ତିନି ହାତୀ ମୃତ୍ୟୁ ଘଟଣା : ଦୋଷ ଲୁଚାଉଛି ଜଙ୍ଗଲ ବିଭାଗ!

ଦୁଇ ଡ୍ରାଇଭର ଗିରଫ, ଅନ୍ୟ ୨ଜଣଙ୍କ ପତ୍ତା ନାହିଁ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳର ବାଲିଯୋଡ଼ିଠାରେ ଦୁର୍ଘଟଣାରେ ତିନୋଟି ହାତୀ ମୃତ୍ୟୁ ହେବା ପରେ ଜିଲ୍ଲାଠୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ତୁମ୍ବିତୋଫାନ ଚାଲିଛି। ଏହି ହୋ’ହଲ୍ଲା ଭିତରେ ଜଙ୍ଗଲ ବିଭାଗ ନିଜ ଦୋଷ ଲୁଚାଇବାକୁ ଉଦ୍ୟମ କରୁଥିବା ଜଳଜଳ ଦେଖାଯାଉଛି। ଓଡ଼ିଆ ମାଲିକଙ୍କ ଗାଡ଼ିକୁ ଧରି ଡ୍ରାଇଭର, ହେଲ୍‌ପରଙ୍କୁ ଗିରଫ କରିଥିଲାବେଳେ ଅଣଓଡ଼ିଆ ମାଲିକଙ୍କ ଗାଡ଼ିକୁ ଛାଡିଦେବାର ପ୍ରୟାସ ବି ପଦାକୁ ଆସିବାରେ ଲାଗିଛି।

ଏହି ରିପୋର୍ଟ ଅନୁସାରେ, ଦୁର୍ଘଟଣାସ୍ଥଳରୁ ୧୦୦ କିଲୋମିଟର ଦୂରରେ ତଥା ବଡ଼ବିଲଠାରେ ଥିବା ବସ୍‌କୁ ଜଙ୍ଗଲ ବିଭାଗ ପକ୍ଷରୁ ଜବତ କରାଯିବା ସହିତ ଡ୍ରାଇଭରଙ୍କୁ ଗତକାଲି ଗିରଫ କରାଯାଇଥିଲା। ଏପରିକି ଆଜି ଅନ୍ୟ ଏକ ଗାଡି (ଓଡି ୦୫ଏକ୍ୟୁ ୨୯୯୯) ଡ୍ରାଇଭରକୁ ମଧ୍ୟ ଗିରଫ କରାଯାଇଛି। ମାତ୍ର ଅନ୍ୟ ଦୁଇଟି ଗାଡ଼ିର ଡ୍ରାଇଭରକୁ ଖୋଜିବା ନେଇ ଜଙ୍ଗଲ ବିଭାଗ ତତ୍ପରତା ପ୍ରକାଶ କରୁନାହିଁ। କେନ୍ଦୁଝର ଜିଲ୍ଲା ଗାଡ଼ି ମାଲିକଙ୍କ ଅଭିଯୋଗ ଅନୁସାରେ, ଦୁର୍ଘଟଣା ଘଟାଇଥିବା ୨ଟି ଟ୍ରକ୍‌ ଏକ ଅଣଓଡ଼ିଆ ବ୍ୟବସାୟୀଙ୍କ ଟ୍ରାନ୍ସପୋର୍ଟ ସଂସ୍ଥାରେ ଲୁହାପଥର ପରିବହନ କରୁଥିଲା। ଏହି ଦୁଇଟି ଗାଡ଼ିର ମାଲିକଙ୍କ ନାମ ସି.ଭେଙ୍କେଟେ‌ଶ୍ବରଲୁ। ଏହି ପ୍ରଭାବଶାଳୀ ବ୍ୟବସାୟୀଙ୍କ ଚାପରେ ଜଙ୍ଗଲ ବିଭାଗ ଏହି ଦୁଇଟି ଗାଡ଼ିକୁ ଏହି ଦୁର୍ଘଟଣାରୁ ମୁକୁଳାଇବାକୁ ଉଦ୍ୟମ କରୁଥିବା ନେଇ କେନ୍ଦୁଝରର ଅନେକ ଗାଡ଼ି ମାଲିକ ଅଭି‌ଯୋଗ କରିଛନ୍ତି।

ଅପରପକ୍ଷରେ ସି.ଭେଙ୍କେଟେ‌ଶ୍ବରଲୁଙ୍କ ଦୁଇଟି ଗାଡ଼ି ଦୁର୍ଘଟଣାରେ ହାତୀ ମୃତ୍ୟୁ କଥା ଜଙ୍ଗଲ ବିଭାଗ କହୁଥିଲେ ବି ଗାଡ଼ି ଦୁଇଟିର ଡ୍ରାଇଭରଙ୍କ ସଂପର୍କରେ ଏଯାଏ ବିଭାଗ ଖୋଳତାଡ଼ କରିନାହିଁ।
ଏ ସଂପର୍କରେ ଡିଏଫ୍‌ଓ ସଂଜୀବ ଯୋଶୀ କହିଛନ୍ତି ଯେ, ଓଡି ୦୫ ଆର-୧୩୧୫, ଓଡି୦୫ ଏସ-୧୩୧୫ ଗାଡ଼ିର ଡ୍ରାଇଭର ଆହତ ହୋଇଥିବାରୁ ଚିକିତ୍ସା ପାଇଁ କଟକ ଯାଇଛନ୍ତି। ମାତ୍ର କେଉଁଠି ଓ କେମିତି ଚିକିତ୍ସା ହେଉଛନ୍ତି ସେ ସଂପର୍କରେ ତାଙ୍କ ପାଖରେ କିଛି ତଥ୍ୟ ନାହିଁ।

ଅପରପକ୍ଷରେ ହାତୀପଲ ଘଟଗାଁ ଜଙ୍ଗଲରେ ଥିବା ନେଇ ଜଙ୍ଗଲ ବିଭାଗ ପାଖରେ ଖବର ଥିଲା। ଯଦି ହାତୀଙ୍କ ଗତିବିଧି ଉପରେ ବିଭାଗ ପକ୍ଷରୁୁ ନଜର ରଖାଯାଇଥାନ୍ତା, ହୁଏତ ତିନୋଟି ହାତୀ ମୃତ୍ୟୁମୁଖରୁ ବଞ୍ଚି ପାରିଥାନ୍ତେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର