ଦୋଷ ଢାଙ୍କିବାକୁ ଉଦ୍ୟମ : ବନ କର୍ମଚାରୀଙ୍କୁ ମୁଖିଆଙ୍କ କ୍ଲିନ୍‌ଚିଟ୍‌

ବାଘ ମନିଟରି˚ ପୂରା ଠିକ୍‌ ଥିଲା, ଘା’ ଜାଣିବାକୁ କିଛି ବ୍ୟବସ୍ଥା ନ ଥିଲା, ଡବ୍ଲୁଆଇଆଇର ତନାଘନା

ଅନୁଗୁଳ : ‘କାହ୍ନା’ରୁ ଆସିଥିବା ଯୁବ ମହାବଳ ‘ମହାବୀର’ ମୃତ୍ୟୁ ପରେ ସାତକୋଶିଆ ଜଙ୍ଗଲରେ ଏନ୍‌ଟିସିଏ ଏବ˚ ଡବ୍ଲୁଆଇଆଇର ଆରମ୍ଭ ହୋଇଛି ତନାଘନା। ଏନ୍‌ଟିସିଏ ଆଇଜି ଅମିତ ମଲ୍ଲିକ, ଡବ୍ଲୁଆଇଆଇ ଡାକ୍ତର କେ. ରମେଶ ଜଙ୍ଗଲକୁ ଆଜି ଯାଇ ପରିସ୍ଥିତି ଅନୁଧୢାନ କରିଛନ୍ତି। ସକାଳେ ଉଭୟ ବରିଷ୍ଠ ଅଧିକାରୀ ଅନୁଗୁଳ ଫରେଷ୍ଟ ଗେଷ୍ଟ ହାଉସ୍‌ରେ ପହଞ୍ଚିବା ପରେ ସାତକୋଶିଆ ଡିଏଫ୍‌ଓ ରାମା ସ୍ବାମୀ ପି.ଙ୍କ ସହିତ ବାଘ ମୃତ୍ୟୁର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ତା’ ପରେ ସାତକୋଶିଆ କ୍ଷେତ୍ର ନିର୍ଦେଶକ ଡ. ସୁଦର୍ଶନ ପଣ୍ତାଙ୍କ ସହିତ ଆଲୋଚନା କରି ଜଙ୍ଗଲ ଅଭିମୁଖେ ଯାତ୍ରା କରିଛନ୍ତି। ମହାବଳ କେଉଁ ପରିସ୍ଥିତିରେ ମଲା, କିଭଳି ମନିଟରି˚ ଚାଲିଥିଲା, ତା ଉପରେ ବିଶେଷଜ୍ଞମାନେ ତନାଘନା କରିବେ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ ମହାବଳ ବେକରେ ଘା’ ହେବା ଏବ˚ ପୋକ ସାଲୁବାଲୁ ହେବା ଘଟଣା ମହାବଳପ୍ରେମୀଙ୍କୁ ବ୍ୟଥିତ କରିଛି। ମହାବଳ ପଚିଗଲା ଓ ଗନ୍ଧେଇଲା, ଅଥଚ ବିଭାଗୀୟ କର୍ତ୍ତୃପକ୍ଷ ପାରିଲେ ନାହିଁ କେମିତି? ଏଥିରୁ ମହାବଳ ମନିଟରି˚ ନିର୍ଘାତ୍‌ ଫେଲ୍‌ ବୋଲି ବିଶେଷଜ୍ଞମାନେ କହୁଥିବା ବେଳେ ସାତକୋଶିଆ କ୍ଷେତ୍ର ନିର୍ଦେଶକ ଡ. ସୁଦର୍ଶନ ପଣ୍ତା କିନ୍ତୁ ନିଜ କର୍ମଚାରୀଙ୍କୁ ପୂରା କ୍ଲିନ୍‌ଚିଟ୍‌ ଦେଇଛନ୍ତି। ସେ ଗଣମାଧୢମକୁ କହିଛନ୍ତି, ମନିଟରି˚ରେ କାହାରି କିଛି ଅବହେଳା ହୋଇନାହିଁ। କର୍ମଚାରୀମାନେ ରାତିଦିନ ଖଟି ବାଘକୁ ଜଗିଥିଲେ ବୋଲି ଡ. ପଣ୍ତା କହିଛନ୍ତି। ତେବେ ବେକରେ ଘା’ ହେଲା ଅଥଚ ଆପଣ ଜାଣି ପାରିଲେ ନାହିଁ କେମିତି ପ୍ରଶ୍ନର ଉତ୍ତରରେ ସେ ଗଣମାଧୢମକୁ କହିଛନ୍ତି, ବାଘ ଜଙ୍ଗଲରେ ରହୁଥିଲା। ଘା’ ଜାଣିବାକୁ ଆମ ପାଖରେ ସେମିତି କିଛି ବ୍ୟବସ୍ଥା ନ ଥିଲା। ସେହିପରି ଶିକାର ଅଭିଯୋଗକୁ ସେ ଟାଳିଛନ୍ତି। କହିଛନ୍ତି, ଯେଉଁ ଇଲାକାରେ ବାଘ ରହୁଥିଲା ସେହି ଗାଁ ଲୋକେ ଆମକୁ ପୂରା ସହଯୋଗ କରୁଥିଲେ। ତେଣୁ ଶିକାରୀ ଆକ୍ରମଣରେ ମହାବଳର ମୃତ୍ୟୁ ହୋଇଥିବା କଥା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି। ସେହିପରି ବେକରେ ଖଞ୍ଜା ହୋଇଥିବା ରେଡିଓ କୋଲାର ଯୋଗୁ ବାଘର କ୍ଷତ ହେବାର ସମ୍ଭାବନା ନାହିଁ ବୋଲି ପୂର୍ବରୁ ପିସିସିଏଫ୍‌ ସ୍ପଷ୍ଟ କରିଛନ୍ତି। ଯଦି ସବୁ ଠିକ୍‌ଠାକ୍‌ ଥିଲା, ତେବେ ବାଘର କ୍ଷତ ହେଲା କେମିତି? ମହାବଳ ମୃତ୍ୟୁର ଦୁଇ ଦିନ ପରେ ବି ତାହା ସ୍ପଷ୍ଟ ହୋଇ ପାରୁନାହିଁ। ବର˚ ବନ ବିଭାଗ ଅଧିକାରୀଙ୍କ ମନ୍ତବ୍ୟ ପରେ ମହାବଳ କ୍ଷତ ରହସ୍ୟ ଆହୁରି ରହସ୍ୟାବୃତ୍ତ ହୋଇଛି।

ସମ୍ବନ୍ଧିତ ଖବର