ଘୁମୁସର ବନଖଣ୍ଡରେ ମାତିଛି ବାଘ! ବାଛୁରୀ ଖାଇଲା, ଛେଳି ନିଖୋଜ, ପାଦ ଚିହ୍ନ ଖୋଜୁଛି ବନ ବିଭାଗ
ଭଞ୍ଜନଗର : ଘୁମୁସର ବନଖଣ୍ଡରେ ମାତିଛି ବାଘ। ଉତ୍ତର ଘୁମୁସର ଅଞ୍ଚଳର ଲଣ୍ଡେଇ ପାହାଡ଼ ଓ ଦକ୍ଷିଣ ଘୁମୁସର ଅଞ୍ଚଳର ଦାଣ୍ଡକାଠି ମୁଣ୍ଡିଆ ଉପରେ ବାଘ ଚଳପ୍ରଚଳ କରୁଥିବା ନେଇ ଆତଙ୍କ ସୃଷ୍ଟି ହେବା ବନବିଭାଗ ତନାଘନା ଆରମ୍ଭ କରିଛି। ବାଘ କେଉଁ ଆଡ଼କୁ ଚଳପ୍ରଚଳ କରୁଛି ଏଥିପାଇଁ ଏକ ଟିମ୍ ଦିନ ରାତି ଲାଗି ପଡ଼ିଛନ୍ତି। ପାଦ ଚିହ୍ନ ଠାବ କରିବାକୁ ଉଦ୍ୟମ ଜାରି ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉତ୍ତରଘୁମୁସର ବନଖଣ୍ଡର ଜଗନ୍ନାଥପ୍ରସାଦ ବନାଞ୍ଚଳରେ ବରଗାଁ ଠାରୁ ଲଣ୍ଡେଇ ପାହାଡ଼ ମଧ୍ୟରେ ଜଙ୍ଗଲ ରହିଛି। ଏହି ପାହାଡ଼ ଠାରୁ ଦୂରରେ ଲୋକେ ଗାଈ ଗୁହାଳ କରଛନ୍ତି। ଦୁଇ ଦିନ ତଳେ ସେଠାରେ ବରଗାଁର ଜଣେ ଗୋପାଳକଙ୍କ ବାଛୁରୀ ମରିଯାଇଥିବା ଦେଖିବାକୁ ମିଳିଥିଲା। ତା’ର ଦେହରେ ଗୋଟିଏ ପଟେ ନଖ ଚିହ୍ନ ଓ ଅନ୍ୟ ପଟେ କଣା ହୋଇଥିବା ଦେଖିବାକୁ ମିଳିଥିଲା। ଫଳରେ ବାଘ ହିଁ ବାଛୁରୀକୁ ମାରିଥିବା ନେଇ ଅଞ୍ଚଳବାସୀ ସନ୍ଦେହ ପ୍ରକଟ କରିଥିଲେ।
ସେହିପରି ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡା ବନାଞ୍ଚଳ ଜିରାବାଡି ଗ୍ରାମ ନିକଟସ୍ଥ ଦାନ୍ତକାଠି ମୁଣ୍ଡିଆରେ ବି ବାଘ ଆତଙ୍କ ଦେଖାଦେଇଛି। ସେହି ମୁଣ୍ଡିଆ ନିକଟସ୍ଥ ଛେଲାଖାଇ ଜଙ୍ଗଲରେ ବାଘ ବୁଲୁଥିବା ଭୟରେ ଲୋକେ ସେଠାକୁ ଯାଉ ନାହାନ୍ତି। ବନବିଭାଗ ପକ୍ଷରୁ ସେଠାରେ ବି ଛାନଭିନ ହୋଇଛି। ରାତିରେ ବାଘ ଗର୍ଜନ ଶୁଭାଯାଉଥିବା କିଛି ଗ୍ରାମବାସୀ କହିଛନ୍ତି। ତେବେ ସେଠାରେ କୌଣସି ବାଘ ନଥିବା ନେଇ ବୁଗୁଡା ବନାଞ୍ଚଳ ଅଧିକାରୀ ଦୁଃଶାସନ ନାୟକ କହିଛନ୍ତି। ଏହା କେବଳ ଲୋକଙ୍କ ଭ୍ରମ ବୋଲି ସେ କହିଛନ୍ତି।