ଜଗନ୍ନାଥ ପ୍ରସାଦ ବନାଞ୍ଚଳରେ ବାଘ ଆତଙ୍କ ! ୨ ଛେଳି ମୃତ, ଗୋଟିଏ ଗୁରୁତର, ୪ ନିଖୋଜ

ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡରେ ବାଘ ଆତଙ୍କ ଏ ପର୍ଯ୍ୟନ୍ତ ହଟିନି। ଏକ କଲରାପତରିଆ ବାଘ ନିକଟସ୍ଥ ଜଙ୍ଗଲରେ ବୁଲୁଥିବା ନେଇ ଚର୍ଚ୍ଚା ହେଉଛି। ବିଗତ ଦିନରେ ବରଗାଁ ନିକଟରେ ବାଛୁରୀ ଗାଏବ ହୋଇଯାଇଥିବା ବେଳେ ଏବେ ଛେଳି ନିଖୋଜ ରହଛି। ଗତକାଲି ରାତିରେ ଜଗନ୍ନାଥ ପ୍ରସାଦ ବନାଞ୍ଚଳ ଅନ୍ତର୍ଗତ ତେନ୍ତୁଳିଆ ଗ୍ରାମରେ ୪ଟି ଛେଳି ଛୁଆ ଗାଏବ ହୋଇଯାଇଥିବା ବେଳେ ୨ଟିର ମୃତ୍ୟୁ ଘଟିଛି ଓ ଗୋଟିଏ ଗୁରୁତର ହୋଇଛି। ଜଗନ୍ନାଥ ପ୍ରସାଦ ବନାଞ୍ଚଳର କର୍ମଚାରୀମାନେ ଆସି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଛେଳିକୁ ବାଘ ମାରିଛି ନା ଅନ୍ୟ କୌଣସି ହିଂସ୍ର ଜନ୍ତୁ ଆକ୍ରମଣର ଶିକାର ହୋଇଛି ତାହା ସ୍ପଷ୍ଟ ହୋଇପାରୁ ନାହିଁ। ଫଳରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିପାରି ନାହିଁ।
ଉତ୍ତର ଘୁମୁସର ବନଖଣ୍ଡର ଜଗନ୍ନାଥ ପ୍ରସାଦ ବନାଞ୍ଚଳର ତେନ୍ତୁଳିଆ ଗ୍ରାମର ସନ୍ୟାସୀ ଗୌଡ ସୋମବାର ପାହାନ୍ତିଆରୁ ଛେଳିଙ୍କ ବୋବାଳି ଶୁଣି ଗୁହାଳକୁ ଦୌଡି ଆସିଥିଲେ। ସେଠାରେ ଦେଖିଥିଲେ ୪ଟି ଛେଳି ଛୁଆ ଗାଏବ ହୋଇଯାଇଥିବା ବେଳେ ଦୁଇଟି ଛେଳି ଛୁଆର ମୃତ୍ୟୁ ହୋଇଛି  ଓ ଗୋଟିଏ ଗୁରତର ଅବସ୍ଥା ପଡ଼ିଛି । ଏହି ଘଟଣା ବିଷୟରେ ଗାଁ ସାରା ପ୍ରଘଟ ହୋଇଯାଇଥିବା ବେଳେ ଗ୍ରାମବାସୀ ଏକାଠି ହୋଇଯାଇଥିଲେ। କିଏ ବାଘ ଖାଇଛି ବୋଲି କହୁଥିବା ବେଳେ କିଏ ଅନ୍ୟ କୌଣସି ହିଂସ୍ର ଜନ୍ତୁ ଖାଇଥିବା ନେଇ ମଧ୍ୟ ପ୍ରକାଶ କରିଛନ୍ତି। ଏହାପରେ ଜଗନ୍ନାଥ ପ୍ରସାଦ ବନାଞ୍ଚଳରେ ବନପାଳ ଓ ବନରକ୍ଷୀ ଆସି ସେଠାରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ଗୁହାଳ ନିକଟରେ ରାସ୍ତା ଗୁଡିକ କଂକ୍ରିଟ ରାସ୍ତା ହୋଇଥିବାରୁ ବାଘର ପାଦ ଚିହ୍ନ ମଧ୍ୟ ମିଳିପାରି ନଥିଲା। କିନ୍ତୁ ଗୁହାଳ ଠାରୁ କିଛି ଦୂରରେ ରକ୍ତ ପଡିଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ବନ କର୍ମଚାରୀମାନ ସେଠାରେ କୌଣସି ଜନ୍ତୁର ପାଦଚିହ୍ନ ପାଇପାରି ନ ଥିଲେ। ଏହାପରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସା କେନ୍ଦ୍ର ତରଫରୁ ସେଠାରେ ଡାକ୍ତର ପହଞ୍ଚି ଶବବ୍ୟବେଚ୍ଛଦ କରିଛନ୍ତି। ଏଭଳି ଘଟଣା ଘଟିଥିବା ବେଳେ କାରଣ ଅସ୍ପଷ୍ଟ ରହିଥିବାରୁ ଲୋକେ ଆହୁରି ଆତଙ୍କିତ ହୋଇ ରହିଛନ୍ତି।
ଏ ନେଇ ଜଗନ୍ନାଥ ପ୍ରସାଦ ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାସ ପ୍ରକାଶ କରିଛନ୍ତି ଯେ, ଏହି ବନାଞ୍ଚଳର ଗୁଣ୍ଡୁରିବାଡି ଅଞ୍ଚଳରେ କଲରାପତରିଆ ବାଘର ପାଦ ଚିହ୍ନ କିଛି ଦିନ ପୂର୍ବେ ମଳିଥିଲା। ଏନେଇ ଗୁଣ୍ଡୁରିବାଡି, ତାମନାଡ, ବରକୋଳିଆ, ତରଫ, ବରଗାଁ ଓ ଲଣ୍ଡେଇ ପାହାଡ ଅଞ୍ଚଳବାସୀଙ୍କୁ ଏନେଇ ସତର୍କ ମଧ୍ୟ କରାଯାଇଥିଲା। କିନ୍ତୁ ଗତକାଲି ରାତିରେ ଘଟଣା କଲରାପତରିଆ ବାଘ କରିନଥିବା ନେଇ ଅନୁମାନ କରାଯାଉଛି ବୋଲି କହିଛନ୍ତି। ଏହା କୌଣସି ଅଜଣା ହିଂସ୍ରଜନ୍ତୁ କରିଥିବା ନେଇ ଜଣାପଡୁଛି। ବନ ବିଭାଗ ପକ୍ଷରୁ ଦୁଇଟି ଟ୍ରାପ କ୍ୟାମେରା ଲଗାଯିବା ନିଷ୍ପତ୍ତି ହୋଇଛି।  ଯାହାଫଳରେ ତାହା ବାଘ କିମ୍ବା ଅନ୍ୟ କୌଣସି ହିଂସ୍ରଜନ୍ତୁ ତାହା ସ୍ପଷ୍ଟ ଜଣାପଡିବ।
ସମ୍ବନ୍ଧିତ ଖବର