ମାଓବାଦୀଙ୍କ ଟାର୍ଗେଟ୍‌ରେ ଥିଲେ ବିଏସ୍‌ଏଫ୍‌ ଯବାନ : ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ମୃତ

ରାଇଘର : ବିଏସ୍‌ଏଫ୍‌ ଯବାନଙ୍କ ପାଇଁ ମାଓବାଦୀ ବିଛାଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହେବାରୁ ୩ ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଟ୍ରାକ୍ଟର ଡ୍ରାଇଭର୍‌ ରହିଥିବାବେଳେ ଅନ୍ୟ ୨ଜଣ ହେଉଛନ୍ତି ଶ୍ରମିକ। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ୩ ଜଣଙ୍କର ଶରୀର ଖଣ୍ଡବିଖଣ୍ଡିତ ହୋଇ ଘଟଣାସ୍ଥଳରେ ବିଛାଡ଼ି ହୋଇପଡ଼ିଛି। ନବରଙ୍ଗପୁର ଜିଲ୍ଲା ରାଇଘର ଅନ୍ତର୍ଗତ ଭେନସ ଜଙ୍ଗଲଠାରେ ଏହି ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଆଜି ସକାଳେ ଗୋଟିଏ ନମ୍ବର ବିହୀନ ଟ୍ରାକ୍ଟର ନେଇ ଗଞ୍ଜାପାରା ପଞ୍ଚାୟତ ଅନ୍ତର୍ଗତ ଲାଲମାଟି ଗାଁର ଡ୍ରାଇଭର ଲଛୁ ଗଣ୍ଡ (୨୦) ଛତିଶଗଡର ଗହରମୁଣ୍ଡି ଯାଇଥିଲେ। ସାଙ୍ଗରେ ଥିଲେ ମାରଙ୍ଗପାଲି ଗାଁର ଦୁଇ ଶ୍ରମିକ ଭରତ ଜାନୀ (୧୮) ଏବଂ ଦଶରଥ ଜାନୀ (୧୯)। ଇନ୍ଦିରାଆବାସ ପାଇଁ ଆବଶ୍ୟକ କିଛି ସାମଗ୍ରୀ ସେମାନେ ଟ୍ରାକ୍ଟରରେ ବୋଝେଇ କରି ମଧ୍ୟାହ୍ନ ୧୨ଟାରେ ପୁଣି ଭେନସ ଗାଁକୁ ଫେରୁଥିଲେ। ତେବେ, ଭେନସ ଗାଁକୁ ସଂଯୋଗ କରୁଥିବା ଜଙ୍ଗଲିଆ ମାଟି ରାସ୍ତାରେ କାଳବୈଶାଖୀ ପ୍ରଭାବରେ ଭାଙ୍ଗି ପଡିଥିବା ଗୋଟିଏ ଗଛ ଡାଳରେ କପଡ଼ା ବନ୍ଧା ହୋଇଥିବା ସେମାନେ ଦେଖିଥିଲେ। ଟ୍ରାକ୍ଟରକୁ ଅଟକାଇ ବନ୍ଧା ହୋଇଥିବା କପଡ଼ାକୁ ଫିଟାଇବା ସମୟରେ ହଠାତ୍‌ ତାହା ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ୩ ଜଣଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ଗୋଟିଏ ଶବ ବିସ୍ଫୋରଣ ସ୍ଥଳରୁ ୨୦ ମିଟର, ଅନ୍ୟ ଦୁଇଟି ଯଥାକ୍ରମେ ୫୦ ମିଟର ଓ ୧୦୦ ମିଟର ଦୂରରେ ଯାଇପଡିଥିଲା।

ସେହି ରାସ୍ତାରେ ଲୋକମାନଙ୍କର ବିଶେଷ ଚଳପ୍ରଚଳ ନଥିବାରୁ ସଂଧ୍ୟା ପ୍ରାୟ ସାଢ଼େ ୫ଟାରେ ସମୟରେ ଘଟଣା ସଂପର୍କରେ ସୂଚନା ମିଳିଥିଲା। ଏହା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବାବେଳେ ସଂଧ୍ୟା ସୁଦ୍ଧା ପୁଲିସ କିମ୍ବା ଫୁଟାନାଡସ୍ଥିତ ବିଏସ୍‌ଏଫ୍‌ କ୍ୟାମ୍ପରୁ ଯବାନମାନେ ଘଟଣାସ୍ଥଳକୁ ଯାଇ ନ ଥିବା ଜଣାପଡ଼ିଛି। ଆସନ୍ତକାଲି ପୁଲିସ ଘଟଣାସ୍ଥଳକୁ ଯିବ ବୋଲି ଶୁଣିବାକୁ ମିଳୁଛି।

ଅନ୍ୟପକ୍ଷରେ, ମୃତକଙ୍କ ଶବକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିନାହାନ୍ତି। ଫଳରେ, ମୃତଦେହର ଖଣ୍ଡବିଖଣ୍ଡିତ ଅଂଶକୁ ହିଂସ୍ରଜନ୍ତୁମାନେ ଖାଇ ଦେବାର ଆଶଙ୍କା ସୃଷ୍ଟି ହୋଇଛି। ବିଏସ୍‌ଏଫ୍‌ ଯବାନଙ୍କ ଗତିବିଧିକୁ ଲକ୍ଷ୍ୟ କରି ମାଓବାଦୀ ସେଠାରେ ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର