ତସିଫ, ସୋଆଇବ ଓ ଆବୁଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୩ ସାହସୀ ବାଳକ-ତସଫ, ସୋଆଇବ ଓ ଆବୁଲଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ତସିଫ ଓ ସୋଆଇବଙ୍କ ସାହସିକତାର ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିଧାନ, ବ୍ୟାକରଣ ପୁସ୍ତକ ଓ ଅନ୍ୟାନ୍ୟ ପାଠ୍ୟଉପକରଣ ଓ ଚକଲେଟ ଉପହାର ଦେଇଛନ୍ତି। କୁନି ବାଳକ ଆବୁଲଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପାଠ୍ୟଉପକରଣ ଓ ଚକଲେଟ ପ୍ରଦାନ କରିଛନ୍ତି।

ଚଳିତ ମାସ ୨ ତାରିଖ ଗଣେଶ ପୂଜା ଥିଲା। ଯାଜପୁର ସଡ଼କପୁର ପ୍ରାଥମିକ ବିଦ୍ୟାଳୟର ୬ ବର୍ଷର କୁନି ବାଳକ ଅବୁଲ ରୁମନ ଖାଁ ସ୍କୁଲରୁ ଫେରୁଥିବା ବେଳେ ରାସ୍ତାକଡ଼ରେ ଥିବା ଗୋଟିଏ ପୋଖରୀରେ ଖସି ପଡ଼ି ବୁଡ଼ି ଯାଉଥିଲା। ଏହି ସମୟରେ ଫଜଲପୁର ଗାଁର କୋରେଇ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ୨ ଜଣ ବାଳକ ସେକ୍‌ ତସିଫ୍‌ ରାଜା ଓ ମହମ୍ମଦ ସୋଆଇବ୍‌ ବୁଡି ଯାଉଥିବା ବାଳକଟିକୁ ଦେଖି ନିଜ ଜୀବନକୁ ଖାତିର ନ କରି ପାଣିକୁ ଡେଇଁପଡ଼ି ତାକୁ ଉଦ୍ଧାର କରିଥିଲେ। ସେମାନଙ୍କ ସାହସିକତା ଯୋଗୁଁ ଗୋଟିଏ ମୂଲ୍ୟବାନ ଜୀବନ ରକ୍ଷା ପାଇଥିଲା।

ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଶର୍ମୀଷ୍ଠା ସେଠୀ, କୋରେଇ ବିଧାୟକ ଅଶୋକ ବଳ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର ବାଳକ୍ରିଷ୍ଣନ ଓ ଅନ୍ୟ ବରିଷ୍ଠ ଅଧିକାରୀଗଣ, ତିନି ବାଳକଙ୍କ ପରିବାରବର୍ଗ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର