ନୌବାଣିଜ୍ୟ ସଂଗ୍ରହାଳୟ ଟିକେଟ୍‌ରେ ଛାତ୍ରଛାତ୍ରୀଙ୍କୁ ରିହାତି

ଭୁବନେଶ୍ବର: କଟକସ୍ଥିତ ନୌବାଣିଜ୍ୟ ସଂଗ୍ରହାଳୟର ଲୋକପ୍ରିୟତା ବୃଦ୍ଧି ପାଉଛି। ଏହାର ବିକାଶ ସହ ଏଥି ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ସଂଗ୍ରହାଳୟରେ ଥିବା ଏସ୍‌ଏଫ୍‌ଏକ୍ସ ଓ ଆକ୍ବାରିୟମ୍ ପରିଦର୍ଶନରେ ଆସୁଥିବା ୧୪ ବର୍ଷରୁ କମ୍ ବୟସ ଛାତ୍ରଛାତ୍ରୀଙ୍କୁ ଟିକେଟ୍‌ରେ ୫୦ ପ୍ରତିଶତ ରିହାତି ଦିଆଯିବ। ଭିନ୍ନକ୍ଷମମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ପରିଦର୍ଶନ ସୁବିଧା ମିଳିବ। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟର ଚତୁର୍ଥ ପରିଚାଳନା ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟ କଟକ ସହରର ଏକ ଲୋକପ୍ରିୟ ଦର୍ଶନୀୟ ସ୍ଥାନ ଭାବରେ ବିକଶିତ ହୋଇପାରିଛି। ସଂଗ୍ରହାଳୟକୁ ଦର୍ଶକଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି। ଏହି ସଂଗ୍ରହାଳୟ ଆମ ନୌବାଣିଜ୍ୟ ପରମ୍ପରାର ଗୌରବମୟ ସ୍ମୃତି ବହନ କରୁଛି। ତେଣୁ ଛାତ୍ରଛାତ୍ରୀମାନଙ୍କୁ ସେ ସମ୍ପର୍କରେ ସଚେତନ କରିବା ନିମନ୍ତେ କଟକ ସହରର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ନୌବାଣିଜ୍ୟ ସଂଗ୍ରହାଳୟର ସୂଚନା ପତ୍ରିକା ବଣ୍ଟନ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ଆକ୍ବାରିୟମ୍‌ର ସମ୍ପ୍ରସାରଣ, ମିରର୍ ମେଜ୍ ପ୍ରତିଷ୍ଠା, ବିଭିନ୍ନ ଛୁଟି ଦିନରେ ‌ସଂଗ୍ରହାଳୟର କର୍ମଚାରୀ କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ବର୍ଷକୁ ୨୧ ଦିନର ଦରମା ଦେବା ଏବଂ କର୍ମଚାରୀମାନଙ୍କର ଦରମାର ପୁନଃନିର୍ଦ୍ଧାରଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହା ବାଦ୍ ନୌବାଣିଜ୍ୟ ସଂଗ୍ରହାଳୟ ସମ୍ମୁଖରେ ମହାନଦୀ ତଟର ସ୍ବତନ୍ତ୍ର ବିକାଶ ଓ ସୌନ୍ଦର୍ଯ୍ୟ କରିବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଏହି ବୈଠକରେ କଟକ ସାଂସଦ, କଟକ ସହର ଓ ଟାଙ୍ଗୀ-ଚୌଦ୍ବାର ବିଧାୟକଙ୍କ ସମେତ ଉନ୍ନୟନ କମିସନର୍, ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଓ କଟକ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର