ସଫେଇରେ ଅବହେଳା ପାଇଁ ଦଣ୍ଡ : ପ୍ରଧାନଶିକ୍ଷକଙ୍କ ମାଡ଼ରେ ୩ ଛାତ୍ରୀ ଗୁରୁତର

କ.ନୂଆଗାଁ/କୋଟଗଡ଼ : ଦଣ୍ଡମୁକ୍ତ ଅଞ୍ଚଳ ଘୋଷିତ ବିଦ୍ୟାଳୟ ପରିସରରେ ସଫେଇ କାମରେ ଅବହେଳା ପାଇଁ ତିନି ଜଣ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ନିସ୍ତୁକ ମାଡ଼ ମାରିଛନ୍ତି। ଏହି ମାଡ଼ରେ ତିନି ଛାତ୍ରୀ ଲହୁଲୁହାଣ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ମହାସିଙ୍ଗି ପଞ୍ଚାୟତ ନୋଡାଲ୍‌ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି।

ବିଦ୍ୟାଳୟର ପ୍ରଧାନଶିକ୍ଷକ ହେଉଛନ୍ତି ହରିଶ୍ଚନ୍ଦ୍ର ସାହୁ। ଅଭିଯୋଗ ଅନୁସାରେ, ହରିଶ୍ଚନ୍ଦ୍ର ଆଜି ବିଦ୍ୟାଳୟରେ ତିନି ଜଣ ଛାତ୍ରୀ ଶ୍ରଦ୍ଧାଞ୍ଜଳି ବେହର୍ଦଳାଇ, ରଚନା ପ୍ରଧାନୀ ଓ ଅଷ୍ଟମୀ ନାୟକଙ୍କୁ ବିଦ୍ୟାଳୟ ଗୃହ ସଫେଇ, ବଗିଚା ସଫା କରିବା ଓ ବାରଣ୍ଡାରେ ଝାଡ଼ୁ ମାରିବାକୁ ବାଧ୍ୟ କରିିଥିଲେ। ଛାତ୍ରୀମାନେ କାମ ଆରମ୍ଭ କରିବା କ୍ଷଣି କାହିଁକି କାମରେ ଅବହେଳା କରୁଛ, ବୋଲି ପ୍ରଶ୍ନ କରି ନିସ୍ତୁକ ମାଡ଼ ମାରିଥିଲେ। ଶରୀରର ବିଭିନ୍ନ ଭାଗରେ ସେମାନଙ୍କୁ ଆଘାତ ଲାଗିଥିଲା। ଗୁରୁତର ଓ ଅଚେତ ଅବସ୍ଥାରେ ତିନିଜଣଙ୍କୁ ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପାଇଁ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପ୍ରଧାନଶିକ୍ଷକଙ୍କୁ ତୁରନ୍ତ ନିଲମ୍ବିତ କରାଯାଇଛି।

ସମ୍ବନ୍ଧିତ ଖବର