ସୋହେଲଙ୍କୁ ଖୋଜୁଛି ୩ ରାଜ୍ୟର ପୁଲିସ

ରହସ୍ୟ ଘେରରେ ଏମ୍‌ସର କଶ୍ମୀର ଛାତ୍ର ନିଖୋଜ ମାମଲା

ଖଣ୍ଡଗିରି,: ଭୁବନେଶ୍ୱର ଏମ୍‌ସର କଶ୍ମୀର ଛାତ୍ର ସୋହେଲ ଆଇଜାଦ୍‌ ହାଓ୍ଵଡ଼ାରେ ନିଖୋଜ ହୋଇଥିବା ମାମଲା ଏବେବି ରହସ୍ୟ ଘେରରେ ରହିଛି। ଓଡ଼ିଶା, ଜମ୍ମୁକଶ୍ମୀର ଓ ପଶ୍ଚିମବଙ୍ଗ ଭଳି ତିନି ତିନିଟି ରାଜ୍ୟର ପୁଲିସ ସୋହେଲଙ୍କୁ ଖୋଜିବାରେ ଲାଗିଥିଲେ ବି କିଛି ସୁଫଳ ମିଳି ପାରିନାହିଁ। ସୋହେଲଙ୍କ ସନ୍ଧାନରେ ହାଓ୍ଵଡ଼ା ଯାଇଥିବା ଭୁବନେଶ୍ୱରର କମିସନରେଟ୍‌ ପୁଲିସ ମଧ୍ୟ ସେଠାରେ କୌଣସି ସୁରାକ୍‌ ପାଇନାହିଁ। ସମୟ ଅତିକ୍ରାନ୍ତ ହେବା ସହ ସୋହେଲଙ୍କ ନିଖୋଜ ହେବା ପଛର ରହସ୍ୟ ଉପରୁ ପର୍ଦା ହଟୁନଥିବାରୁ ଆତଙ୍କବାଦୀ ସଂଗଠନ ଲିଙ୍କ୍‌କୁ ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଛି, ତାହା କ୍ରମଶଃ ଦୃଢ଼ୀଭୂତ ହେବାରେ ଲାଗିଛି। ତେଣୁ ସୋହେଲଙ୍କୁ ନେଇ ତାଙ୍କ ପରିବାରବର୍ଗ ଯେତିକି ଚିନ୍ତାରେ ନାହାନ୍ତି, ତାହାଠାରୁ ସରକାରଙ୍କ ଚିନ୍ତା ବେଶ୍‌ ଅଧିକ ହୋଇଥିବା ଜଣାପଡ଼ିଛି। ଏ ନେଇ ଉଭୟ କେନ୍ଦ୍ର ଗୃହ ଓ ମାନବ ସମ୍ବଳ ମନ୍ତ୍ରାଳୟ ଚିନ୍ତା ପ୍ରକଟ କରିଛି। ଗତକାଲି ସୋହେଲଙ୍କ ନିଖୋଜ ସନ୍ଧାନ ପାଇଁ କମିସନରେଟ୍‌ ପୁଲିସର ଏକ ୪ ଜଣିଆ ଟିମ୍‌ ଖଣ୍ଡଗିରି ଥାନାରୁ ହାଓ୍ଵଡ଼ା ଯାଇଥିଲା। ସୂଚନାନୁସାରେ ଏହି ଟିମ୍‌ ପ୍ରଥମେ ହାଓ୍ଵଡ଼ା ଷ୍ଟେସନର ସିସିଟିଭି ଫୁଟେଜ୍‌ ଖୋଜିଥିଲା। କିନ୍ତୁ ସେଠାରେ ମାତ୍ର ୭ ଦିନର ଫୁଟେଜ୍‌ ରହୁଥିବାରୁ ଫୁଟେଜ୍‌ ତନଖିରୁ କିଛି ଫଳ ମିଳିଲା ନାହିଁ। କାରଣ ୯ ତାରିଖ ରାତିରେ ଭୁବନେଶ୍ୱର ଛାଡ଼ିଥିବା ସୋହେଲ୍‌ଙ୍କ ମୋବାଇଲ୍‌ ଫୋନ୍‌ ଗତ ୧୦ ତାରିଖ ସକାଳେ ହାଓ୍ଵଡ଼ା ଷ୍ଟେସନରେ ଥିବା ଜଣାପଡ଼ିଥିଲା ଓ ତା ପରଠାରୁ ବନ୍ଦ ହୋଇ ଯାଇଥିଲା। ତେଣୁ ୧୦ ତାରିଖରୁ ୨୬ ତାରିଖ ଭିତରେ ପ୍ରାୟ ଦୁଇ ସପ୍ତାହ ବିତି ଯାଇଥିବାରୁ ସିସିଟିଭି ଫୁଟେଜ୍‌ ଏ ଦିଗରେ କିଛି ସହଯୋଗ କରିପାରିନାହିଁ। ତଥାପି

ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ହାଓ୍ଵଡ଼ା ପୁଲିସ କମ୍ପ୍ୟୁଟରର ହାର୍ଡଡିସ୍କ୍‌କୁ ନେଇ ଅଧିକ ଖୋଳତାଡ଼ କରିବ ବୋଲି ସୂଚନା ମିଳିଛି। ସେହିଭଳି ଏହି ଟିମ୍‌ ହାଓ୍ଵଡ଼ା ନିକଟବର୍ତୀ ୫ଟି ଥାନା ବୁଲିଥିବା ଜଣାପଡ଼ିଛି। ୧୦ ତାରିଖ ପରଠାରୁ ବିଭିନ୍ନ ଥାନାରେ ହୋଇଥିବା ଅପମୃତ୍ୟୁ ମାମଲା ବାବଦରେ ଛାନ୍‌ଭିନ୍‌ କରିଛି। ସୂଚନାନୁସାରେ ଏହି ଟିମ୍‌ ଅପମୃତ୍ୟୁ ମାମଲାରେ ଅନ୍ତର୍ଭୁକ୍ତ ପ୍ରାୟ ୨୦ଟି ଅଜଣା ବ୍ୟକ୍ତିଙ୍କ ମୃତଦେହ ଦେଖିଛି ଓ ପ୍ରାୟ ୫୦ରୁ ଅଧିକ ଅଜଣା ମୃତବ୍ୟକ୍ତିଙ୍କ ଫଟୋ ଦେଖିଛି। କିନ୍ତୁ ଏଗୁଡ଼ିକ ଭିତରେ ସୋହେଲ୍‌ ନଥିବା ଜଣାପଡ଼ିଛି। ତେଣୁ ହାଓ୍ଵଡ଼ା ଯାଇଥିବା ପୁଲିସ ଟିମ୍‌ ଖାଲି ହାତରେ ଫେରିବା ଏକ ପ୍ରକାର ନିଶ୍ଚିତ। ତଥାପି ଏହି ଟିମ୍‌ ହାଓ୍ଵଡ଼ାରେ ରହିଛି ଓ କୋଲକାତା ପୁଲିସ ସହଯୋଗରେ ଆଉ କିଛି ଥାନା ସହ ଯୋଗାଯୋଗ ଜାରି ରଖିଛି। ମାମଲାର ଗୁରୁତ୍ୱ ଦୃଷ୍ଟିରୁ ପଶ୍ଚିମବଙ୍ଗ ପୁଲିସ ମଧ୍ୟ ପରେ ଅଧିକ ତଦନ୍ତ କରିବ ବୋଲି ଜଣାଇଛି। ଯଦି ଭବିଷ୍ୟତରେ ହାଓ୍ଵଡ଼ା ପୁଲିସ ସିସିଟିଭିର ପୁରୁଣା ଫୁଟେଜ୍‌ରୁ କିଛି ସନ୍ଧାନ ପାଏ, ତାହେଲେ ଏହି ରହସ୍ୟମୟ ମାମଲା ଭିନ୍ନ ମୋଡ଼ ନେଇପାରେ ବୋଲି ପୁଲିସ ଆଶାବାଦୀ ରହିଛି। ଗୋଟିଏ ପଟେ ଖଣ୍ଡଗିରି ଥାନା ପୁଲିସ ଖୋଳତାଡ଼ କରୁଥିବବେଳେ ଅନ୍ୟ ପଟେ ରାଜ୍ୟ ଗୃହ ବିଭାଗ ଜମ୍ମୁକଶ୍ମୀର ଗୃହ ବିଭାଗ ସହ ଯୋଗାଯୋଗ କରିଛି। ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସୂଚନାନୁସାରେ ଜମ୍ମୁକଶ୍ମୀର ଡିଜିପିଙ୍କୁ ଏ ବାବଦରେ ସୂଚନା ଦିଆଯିବା ପରେ ସେଠାରେ ପୁଲିସ ଛାନ୍‌ଭିନ୍‌ କରିଛି। କିନ୍ତୁ ସୋହେଲଙ୍କ ସହ କୌଣସି ଆତଙ୍କବାଦୀ ସଂଗଠନର ଲିଙ୍କ୍‌ ବାବଦରେ କିଛି ବି ସୁରାକ୍‌ ମିଳିପାରିନାହିଁ।

ହାଓ୍ଵଡ଼ାରେ କମିସନରେଟ୍‌ ପୁଲିସର ହାତ ଖାଲି
ଉଡ଼ିଯାଇଛି ସିସିଟିଭି ଫୁଟେଜ୍‌

ତଦନ୍ତଭୁକ୍ତ ହେବ ଆଧାର ନମ୍ବର ଓ ବ୍ୟାଙ୍କ୍‌ ଆକାଉଣ୍ଟ୍‌

ତଥାପି ଜମ୍ମୁକଶ୍ମୀର ପୁଲିସ ସୋହେଲଙ୍କ ଉପରେ ଅଧିକ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଏମିତିକି ତାଙ୍କ ଆଧାର ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟକୁ ତଦନ୍ତ ପରିସରଭୁକ୍ତ କରାଯାଉଥିବା ଜଣାପଡ଼ିଛି। ପୂର୍ବରୁ ତାଙ୍କ ମୋବାଇଲ୍‌ କଲ୍‌ ରେକର୍ଡକୁ ପୁଲିସ ଛାନ୍‌ଭିନ୍‌ କରୁଛି, କିନ୍ତୁ ସେଥିରୁ ଏ ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ସୁରାକ୍‌ ପୁଲିସର ହସ୍ତଗତ ହୋଇନାହିଁ। ଆଧାର ନମ୍ବର ବ୍ୟାଙ୍କ ଆକାଉଣ୍ଟରୁ ହୁଏତ କିଛି ସନ୍ଧାନ ମିଳିଯାଇପାରେ ବୋଲି ଆଶା କରାଯାଉଛି। ତେବେ ଭୁବନେଶ୍ୱର କମିସନରେଟ୍‌ ପୁଲିସର ନିଖୋଜ ସଂକ୍ରାନ୍ତୀୟ ତଦନ୍ତ ରିପୋର୍ଟ ମିଳିବା ପରେ ଏହି ତଦନ୍ତକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ଜମ୍ମୁକଶ୍ମୀର ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର