ପାଣିପାଗ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା

୫୦ରୁ ୬୦ କିମି ବେଗରେ ବହିପାରେ ପବନ

ଭୁବନେଶ୍ୱର: ରାଜ୍ୟର ୧୦ଟି ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ବୁଧବାର ଏହି ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ମାଲକାନଗିରି, କୋରପୁଟ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଅନୁଗୁଳ, ଢ଼େଙ୍କାନାଳ ଜିଲ୍ଲାରେ ଝଡ଼ତୋଫାନ ସହିତ ବର୍ଷା ହେବାର ଆଶଙ୍କା ରହିଛି। ରାତି ୧୦ଟା ୪୫ ପର୍ଯ୍ୟନ୍ତ ବାହାରକୁ ଯିବା ପୂର୍ବରୁ ସତର୍କ ସୂଚନା ଦିଆଯାଇଛି।

ଆଜି ସନ୍ଧ୍ୟାରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ସହିତ ବର୍ଷା ହୋଇଛି। ଭୁବନେଶ୍ୱର ଓ ତାଳଚେରରେ ବର୍ଷା ହୋଇଥିବା ବେଳେ ମୟୁରଭଞ୍ଜ ଓ ମାଲକାନଗିରିରେ ମଧ୍ୟ ସନ୍ଧ୍ୟାରେ ବର୍ଷା ହୋଇଛି।

ଉପକୂଳ ଓଡ଼ିଶାରେ ପୂର୍ବାହ୍ନରୁ ଖରା ଓ ଅସହ୍ୟ ଗରମ ହୋଇଥିଲେ ମଧ୍ୟ ଅପରାହ୍ନ ୪ଟା ପରେ ପାଗରେ ହଠାତ୍‌ ପରିବର୍ତ୍ତନ ଦେଖାଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ତେଣୁ ବାହାରକୁ ଯିବା ପୂର୍ବରୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର