ବାଘ-ବାଘୁଣୀଙ୍କ ଉପରେ ନଜର

ଅନୁଗୁଳ : ଦୀର୍ଘ ଦେଢ଼ମାସ ପରେ ସାତକୋଶିଆର ସ୍ୱତନ୍ତ୍ର ଏନ୍‌କ୍ଲୋଜରରୁ ବାଘୁଣୀ ‘ସୁନ୍ଦରୀ’ ଗତକାଲି ମୁକ୍ତି ପାଇଛି। ବନ୍ଦୀ ଜୀବନରୁ ମୁକୁଳିବା ପରେ ଆନନ୍ଦରେ ଘୂରି ବୁଲୁଛି ଘଞ୍ଚ ଜଙ୍ଗଲର ଏପାଖରୁ ସେପାଖ। ଏଣେ ପୂର୍ବରୁ ସ୍ୱତନ୍ତ୍ର ଏନ୍‌କ୍ଲୋଜରରୁ ବାହାରିଥିବା ବାଘ ‘କାହ୍ନା’ ବି ଜଙ୍ଗଲରେ ଘୂରି ବୁଲୁଛି। ଉଭୟଙ୍କ ଉପରେ ରହିଛି ବନ ବିଭାଗର ୨୪ ଘଣ୍ଟିଆ ନଜର। ରେଡିଓ କଲାର ସାହାଯ୍ୟରେ ସାଟେଲାଇଟ୍‌ ଜରିଆରେ ବାଘ-ବାଘୁଣୀକୁ ଠାବ କରା ଯାଇପାରୁଥିବା ବେଳେ ଭିଏଚ୍‌ଏଫ୍‌ ମେସିନ୍‌ ଜରିଆରେ ମଧ୍ୟ ଗତିବିଧି ସଠିକ୍‌ ଆକଳନ କରାଯାଇ ପାରୁଛି। ଏକ ସମୟରେ ରେଡିଓ କଲାର ଓ ଭିଏଚ୍‌ଏଫ୍‌ ଜରିଆରେ ବାଘଙ୍କୁ ଠାବ କରିବାର କୌଶଳ ଭାରତବର୍ଷରେ ପ୍ରଥମ ଥର ପାଇଁ ଏହି ସାତକୋଶିଆ ଜଙ୍ଗଲରେ ବ୍ୟବହାର ହୋଇଥିବା ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ(ଏସ୍‌ଟିଆର) କ୍ଷେତ୍ର ନିର୍ଦ୍ଦେଶକ ତଥା ଅତିରିକ୍ତ ପିସିସିଏଫ୍‌ ଡ. ସୁଦର୍ଶନ ପଣ୍ଡା ସୂଚନା ଦେଇଛନ୍ତି। ପୂର୍ବରୁ ଛଡ଼ା ଯାଇଥିବା ବାଘ ଓ ଏବେ ଛଡ଼ା ଯାଇଥିବା ବାଘୁଣୀ ଉପରେ ଏହି ଦୁଇ କୌଶଳରେ ନଜର ରଖାଯାଇଥିବା ବେଳେ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ଗବେଷକ ମଧ୍ୟ ସେମାନଙ୍କର ଗତିବିଧି ଉପରେ ନଜର ରଖିଛନ୍ତି। ଏବେ କିଭଳି ବାଘ-ବାଘୁଣୀ ପରସ୍ପରର ନିକଟତର ହେବେ, ସେମାନଙ୍କର ବଂଶ ବଢ଼ିବା ସହ ସାତକୋଶିଆର ଗୌରବ ବଢ଼ିବ ସେ ନେଇ ବନ ବିଭାଗ ଅପେକ୍ଷା କରିଛି। ବାଘଙ୍କ ବଂଶ ବଢ଼ିଲେ ହିଁ କୋଟି କୋଟି ଟଙ୍କା ବ୍ୟୟରେ ହୋଇଥିବା ଏହି ଯୋଜନା ସଫଳ ହେବ ବୋଲି ବନ ବିଭାଗ ଆଶା କରିଛି। ତେବେ ବାଘୁଣୀ ଛଡ଼ାଯିବାର ୨୭ ଘଣ୍ଟା ବିତିଥିଲେ ମଧ୍ୟ ଉଭୟ ପରସ୍ପରର ନିକଟତର ହୋଇନଥିବା ଜଣାପଡ଼ିଛି।

ଅନ୍ୟପଟେ ନାଗପୁର ତାଦୋବା ଅନ୍ଧାରୀ ଟାଇଗର ରିଜର୍ଭରେ ୧କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏହା ଫେଲ ମାରିଥିଲା। ବାଘ ଛଡ଼ାଯିବାର କିଛି ଦିନ ପରେ ଏହା ଆଉ କାମ କରିନଥିଲା। ଫଳରେ ଏହାର ଗତିବିଧି ଉପରେ ନଜର ରଖିବା ସମ୍ଭବ ହୋଇନଥିଲା। ଜଙ୍ଗଲରୁ ଆସି ଏହା ମଣିଷମରା ବାଘ ପାଲଟିଥିଲା। କିନ୍ତୁ ରେଡିଓ ଟ୍ରାକିଂ କଲାର ଫେଲ ମାରିଥିବାରୁ ବାଘର ଚଳପ୍ରଚଳ ନିୟନ୍ତ୍ରଣ କରାଯାଇ ପାରିନଥିଲା। ଏହାକୁ ନେଇ ଏକ ଜନସ୍ୱାର୍ଥ ମାମଲା ମଧ୍ୟ ରୁଜୁ ହୋଇଥିଲା। ବନବିଭାଗ ତଦନ୍ତ କରି ଜାଣିଥିଲା ଯେ ବଜ୍ରପାତ ଫଳରେ ଏହି କଲାର ଖରାପ ହୋଇ ଯାଇଥିଲା। ବଜ୍ରପାତରୁ ରକ୍ଷା କରିବା ପାଇଁ କୌଣସି ଉପାୟ ଏଯାବତ୍‌ ବାହାରି ପାରିନଥିବାରୁ ସାତକୋଶିଆରେ ମଧ୍ୟ ଏହି ସମ୍ଭାବନା ରହିଛି। କଲାର୍‌ରେ ଥିବା ଏକ ଚିପ୍‌ରୁ ବାହାରୁଥିବା ରେଡିଏସନକୁ ଗ୍ରହଣ କରି ସାଟେଲାଇଟ୍‌ ଛାଡ଼ିଥାଏ। ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ମେସିନ୍‌ ଦ୍ୱାରା ଗ୍ରହଣ କରି ଏହି ଟ୍ରାକିଂ କରାଯାଇଥାଏ। ବଜ୍ରପାତ ଫଳରେ ଚିପ୍‌ ପ୍ରଭାବିତ ହୋଇଥାଏ। ଏହି ବଜ୍ରପାତ ଭୟ ଥିବାରୁ ଭିଏଚ୍‌ଏଫ୍‌ (ଭେରି ହାଇ ଫ୍ରିକ୍ୟୁଏନ୍‌ସି)ବ୍ୟବସ୍ଥା କରାଯାଇଛି। ଏହା ଜରିଆରେ ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଲାଗିଥିବା ଆଣ୍ଟିନା ଦ୍ୱାରା ସିଧାସଳଖ ବାଘର ଗତିବିଧି ଉପରେ ନଜର ରଖିହୁଏ। ପ୍ରଥମ ଥର ପାଇଁ ଏଭଳି ଦ୍ୱୈତ ବ୍ୟବସ୍ଥା କରାଯାଇଥିବାରୁ ବାଘର ଗତିବିଧି ଉପରେ ନଜର ରଖିବା ସହଜ ହେବ। ଏଣୁ ବାଘ କିମ୍ବା ବାଘୁଣୀ ଜନବସତିକୁ ଆସି ମଣିଷଖିଆ ପାଲଟିବା ପୂର୍ବରୁ ବନବିଭାଗ ପାଖରେ ଖବର ରହିବ। ତେଣୁ ଏଥିରେ ଭୟଭୀତ ହେବାର ନାହିଁ ବୋଲି ଏସ୍‌ଟିଆର କ୍ଷେତ୍ର ନିର୍ଦ୍ଦେଶକ କହିଛନ୍ତି।

ମଧ୍ୟପ୍ରଦେଶର କାହ୍ନା ସଂରକ୍ଷିତ ବ୍ୟାଘ୍ର ପ୍ରକଳ୍ପରୁ ଗତ ଜୁନ୍‌ ୨୧ରେ ଏକ ଯୁବ ବାଘ ଆସିଥିଲା ବେଳେ ଜୁନ୍‌ ୨୮ ତାରିଖରେ ବାନ୍ଧବଗଡ଼ରୁ ଆସି ସାତକୋଶିଆର ସ୍ୱତନ୍ତ୍ର ଏନ୍‌କ୍ଲୋଜରରେ ରହୁଥିଲା ବାଘୁଣୀ ‘ସୁନ୍ଦରୀ’। ପୂର୍ବରୁ ବାଘ ଏନକ୍ଲୋଜରରୁ ମୁକ୍ତ ହୋଇଥିବା ବେଳେ ବାଘୁଣୀ ‘ସୁନ୍ଦରୀ’କୁ ଗତକାଲି ସାତକୋଶିଆ ଅଭୟାରଣ୍ୟକୁ ଛଡ଼ାଯାଇଛି। ତେବେ ଜଙ୍ଗଲରେ ବାଘ-ବାଘୁଣୀ ଛଡ଼ାଯିବାକୁ ନେଇ ପ୍ରବଳ ବିରୋଧ ହୋଇଥିଲା। ବାଘ ଜନବସତିରେ ପଶି ଘାତକ ସାଜିବ ବୋଲି ସାତକୋଶିଆବାସୀ ଆଶଙ୍କା କରିଥିଲେ। ଏହି ଆଶଙ୍କାରେ ବାଘକୁ ବିରୋଧ କରିବା ସହ ଆନ୍ଦୋଳନ କରିଥିଲେ। ବାଘକୁ ମାରି ଦିଆଯିବ ବୋଲି ମଧ୍ୟ ଧମକ ଦେଇଥିଲେ।

ସମ୍ବନ୍ଧିତ ଖବର