କୋଇଲା ସଙ୍କଟ ସାଂଘାତିକ : ଏନ୍‌ଟିପିସି କଣିହାଁର ୩ଟି ୟୁନିଟ୍ ବନ୍ଦ

କଣିହାଁ : ଏନ୍‌ଟିପିସି କଣିହାଁ ତାର ୬ଟି ୟୁନିଟ୍‌କୁ ଚଳାଇବା ପାଇଁ ଦିନକୁ ୫୫ ହଜାର ମେଟ୍ରିକ୍ ଟନ କୋଇଲା ଆବଶ୍ୟକ । ମାତ୍ର, ଗତ ୨୫ ତାରିଖରୁ ତାଳଚେର କୋଇଲା ଖଣି ବନ୍ଦ ଯୋଗୁଁ ଏନ୍‌ଟିପିସିକୁ କୋଇଲା ଆସି ପାରୁନାହିଁ। ଫଳରେ ଏନ୍‌ଟିପିସିରୁ ବିଜୁଳି ଉତ୍ପାଦନ ସମ୍ପୂର୍ଣ ବ୍ୟାହତ ହୋଇଛି। ଷ୍ଟକ୍‌ୟାର୍ଡରେ ମାତ୍ର ୪୦ ହଜାର ମେଟ୍ରିକ ଟନ୍ କୋଇଲା ମହଜୁଦ ରହିଛି। ଫଳରେ, କୋଇଲା ଅଭାବରୁ ଏନ୍‌ଟିପିସି ତାର ୩ ୟୁନିଟକୁ ବନ୍ଦ କରିଦେଇଥିବା ଜଣାପଡିଛି। ବାକି ୩ଟି ୟୁନିଟ୍‌ରୁ ମାତ୍ର ୧୦୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି। ଆଗାମୀ ଦିନରେ ସମଗ୍ର ଦକ୍ଷିଣ ଏବଂ ପୂର୍ବ ଭାରତରେ ପ୍ରଭାବ ପକାଇବ ବୋଲି ଏନ୍‌ଟିପିସି କଣିହାଁ କର୍ତ୍ତୃପକ୍ଷ ଚେତାଇ ଦେଇଛନ୍ତି।

ଗତ ୫ ଦିନ ହେଲା ତାଳଚେର ଲିଙ୍ଗରାଜ ଓ କଣିହାଁ କୋଇଲା ଖଣିରୁ ଟ୍ରେନ୍‌ ଯୋଗେ ଆସୁଥିବା କୋଇଲା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଜାଳେଣି ପାଇଁ ଅବଶ୍ୟକ ହେଉଥିବା କଞ୍ଚାମାଲ ଅଭାବ ଯୋଗୁଁ ଏସିଆ ମହାଦେଶର ଦ୍ବିତୀୟ ସର୍ବ ବୃହତ ତାପଜ ବିଦ୍ୟୁତ କେନ୍ଦ୍ର କୁହାଯାଉଥିବା ଏନ୍‌ଟିପିସି(ତାଳଚେର ସୁପର ଥର୍ମାଲ ପାୱାର ଷ୍ଟେସନ) କଣିହାଁରୁ ବିଦ୍ୟୁତ୍‌ ଉତ୍ପାଦନ ସମ୍ପୂର୍ଣ୍ଣ ଠପ୍ ହେବାକୁ ବସିଛି। ସବୁ ୟୁନିଟ୍‌ଗୁଡିକୁ ଏ ପର୍ଯ୍ୟନ୍ତ ବନ୍ଦ କରାଯାଇ ନଥିଲେ ମଧ୍ୟ ଯେ କୋଣସି ସମୟରେ ଏହା ବନ୍ଦ ହୋଇପାରେ ବୋଲି ଆଶଙ୍କା ଘନୀଭୂତ ହୋଇଛି। କାରଣ ଷ୍ଟକ୍‌ୟାର୍ଡରେ ଯେତିକି କୋଇଲା ଅଛି ସେଥିରେ ଆଉ ଗୋଟିଏ ଦିନ ବି ପ୍ଲାଣ୍ଟ ଚାଲିବା ସମ୍ଭବ ନୁହେଁ। ଏଭଳି ପରିସ୍ଥିତିରେ ତିନି ହଜାର ମେଗାୱାଟ୍ ବିଶିଷ୍ଟ କଣିହାଁ ତାପଜ ବିଦ୍ୟୁତ କେନ୍ଦ୍ରର ୬ଟି ୟୁନିଟ ମଧ୍ୟରୁ ୩ଟି ୟୁନିଟକୁ ବନ୍ଦ କରି ଦିଆଯାଇଛି। ଅବଶିଷ୍ଟ ୩ଟି ୟୁନିଟକୁ କଷ୍ଟମଷ୍ଟେ ଅଳ୍ପ କିଛି ସଞ୍ଚିତ କୋଇଲା ଦ୍ୱାରା ଚଲାଯାଉଛି।

ଏନ୍‌ଟିପିସି କର୍ତ୍ତୃପକ୍ଷ ବର୍ତ୍ତମାନ ଇବ୍‌ଭେଲି, ଝାଡ଼ଖଣ୍ଡ ଇସିଏଲ କୋଇଲା ଖଣି ଏବଂ ତେଲେଙ୍ଗାନା କୋଇଲା ଖଣିରୁ କୋଇଲା ଆଣିବା ପାଇଁ ରେଳ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା ଚଳାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର