ବଜ୍ରପାତରେ ତିନି ମୃତ, ଜଣେ ଆହତ

ତିଗିରିଆ, : କଟକ ଜିଲ୍ଲା ତିଗିରିଆ ବ୍ଲକ୍‌ ଅଂଚଳରେ ଆଜି ବଜ୍ରପାତ ଯୋଗୁଁ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଥିବା ଜଣାଯାଇଛି। ବିନ୍ଧାଣିମା ଗ୍ରାମର ସଞ୍ଜୟ ବେହେରା(୩୪), ହାଟମାଳ ପଞ୍ଚାୟତ ବିଷ୍ଣୁପୁର ଗ୍ରାମର କବିଚନ୍ଦ୍ର ବଳ (୫୫) ଓ ସାମପୁର ଗ୍ରାମର ନିରଞ୍ଜନ ବେହେରା(୫୪)ଙ୍କର ବଜ୍ରପାତରେ ମୃତ୍ୟୁ ଘଟିଥିବା ବେଳେ ପ୍ରେମାନନ୍ଦ ବେହେରା ଆହତ ହୋଇଛନ୍ତି।

ପ୍ରକାଶ ଯେ ବିନ୍ଧାଣିମା ଗ୍ରାମର ୰ପ୍ରଭାକର ବେହେରାଙ୍କ ପୁଅ ସଂଜୟ ବେହେରା ବିଲକୁ କାମ କରିବାକୁ ଯାଇଥିବା ବେଳେ ଅପରାହ୍ନ ୧.୪୫ ମିନିଟ୍‌ ସମୟରେ ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ବିନ୍ଧାଣିମା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ହାଟମାଳ ପଞ୍ଚାୟତ ବିଷ୍ଣୁପୁର ଗ୍ରାମର ୧୩ ନଂ ୱାର୍ଡର କବିଚନ୍ଦ୍ର ବଳ ବିଲରେ କାମ କରିବାକୁ ଯାଇଥିବା ସମୟରେ ଆଜି ଅପରାହ୍ନ ୨.୪୫ରେ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି। ସେହିପରି ହାଟମାଳ ପଞ୍ଚାୟତ ସାମପୁର ଗ୍ରାମର ନିରଞ୍ଜନ ବେହେରା ଓ ପ୍ରେମାନନ୍ଦ ବେହାରା ଆଜି ବିଲରେ କାମ କରି ଘରକୁ ଫେରୁଥିବା ବେଳେ ବଜ୍ରପାତରେ ଆହତ ହୋଇଥିଲେ। ଉଭୟଙ୍କୁ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତିି କରାଯାଇଥିବା ବେଳେ ନିରଞ୍ଜନ ବେହେରାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରେମାନନ୍ଦଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଆଠଗଡ ପଠାଯାଇଥିଲା। ଏହି ଘଟଣାରେ ତିଗିରିଆ ଥାନାରେ କେସ୍‌ ନମ୍ବର ୯/୧୮, ୧୦/୧୮, ୧୧/୧୮ରେ ତିନି ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଆଠଗଡ଼ରେ ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଥିବା ତିଗିରିଆ ଥାନା ଅଧିକାରୀ ସୁଶାନ୍ତ ଶତପଥୀ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର