ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ ବେଲଗୁଣ୍ଠା ସେକ୍ସନ୍ସ ନଣ୍ଡେଇ ପାହାଡ଼ରେ ବାଘ!
ସପ୍ତାହେ ମଧ୍ୟରେ ୩ ବାଛୁରୀ, ୬ ଛେଳି ନିଖୋଜ, ମଙ୍ଗଳବାର ଗୋରୁପଲକୁ ଆକ୍ରମଣ କରିଥିଲା, ପାଦ ଚିହ୍ନକୁ ନେଇ ଚର୍ଚ୍ଚା, ବନବିଭାଗର ଖଣ୍ଡନ
ପ୍ରତାପୁର : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ ବେଲଗୁଣ୍ଠା ସେକ୍ସନ୍ ନଣ୍ଡେଇ ପାହାଡ଼ ଇଲାକାରେ ବାଘ ମାତିଥିବା ଚର୍ଚ୍ଚା ହେଉଛି। ଗତ ଏକ ସପ୍ତାହ ହେଲାଣି ଏହି ଆତଙ୍କ ଜାରି ରହିଥିବାବେଳେ ଏହାରି ମଧ୍ୟରେ ୩ଟି ବାଛୁରୀ ଓ ୬ଟି ଛେଳି ନିଖୋଜ ହେବା ଗ୍ରାମବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି। ବନବିଭାଗ ବି ବାଘକୁ ଖୋଜିବାକୁ ନାଇଟ୍ ପାଟ୍ରୋଲିଂ ଜୋରଦାର କରିଛି। ମାତ୍ର ଏଯାଏ ବାଘର କୌଣସି ସନ୍ଧାନ ମିଳିନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରତ୍ୟକ୍ଷଦର୍ଶୀ ଗ୍ରାମବାସୀଙ୍କ କହିବା ଅନୁସାରେ, ଗତକାଲି ପୁଣି ନଣ୍ଡେଇ ପାହାଡ଼ ଉପରେ ବାଘ ହାବୁଡ଼ରେ ପଡ଼ିଥିଲେ ଗୋରୁପଲ। ଗୋରୁପଲ ହଠାତ୍ ଏଣେତେଣେ ଦୌଡ଼ିଥିଲେ। ସେମାନଙ୍କ ପଛରେ ଏକ ବାଘ ଦୌଡ଼ୁଥିବା ସେମାନଙ୍କ ନଜରରେ ପଡ଼ିଥିଲା। ଗୋଟିଏ ବାଛୁରୀ ଉପରେ ବାଘ ମାଡ଼ି ବସିବା ସହ ବଳଦ ପଲକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ବୋଲି ଗୋପାଳକ ରାମଚନ୍ଦ୍ର ଜେନା ଓ ଅନ୍ୟ ଗ୍ରାମବାସୀ କହିଛନ୍ତି। ଏପରିକି ବାଘ ଆକ୍ରମଣରେ ୪ଟି ବାଛୁରୀ ଆହତ ମଧ୍ୟ ହୋଇଛନ୍ତି। ଫଳରେ ବାଘର ଗତିବିଧିକୁ ନେଇ ନିକଟ ଗ୍ରାମରେ ଏକ ପ୍ରକାର ଆତଙ୍କ ଖେଳିଯାଇଛି। ରାମଚନ୍ଦ୍ର ଜେନାଙ୍କ ୩ଟି ବାଛୁରୀ, ବରଗାଁର କାଳିଆ ଗୌଡ଼ଙ୍କ ଗୋଟିଏ ଛେଳି, ଭାଗୀରଥି ପାତ୍ରଙ୍କ ୨ଟି ଛେଳିକୁ ବାଘ ଖାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଖାଲି ଏତିକି ନୁହେଁ, ଆଖପାଖ ଇଲାକାରେ ବାଘର ପାଦ ଚିହ୍ନ ବି ପଡ଼ିଥିବା ସେମାନେ କହିଛନ୍ତି।
ମାତ୍ର ରେଞ୍ଜର ଉମାକାନ୍ତ ଦାସ କହିଛନ୍ତି, ବାଘକୁ ଠାବ କରିବାକୁ ପାଟ୍ରୋଲିଂ ଜାରି ରହିଛି। କର୍ମଚାରୀ ନିୟୋଜିତ ହୋଇଛନ୍ତି। ତେବେ ମିଳିଥିବା ପାଦ ଚିହ୍ନ ବାଘର ନୁହଁ। ଏଥିପାଇଁ ଅନୁଧ୍ୟାନ ଚାଲିଛି।