୩ ଦୋକାନ ଜଳିଗଲା

ବାଲେଶ୍ୱର : ଆଜି ଦ୍ୱିପ୍ରହରରେ ବାଲେଶ୍ୱର ସହରର ତେଲେଙ୍ଗାସାହିସ୍ଥିତ ବିଦ୍ୟୁତ୍‌ମାର୍ଗ ରାସ୍ତା ପାର୍ଶ୍ୱରେ ଥିବା ୩ଟି ଦୋକାନ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ଛାରଖାର ହୋଇଯାଇଛି। ପ୍ରାୟ ଦେଢ଼ଟା ବେଳେ ଏହି ନିଆଁ ଲାଗିଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ପ୍ରଥମେ ସଫିକ୍‌ ମହମ୍ମଦଙ୍କ ଫ୍ରିଜ୍‌ ମରାମତି ଦୋକାନରେ ନିଆଁ ଲାଗି ପ୍ରବଳ ମାତ୍ରାରେ ଧୂଆଁ ଉଠିଥିଲା। ସଙ୍ଗେ ସଙ୍ଗେ ନିଆଁର ପ୍ରକୋପ ଏତେ ବଢ଼ିଯାଇଥିଲା ଯେ ଲିଭାଇବା ଲାଗି କେହି ସେଠାକୁ ଯାଇପାରି ନ ଥିଲେ। ଏହା ପରେ ସେଠାରେ ଥିବା ମଧୁସୂଦନ ବାରିକଙ୍କ କାଠ ଦୋକାନ ଓ ନିତ୍ୟାନନ୍ଦ ଦତ୍ତଙ୍କ ରଙ୍ଗ ଦୋକାନରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ ୩ଟି ଦୋକାନର ସବୁକିଛି ପୋଡ଼ି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ଅଗ୍ନିକାଣ୍ଡରେ ୨ଟି ବଡ଼ ଗଛ ଜଳିଯାଇଛି।

ସହରର ମୁଖ୍ୟ ରାସ୍ତା ଓଟିରୋଡର ଅଳ୍ପ ଦୂରରେ ହୋଇଥିବାରୁ ସଙ୍ଗେ ସଙ୍ଗେ ଲୋକଙ୍କ ଗହଳି ଲାଗି ଯାଇଥିଲା। ଖବର ପାଇ ଟ୍ରାଫିକ୍‌ ଥାନା ଓଆଇସି ପ୍ରଶାନ୍ତ କୁମାର ରଣସିଂ ସଦଳବଳେ ପହଞ୍ଚି ସେଠାରୁ ଲୋକଙ୍କ ଭିଡ଼ ନିୟନ୍ତ୍ରଣ କରିବା ସହିତ ଦମକଳ ବାହିନୀକୁ ଖବର ଦେଇଥିଲେ। ୩ ଦମକଳ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ। ନିଆଁ ଲାଗିବାର କୌଣସି ନିର୍ଦ୍ଦିଷ୍ଟ କାରଣ ଜଣା ପଡ଼ି ନ ଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି। ଠିକ୍‌ ସମୟରେ ନିଆଁକୁ ଆୟତ୍ତ କରାଯାଇଥିବାରୁ ଏହାର ଆଖପାଖରେ ରହିଥିବା ଅନ୍ୟ ଦୋକାନ, ବ୍ୟାଙ୍କ, ବ୍ୟବସାୟିକ ପ୍ରତିଷ୍ଠାନ ରକ୍ଷା ପାଇଯାଇଥିଲା।

ସମ୍ବନ୍ଧିତ ଖବର