‘ମହାବୀର’ ଶବ ବ୍ୟବଚ୍ଛେଦ ରିପୋର୍ଟ : ମହାବଳକୁ କୀଟ ଖାଇଗଲେ

ଜିଭ, ନାକର ପ୍ରାୟ ଅଧା ନ ଥିଲା, ବହୁ ଅଙ୍ଗପ୍ରତ୍ୟଙ୍ଗ ଅକାମି, ପାକସ୍ଥଳୀରୁ ବାହାରିଲା ଝିଙ୍କ କଣ୍ଟା, ମଳରୁ ବାର୍‌ହା ଲୋମ

ଅନୁଗୁଳ : ମୃତ୍ୟୁର ୫ଦିନ ପରେ ଆଜି ପଦାକୁ ଆସିଛି ମହାବଳ ‘ମହାବୀର’ର ଶବ ବ୍ୟ‌ବଚ୍ଛେଦ ରିପୋର୍ଟ। ଯେଉଁଥିରେ ମହାବଳ ଭଳି ଏକ ହିଂସ୍ର ଯନ୍ତୁର ବିଭିନ୍ନ ଅଙ୍ଗକୁ ଜଙ୍ଗଲୀ ବିଷାକ୍ତ ପୋକ ଓ କୀଟ କେମିତି କଲବଲ କରି ଖାଇଛନ୍ତି ତାହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଡାକ୍ତରୀ ରିପୋର୍ଟ କହୁଛି, ମଲା ବେଳକୁ ମହାବୀର ଦେହର ଅନେକ ମାଂସପେଶୀକୁ ପୋକ ଖାଇଯାଇଥିଲେ। ବିଶେଷ କରି ବେକରେ ଯେଉଁ କ୍ଷତ ହୋଇଥିଲା ସେଥିରେ ଏମିତି ଚରିଗଲେ ଯେ ବେକ ପାଖରୁ ମହାବୀରର ଶ୍ବାସନଳୀ ପଦାକୁ ଦିଶୁଥିଲା। ବେକରୁ ମୁଣ୍ଡ ଏବଂ ପେଟ ଯାଏ ପୋକ ବ୍ୟାପିଥିଲେ। ନାକ ଏବଂ ଜିଭର ଅନେକ ଅଂଶ ଖାଇଯାଇଥିଲେ। ପେଟରେ ସଂକ୍ରମଣ ମାତ୍ରା ଏତେ ଅଧିକ ହୋଇଥିଲା ଯେ ହଜମ ପ୍ରକ୍ରିୟାର କିଛି ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଆଉ ନ ଥିଲା। ଖାଇ ଖାଇ ନଷ୍ଟ କରି ଦେଇଥିଲେ। ‘ମହାବୀର’ ମଧ୍ୟପ୍ରଦେଶ ଜଙ୍ଗଲରୁ ସାତକୋଶିଆ ଆସି କେମିତି ପୋକ ଓ କୀଟଙ୍କ ଆକ୍ରମଣରେ କଲବଲ ହୋଇ ମଲା ତାହା ବ୍ୟବଚ୍ଛେଦ ରିପୋର୍ଟ ବୟାନ କରୁଛି।

ମହାବୀର ମଳରୁ ଜଙ୍ଗଲ ବାର୍‌ହାର ଲୋମ ମିଳିଛି। ମୃତ୍ୟୁର ୪/୫ଦିନ ପୂର୍ବରୁ ‘ମହାବୀର’ ଜଙ୍ଗଲୀ ବାର୍‌ହା ମାରିଥିବା ଡାକ୍ତରମାନେ ଅନୁମାନ କରୁଛନ୍ତି। କିନ୍ତୁ ପାକସ୍ଥଳୀରେ ଜଙ୍ଗଲୀ ଝିଙ୍କର ଅନେକ କଣ୍ଟା ଜବତ ହୋଇଛି। ଅର୍ଥାତ୍ ମହାବୀର ଝିଙ୍କ ଶିକାର କରିଛି। କିନ୍ତୁ ଜିଭ ନଷ୍ଟ ପରେ ମହାବୀର ଆଉ କୌଣସି ଖାଦ୍ୟ ଖାଇ ପାରିନାହିଁ ବୋଲି ଅନୁମାନ କରାଯାଉଛି। ମୋଟାମୋଟି ଭାବେ ମହାବୀରର ମୃତ୍ୟୁକୁ ପୋକ ସଂକ୍ରମଣ ବା ଡାକ୍ତରୀ ଭାଷାରେ ସେପ୍ଟିସେମିଆ, ମଲ୍‌ଟି ଅରର୍ଗାନ ଫେଲିୟର ବୋଲି ରିପୋର୍ଟ ଦର୍ଶାଯାଇଛି।

ମହାବୀର ମୃତ୍ୟୁର କାରଣ ଜଙ୍ଗଲୀ କୀଟ, ପୋକ ବୋଲି ବ୍ୟବଚ୍ଛେଦ ରିପୋର୍ଟ ଯଦିଓ ଇଙ୍ଗିତ କରୁଛି, କିନ୍ତୁ କେମିତି ଏତେ ବଡ଼ କ୍ଷତ ହେଲା ତାହା ଏବେ ବି ରହସ୍ୟ ଘେରରେ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମହାବୀର ଦେହରେ କ୍ଷତ ହେବାର କାରଣ କ’ଣ ଜଣାପଡ଼ିବ ବୋଲି ବନ ବିଭାଗ ପୂର୍ବରୁ କହୁଥିଲା। କିନ୍ତୁ ରିପୋର୍ଟରେ ଏ ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇନାହିଁ। କ୍ଷତର କାରଣ ଶିକାରୀ ଫାଶ ନା ଆଉ କିଛି ତାହା ଉଚ୍ଚସ୍ତରୀୟ ପରୀକ୍ଷା ନିରୀକ୍ଷାର ଆବଶ୍ୟକତା ରହିଛି। ସେଥିପାଇଁ ମହାବୀରର ଟିସ୍ୟୁ ଦେଶର ବିଭିନ୍ନ ଲାବୋର‌େଟରୀକୁ ଫରେନ୍‌ସିକ୍ ଟେଷ୍ଟ ପାଇଁ ପଠାଯାଇଛି ବୋଲି ସାତକୋଶିଆ କ୍ଷେତ୍ର ନିର୍ଦେଶକ ଡ. ସୁଦର୍ଶନ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର