ନିଦ ହଜାଇଲେଣି ବାଘ : ଦେବ୍ରିଗଡ଼ରେ କାହାର ମୃତ୍ୟୁ, ମହାବଳ ନା କଲରାପତରି ବାଘ ?

ଡେରାଡୁନ୍‌ ବନ୍ୟପ୍ରାଣୀ ପ୍ରତିଷ୍ଠାନକୁ ନମୁନା ଗଲା, ରାଜ୍ୟ ବନ୍ୟ ପ୍ରାଣୀ ସଂରକ୍ଷକଙ୍କଠୁ ରିପୋର୍ଟ ତଲବ

ଭୁବନେଶ୍ବର/ବରଗଡ଼/ନୂଆଦିଲ୍ଲୀ : ଦେବ୍ରିଗଡ଼ ଅଭୟାରଣ୍ୟରେ କ’ଣ ମରିଛି? ମହାବଳ ବାଘ ନା କଲରାପତରିଆ ବାଘ? ଏହାକୁ ନେଇ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ବନ ବିଭାଗର ନିଦ ହଜିଗଲାଣି। ଗୋଟିଏ ପଟେ ସାତକୋଶିଆରେ ବାନ୍ଧବଗଡ଼ର ବାଘୁଣୀ ‘ସୁନ୍ଦରୀ’କୁ କାବୁ କରିବାରେ ବନ ବିଭାଗ ଫେଲ୍‌ ମାରିଥିବା ବେଳେ ସେପଟେ ଦେବ୍ରିଗଡ଼ରେ ମହାବଳର ମୃ୍ତ୍ୟୁକୁ ନେଇ ବିବାଦ ଘନେଇବାରେ ଲାଗିଛି। ଏ ନେଇ ସ୍ପଷ୍ଟ ହେବା ପାଇଁ ମୃତ ବାଘର ନମୁନା ଡେରାଡୁନସ୍ଥିତ ବନ୍ୟପ୍ରାଣୀ ପ୍ରତିଷ୍ଠାନକୁ ପଠାଯାଇଛି। ଅନ୍ୟପକ୍ଷରେ, ଘଟଣାର ଗୁରୁତ୍ବ ଦୃଷ୍ଟିକୋଣରୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ବନ୍ୟ ପ୍ରାଣୀ ସଂରକ୍ଷକଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି।

ଗତକାଲି, ଭଟଲି ରେଂଜ ଅନ୍ତର୍ଗତ ଖଜୁରିଆ-ଦାମୋଦରପଡ଼ା ମଧ୍ୟସ୍ଥ ଜଙ୍ଗଲରୁ ଏକ ବାଘର ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଶବଟି ଡେବ୍ରିଗଡ଼ ଅଭୟାରଣ୍ୟରେ ଠାବ ହୋଇଥିବା ଏକମାତ୍ର ମହାବଳ ବାଘର ବୋଲି ସନ୍ଦେହ କରାଯାଉଛି। ତେବେ, ଶବ ମିଳିବା ପରେ ଗତକାଲି ସମ୍ବଲପୁର ଏସିଏଫ୍ ଏବଂ ବରଗଡ଼ ଡିଏଫ୍ଓ ଶବଟି ମହାବଳର ବୋଲି ମାନିବାକୁ ନାରାଜ ଥିଲେ। ଦିନକ ପରେ ବି ବନ ବିଭାଗ ନିଜର ଆଭିମୁଖ୍ୟ ସମାନ ରହିଛି। ବ୍ୟବଚ୍ଛେଦ ପରେ ବି ଶବଟି କାହାର, ତାହା ବନ ବିଭାଗର ଅଧିକାରୀମାନେ ଠଉରାଇ ପାରି ନାହାନ୍ତି। ପଚିସଢ଼ି ଯାଇଥିବା ଶବର ଅଂଶବିଶେଷ ଉଦ୍ଧାର ପରେ ଭଟଲି ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ବ୍ୟବଚ୍ଛେଦ କରାଯାଇଥିଲା। କିନ୍ତୁ ସେଠାକାର ପ୍ରାଣୀଧନ ଅଧିକାରୀ ବ୍ୟବଚ୍ଛେଦରୁ କିଛି ଜାଣି ପାରିନଥିଲେ। ଫଳରେ ଶବଟି ମହାବଳର କି ଅନ୍ୟ କେଉଁ ବନ୍ୟପ୍ରାଣୀର, ତାହା ଏଯାଏଁ ରହସ୍ୟ ଘେରରେ ରହିଛି। ପ୍ରଥମେ ବନ ବିଭାଗ ତରବରିଆ ଭାବେ ଏହା କଲରା ପତରିଆ ବାଘର ବୋଲି କହୁଥିଲାବେଳେ ଗଳିତ ଶବର ମୁଣ୍ଡ ଦେଖିଲେ ତାହା ମହାବଳର ବୋଲି ବାରି ହେଉଛି। ଗଳିତ ଶବର ଅଂଶ ବିଶେଷକୁ ପରୀକ୍ଷା ପାଇଁ ଡେରାଡୁନସ୍ଥିତ ବନପ୍ରାଣୀ ପ୍ରତିଷ୍ଠାନକୁ ପଠାଯାଇଛି। ସେଠାରୁ ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହେବ।

ତେବେ, ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଓ ପିସିସିଏଫ୍‌(ବନ୍ୟପ୍ରାଣୀ) ସନ୍ଦୀପ ତ୍ରିପାଠୀ ସ୍ପଷ୍ଟ କରିଛନ୍ତି ଯେ ମହାବଳ ବାଘ ମରିନି। ବରଂ କଲରପତରିଆ ବାଘର ମୃତ୍ୟୁ ହୋଇଛି। ଏଭଳି ରିପୋର୍ଟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପ୍ରାଣୀ ବିଶେଷଜ୍ଞ।

ମନ୍ତ୍ରୀ ଶ୍ରୀ ରାଉତରାୟ କହିଛନ୍ତି ଯେ ପ୍ରାଥମିକ ତଦନ୍ତ ରିପୋର୍ଟ ପହଞ୍ଚିଛି। ଘଟଣା ସ୍ଥଳକୁ ଯାଇ ଡିଏଫ୍‌ଓ ଦେଇଥିବା ରିପୋର୍ଟ ଆଧାରରେ ମହାବଳର ମୃତ୍ୟୁ ହୋଇନାହିଁ। ବରଂ ଏକ କଲରାପତରିଆ ବାଘର ମୃତଦେହ ମିଳିଛି। ତାହା ଉପରେ ଅଧିକ ଅନୁଧ୍ୟାନ କରାଯାଉଛି।
ପିସିସିଏଫ୍‌(ବନ୍ୟପ୍ରାଣୀ) ଶ୍ରୀ ତ୍ରିପାଠୀ କହିଛନ୍ତି ଯେ କଲରାପତରିଆ ବାଘର ମୃତ୍ୟୁ ହୋଇଛି। ୨୦ ଦିନ ପୂର୍ବରୁ ତାହାର ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି।

ଅନ୍ୟପକ୍ଷରେ, ବରଗଡ଼ ‌ଡେବ୍ରିଗଡ଼‌େର ମହାବଳ ମୃତ୍ୟୁ ମାମଲା‌େର ଗଭୀର ଉଦ୍‌ବେଗ ପ୍ରକାଶ କରିଛି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ। ମାମଲାରେ ବନ୍ୟ ପ୍ରାଣୀ ସଂରକ୍ଷକଙ୍କଠାରୁ ପ୍ରାଧିକରଣ ରିପୋର୍ଟ ତଲବ କରିଛନ୍ତି। କେଉଁ ପରିସ୍ଥିତିରେ ମହାବଳର ମୃତ୍ୟୁ ହୋଇଛି ସେନେଇ ସବିଶେଷ ବିବରଣୀ ଓ ନଥିପତ୍ର ଦାଖଲ କରିବାପାଇଁ ରାଜ୍ୟ ମୁଖ୍ୟ ବନ୍ୟ ସଂରକ୍ଷକଙ୍କୁ କୁହାଯାଇଥିବା ଜଣାପଡ଼ିଛି। ରିପୋର୍ଟ ପାଇ ସାରିବା ପରେ ଏନ୍‌ଟିସିଏ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର