ଧାନ ବିଲରେ ଗୋରୁ ଚରାଇବାକୁ ନେଇ ଆକ୍ରମଣ : ୩ ଗୁରୁତର, ଟାଙ୍ଗିଆ ଜବତ

ଖଣ୍ଡପଡ଼ା : ଧାନ ବିଲରେ ଗାଈ ଗୋରୁ ଚରାଇବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ବିବାଦ ଉଗ୍ର ରୂପ ନେଇଛି। ଏହି ଘଟଣାକୁ କେନ୍ଦ୍ର କରି ହୋଇଥିବା ଆକ୍ରମଣରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାଣିପଡ଼ା ପଞ୍ଚାୟତ ଅନ୍ତର୍ଗତ ଗୋପପୁର ଗ୍ରାମର ଧ୍ରୁବ ପରିଡ଼ା ଓ ଛାଟିଆ ସାହୁଙ୍କ ମଧ୍ୟର ସର୍ବଦା କଳହ ଲାଗି ରହୁଥିଲା। ଗତକାଲି ପୁନର୍ବାର ଛାଟିଆ ସାହୁଙ୍କ ବିଲରେ ଧ୍ରୁବ ପରିଡ଼ା ଗାଈ ଗୋରୁ ଓ ଛେଳି ଚରାଇବାରୁ ନେଇ ଉଭୟଙ୍କ ପରିବାର ମଧ୍ୟରେ କିଛି ସମୟ ଯୁକ୍ତିତର୍କ ଲାଗି ରହିଥିଲା। ଏପରିକି ଛାଟିଆ ସାହୁଙ୍କ ସମେତ ଶିବ ସୁନ୍ଦର ନାୟକ, ଗଣେଶ ନାୟକ ଓ ପ୍ରଭାତ ନାୟକ ଧ୍ରୁବ ପରିଡ଼ାଙ୍କ ଘରକୁ ଯାଇ ଏଭଳି କାହିଁକି ବାରମ୍ବାର କରୁଛ ବୋଲି ପଚାରିଥିଲେ। ଏହା ପରେ ଗତକାଲି ସଂଧ୍ୟା ୫ଟାରେ ଧ୍ରୁବ ପରିଡ଼ା, ପୁଅ ଡାକ ପରିଡ଼ା, ଦୁଇ ଭାଇ ଭାବ ପରିଡ଼ା ଓ ଜୟକୃଷ୍ଣ ପରିଡ଼ା ଉତ୍ତ୍ୟକ୍ତ ହୋଇ ଟାଙ୍ଗିଆ ଓ ଫାର୍ସାରେ ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣରେ ଗୁରୁତର ହେବାରୁ ପରିବାର ଲୋ‌େକ ୩ଜଣଙ୍କୁ ଚିକିତ୍ସା ନିମନ୍ତେ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ନୟାଗଡ଼ରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ସମେସ୍ତ କଟକ ବଡ଼ ମଡେିକାଲରେ ଚିକିତ୍ସାଧୀନ ଅଛନ୍ତି। ଏ ନେଇ ଶିବ ସୁନ୍ଦର ନାୟକ ଖଣ୍ଡପଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ବିଭିନ୍ନ ଦଫାରେ ମୁଖ୍ୟ ଅଭିଯୁକ୍ତ ଧ୍ରୁବ ପରିଡ଼ା ଓ ତାର ପୁଅ ଡାକ ପରିଡ଼ାକୁ ଗିରଫ କରିବା ସହ ରକ୍ତଭିଜା ଟାଙ୍ଗିଆ ଜବତ କରି ଆଜି କୋର୍ଟ ଚାଲାଣ କରିଥିବାବେଳେ ଅନ୍ୟମାନେ ଫେରାର୍ ଥିବା ପୁଲିସ କହିଛି ା ତେବେ ଖଣ୍ଡପଡ଼ା ପୁଲିସ ଅପରପକ୍ଷରୁ ପାଲଟା ଏତଲା ଗ୍ରହଣ କରିଥିବା ମଧ୍ୟ ଖଣ୍ଡପଡ଼ା ଥାନା ଅଧିକାରୀ ବିମଳ ଚନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି। ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର