌ କରିଛି। ଯାହାର କିଲୋପିଛା ମୂଲ୍ୟ ୧୩୦-୧୪୦ ଟଙ୍କା ରହୁଛି। ୟୁରିଆ ବସ୍ତାରେ କେଜିଏ ଅଣୁସାର ୧୩୦/୧୪୦ ଟଙ୍କା ମିଶି ୪ ଶହ ଟଙ୍କାରୁ ଅଧିକ ହୋଇଯାଉଛି। ସେହିପରି କରମଣ୍ଡଳ କମ୍ପାନି ମଧ୍ୟ ସଲଫମାକ୍ସ ଅଣୁସାର ୟୁରିଆ ସହିତ ଟ୍ୟାଗ୍‌ କରିଛନ୍ତି। ଅଣୁସାର ପ୍ରତି ଚାଷୀମାନଙ୍କର ଆଗ୍ରହ ନଥିବାରୁ ରିଟେଲରମାନେ କମ୍ପାନିରୁ ନେଇଥିବା ଅଣୁସାର ମୂଲ୍ୟ ୟୁରିଆ ସହିତ ମିଶାଇ ଚଢା ଦରରେ କଳାବଜାରରେ ବିକ୍ରି କରୁଛନ୍ତି। ଅଣୁସାର ଟ୍ୟାଗିଂ ନାମରେ ମଧ୍ୟ କେତେକ ବ୍ୟବସାୟୀ ୟୁରିଆ ନଥିବା ଦର୍ଶାଇ ୟୁରିଆ କଳାବଜାର କରି ଚାଷୀଙ୍କୁ ଶୋଷଣ କରୁଛନ୍ତି। ୟୁରିଆ ସାର ସହିତ ଅଣୁସାର ଟ୍ୟାଗ୍‌ ହୋଇଥିବା ଘଟଣାକୁ ଡ଼ିଡ଼ିଏ ଶରତ ପୃଷ୍ଟି ସ୍ୱୀକାର କରିଛନ୍ତି। ଅଣୁସାର ପାଇଁ ଚାଷୀକୁ ବାଧ୍ୟ କରିପାରିବେ ନାହିଁ ବୋଲି ଶ୍ରୀ ପୃଷ୍ଟି କହିଛନ୍ତି।

ସମ୍ବନ୍ଧିତ ଖବର