ନନ୍ଦନକାନନ ପାଇଁ ଦୁଃଖଦ ଗୁରୁବାର : ବାଘ ରୋଷନ୍‌ର ମୃତ୍ୟୁ

ଗୟଳ ଶାବକର ମୃତ୍ୟୁ

ବାରଙ୍ଗ : ଗୁରୁବାର ଅପରାହ୍‌ଣରେ ଦୁଇଟି ଦୁଃଖଦ ଖବର ନନ୍ଦନକାନନ କର୍ତ୍ତୃପକ୍ଷ, କର୍ମଚାରୀ ଓ ପଶୁପ୍ରେମୀମାନଙ୍କୁ ମର୍ମାହତ କରିଛି। ବାର୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ମହାବଳ ବାଘ ରୋଷନ୍‌(୧୭) ଓ ଗତକାଲି ଅପରାହ୍‌ଣ‌ରେ ୪୨ ନମ୍ବର ଖୁଆଡ଼ରେ ଜନ୍ମଲାଭ କରିଥିବା ଗୟଳ ଶାବକର ଆଜି ମୃତ୍ୟୁ ହୋଇଯାଇଛି। ଅପରାହ୍‌ଣ ପ୍ରାୟ ୩ଟା ୨୦ରେ ସଂକଟାପନ୍ନ ରୋଷନ୍‌ର ପ୍ରାଣବାୟୁ ଉଡ଼ି ଯାଇଥିଲା। ଅପରପକ୍ଷେ ମା’ର ଖୋଜ ପଡ଼ିଯିବାରୁ ଗୟଳ ଶାବକଟିର ମୃତ୍ୟୁ ହୋଇଥିବା କର୍ତ୍ତୃପକ୍ଷ ଅନୁମାନ କରୁଛନ୍ତି। ଜୀବଦ୍ୱୟଙ୍କ ମୃତ୍ୟୁର କାରଣ ଜାଣିବା ଲାଗି ଶବକୁ ବ୍ୟବଚ୍ଛେଦ ଲାଗି ରଖାଯାଇଛି। ଆସନ୍ତାକାଲି(ଶୁକ୍ରବାର) ଓୟୁଏଟିର ବିଶେଷଜ୍ଞ ଦଳ ନନ୍ଦନକାନନ ଆସି ଶବ ବ୍ୟବଚ୍ଛେଦ କରିବେ ବୋଲି ଜଣାଯାଇଛି।
୨୦୦୨ ମସିହା ସେପ୍ଟେମ୍ବର ମାସ ୫ ତାରିଖରେ ଜନ୍ମ ହୋଇଥିଲା ରୋଷନ୍‌। ତାକୁ ଅଢ଼େଇ ବର୍ଷ ବୟସ ହୋଇଥିବା ବେଳେ ଏକ ବିରଳ ରୋଗରେ ପୀଡ଼ିତ ହୋଇ ସେ ଦୃଷ୍ଟିଶକ୍ତି ହରାଇ ବସିଥିଲା। ତେବେ ଗତ ୩ ତାରିଖରେ ସେ ଛୋଟେଇ ଚାଲୁଥିବା ନନ୍ଦନକାନନ କର୍ତ୍ତୃପକ୍ଷ ଜାଣିବା ପରେ ତା’ର ଚିକିତ୍ସା ଆରମ୍ଭ ହୋଇଥିଲା। ‌ରୋଷନ୍‌ର ମୃତ୍ୟୁ ପରେ ନନ୍ଦନକାନନର ବାଘ ସଂଖ୍ୟା ୨୭କୁ ହ୍ରାସ ପାଇଛି। ଏମାନଙ୍କ ମଧ୍ୟରେ ୧୪ଟି ସାଧାରଣ ରଙ୍ଗ, ୯ଟି ଧଳା ଓ ୪ଟି ବିରଳ କଳା ରଙ୍ଗର ବାଘ ରହିଛନ୍ତି। ସେହିପରି ଗୟଳ ଶାବକଟିର ମୃତ୍ୟୁ ପରେ ନନ୍ଦନକାନନର ଗୟଳ ସଂଖ୍ୟା ୪କୁ ହ୍ରାସ ପାଇଛି। ଏମାନଙ୍କ ମଧ୍ୟରେ ୨ଟି ମାଈ ଓ ୨ଟି ପୁରୁଷ ଅଛନ୍ତି।
ସମ୍ବନ୍ଧିତ ଖବର