‘ଐରାବତ’ ଧକ୍କାରେ ୩ ହାତୀ ମୃତ

ବସ୍‌, ୩ ଟ୍ରକ୍‌ ଜବତ, ଡ୍ରାଇଭର୍‌ ଗିରଫ, ଟ୍ରାନ୍ସପୋର୍ଟରଙ୍କ ଲାଇସେନ୍ସ ରଦ୍ଦ

କେନ୍ଦୁଝର/ଘଟଗାଁ/ବଡ଼ବିଲ : ‘ଐରାବତ୍‌’ ଧକ୍କାରେ ତିନୋଟି ହାତୀଙ୍କ ଜୀବନ ଯାଇଛି। ‘ଐରାବତ’ ହେଉଛି ଏକ ଦ୍ରୁତଗାମୀ ବସ୍‌। ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲାର ଘଟଗାଁ ନିକଟ ୨୦ ନମ୍ବର ଜାତୀୟ ପଥରେ ରାସ୍ତା ପାର୍‌ ହେଉଥିବା ହାତୀଙ୍କୁ ‘ଐରାବତୀ’ ଧକ୍କା ଦେଇଥିଲା। ପଛକୁ ପଛ ଆଉ ୩ଟି ଟ୍ରକ୍‌ ମଧ୍ୟ ଧକ୍କା ଦେଇଥିଲେ। ଏହି ଧକ୍କାରେ ଘଟଣାସ୍ଥଳରେ ୨ ହାତୀଙ୍କର ମୃତ୍ୟୁ ହୋଇଥିଲା। ଆଉ ଏକ ହାତୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବାବେଳେ ଆଜି ତା’ର ମୃତ୍ୟୁ ଘଟିଛି। ଘଟଣା ପରେ ପୁଲିସ୍‌ ଡ୍ରାଇଭର୍‌କୁ ଗିରଫ କରିବା ସହିତ ବସ୍‌ଟିକୁ ଜବତ କରିଛି।

ଗତକାଲି ରାତି ପ୍ରାୟ ସାଢ଼େ ୧ଟା ବେଳେ ଏହି ଘଟଣା ଘଟିଛି। ଏହି ସମୟରେ ୨୦ ନମ୍ବର ଜାତୀୟ ରାଜପଥର ବାଲିଯୋଡ଼ିଠାରେ ତିନିଟି ହାତୀ ରାସ୍ତା ପାର୍ ହେଉଥିଲେ। ଏହି ସମୟରେ ହାତୀପଲକୁ ବସ୍‌ଟି ଧକ୍କା ଦେଇଥିଲା। ‌ପରେପରେ ଆଉ ତିନିଟି ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ, ଘଟଣାସ୍ଥଳରେ ଗୋଟିଏ ବଡ଼ ହାତୀ ଓ ଛୁଆ ହାତୀର ମୃତ୍ୟୁ ଘଟିଥିଲା। ଆଉ ଗୋଟିଏ ହାତୀ ଗୁରୁତର ଅବସ୍ଥାରେ ପଡ଼ି ଛଟପଟ ହେଉଥିଲା। ଚିକିତ୍ସାଧୀନ ଅବସ୍ଥାରେ ଏହି ଆହତ ହାତୀର ମଧ୍ୟ ମୃତ୍ୟୁ ଘଟିଛି। ଆଜି ଆରସିସିଏଫ୍‌ ଲିଙ୍ଗରାଜ ହୋତା କେନ୍ଦୁଝର ଗସ୍ତ କରିବା ସହିତ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିଛନ୍ତି।

ପୁଲିସ୍‌ ଦୁର୍ଘଟଣାରେ ସଂପୃକ୍ତ ଭୁବନେଶ୍ବର-ବଲାଣି ଚଳାଚଳ କରୁଥିବା ‘ଐରାବତ’ ବସ୍‌ (ନଂ-ଓଡି୦୫ଏଫ୫୫୩୦)କୁ ଜବତ କରିବା ସହ ବସ୍‌ର ଡ୍ରାଇଭର ରାଜକିଶୋର ମହାନ୍ତଙ୍କୁ ଗିରଫ କରାଯାଇଛି। ଏଥିସହ ଧକ୍କା ଦେଇଥିବା ଅନ୍ୟ ତିନିଟି ଟ୍ରକ (ଓଡି୦୫ଏକ୍ୟୁ ୨୯୯୯) , (ଓଡି ୦୫ଆର ୧୩୧୫),( ଓଡି ୦୫ ଏସ ୧୩୧୫)କୁ ମଧ୍ୟ ଜବତ କରାଯାଇଛି। ଟ୍ରକ୍‌ (ଓଡି ୦୫ ଆର ୧୩୧୫) ର ଚାଳକ ଦୁର୍ଘଟଣାରେ ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା କେନ୍ଦୁଝର ଡିଏଫ୍‌ଓ ସଂଜୀବ ଯୋଶୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ, ଦୁର୍ଘଟଣା ଘଟାଇଥିବା ତିନିଟି ଟ୍ରକ୍‌ ଏବଂ ଟ୍ରାନ୍ସପୋର୍ଟରଙ୍କ ବି‌ରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଖଣି ନି‌ର୍ଦେଶାଳୟ। ଜଙ୍ଗଲ ବିଭାଗର ସୂଚନା ଆଧାରରେ ଖଣି ନିର୍ଦେଶାଳୟ ପକ୍ଷରୁ (ଓଡି ୦୫ଏକ୍ୟୁ ୨୯୯୯) , (ଓଡି ୦୫ ଆର ୧୩୧୫), (ଓଡି ୦୫ ଏସ ୧୩୧୫) ତିନିଟି ଟ୍ରକର ଆଇଥ୍ରିଏମ୍‌ଏସ୍‌ ରଦ୍ଦ ପାଇଁ ନୋଟିସ କରାଯାଇଛି। ସାଇ ଲୋକେଶ ଆସୋସିଏଟ୍‌(ଟିଆର୧୦୧୦୭/୨୦୧୮), ଏସ୍‌ଏସ୍‌ ଆର୍ଥ ମୁଭର୍ସ(ଟିଆର୨୯୭/୨୦୧୪), କ୍ରିଷ୍ଣା ପରିବହନ(ଟିଆର୧୦୨୨୬/୨୦୧୮) ପରି ତିନୋଟି ଟ୍ରାନ୍ସପୋର୍ଟରଙ୍କୁ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଲୋଡିଂ ନ ଦେବାକୁ ଖଣି ଲିଜ୍‌ଧାରୀଙ୍କୁ ଅବଗତ କରାଯାଇଛି। ଏହି ନୋଟିସ୍‌ରେ ଦର୍ଶାଯାଇଛି ଯେ ତିନିଟି ଟ୍ରକର ଆଇଥ୍ରିଏମ୍‌ଏସ୍‌ ରଦ୍ଦ କରାଯାଉଥିବାରୁ ଏଗୁଡ଼ିକୁ କୌଣସି ଖଣି ଲିଜ୍‌ଧାରୀ କିମ୍ବା ଟ୍ରାନ୍ସପୋର୍ଟର ଖଣିଜ ପଦାର୍ଥ ପରିବହନ କାମରେ ଲଗାଇବେ ନାହିଁ। ସେହିପରି ଆଇଥ୍ରିଏମ୍‌ଏସ୍‌ ସହିତ ସଂଯୁକ୍ତ ଥିବା ସାଇ ଲୋକେଶ ଆସୋସିଏଟ୍‌, ଏସ୍‌ଏସ୍‌ ଆର୍ଥ ମୁଭର୍ସ, କ୍ରିଷ୍ଣା ପରିବହନ ନାମକ ଟ୍ରାନ୍ସପୋର୍ଟରଙ୍କ ଲାଇସେନ୍ସ ରଦ୍ଦ କରାଯାଉଛି। ତେଣୁ କୌଣସି ଲିଜ୍‌ଧାରୀ ଏହି ତିନୋଟି ଟ୍ରାନ୍ସପୋର୍ଟରଙ୍କୁ କୌଣସି ପରିବହନ କାର୍ଯ୍ୟରେ ନ ଲଗାଇବାକୁ ନୋଟିସ ଜାରି କରାଯାଇଛି।

ସମ୍ବନ୍ଧିତ ଖବର