ମାଟ୍ରିକ୍ ରେଜଲ୍ଟ ପରେ ପାସ୍ ହାରକୁ ନେଇ ବଢ଼ିଲା ଚିନ୍ତା : ଚଳିତ ବର୍ଷ ପାସ ହାର ରହିଛି ୭୦.୭୮%, ଏଥର ମଧ୍ୟ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ ହାର ଅଧିକ

ଭୁବନେଶ୍ୱର : ଆସିଲା ମାଟ୍ରିକ ରେଜଲ୍ଟ । ଏଥର ପାସ୍ ହାର ୭୦.୭୮% । ବାତ୍ୟା ଫନି ପାଇଁ ବିଳମ୍ବରେ ବାହାରିଥିବା ମାଟ୍ରିକ ରେଜଲ୍ଟ କିନ୍ତୁ ଏଥର ଭଲ ଫଳ ଦେଇନି । ଗତ ୫ ବର୍ଷ ଅପେକ୍ଷା ବହୁତ କମ୍ ରହିଛି ପାସ୍ ହାର । ଚଳିତ ବର୍ଷ ପାସ ହାର ରହିଛି ୭୦ ଦଶମିକ ୭୮ପ୍ରତିଶତ । ୫ ଲକ୍ଷ ୬୨ ହଜାର ୨୧୩ ଜଣ ପରୀକ୍ଷା ଦେଇଥିବା ବେଳେ ପାସ ହୋଇଛନ୍ତି ୩ଲକ୍ଷ ୯୭ହଜାର ୧୨୫ ଜଣ ପରୀକ୍ଷାର୍ଥୀ ।

ଝାରସୁଗୁଡାରେ ସର୍ବାଧିକ, କୋରାପୁଟରେ ସର୍ବନିମ୍ନ ପାସ୍‌ହାର। ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ । ଏଥର ମଧ୍ୟ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ ହାର ଅଧିକ ରହିଛି । ୨ଲକ୍ଷ ୫ହଜାର ୪୭୦ ଜଣ ଝିଅ ପାସ କରିଥିବା ବେଳେ ପୁଅ ପାସ୍ କରିଛନ୍ତି, ୧ ଲକ୍ଷ ୯୧ ହଜାର ୬୫୫ ଜଣ । ଝାରସୁଗୁଡାରେ ସର୍ବାଧିକ ପାସହାର ୮୫ ଦଶମିକ ୪୮ ପ୍ରତିଶତ ଏବଂ କୋରାପୁଟରେ ସର୍ବନିମ୍ନ ୫୦ ଦଶମିକ ୬୧ ପ୍ରତିଶତ ରହିଛି ।

ସିବିଏସଇରେ ୯୦%ରୁ ଅଧିକ । ବିଏସଇରେ ୭୦ରୁ ୮୦% । କାହିଁକି ରହୁଛି ଏତେ ତାରତମ୍ୟ? ସିବିଏସଇ ଓ ମାଧ୍ୟମିକ ଶିକ୍ଷା ପରିଷଦର ପାସହାରକୁ ଦେଖିଲେ ରାଜ୍ୟର ପାସ୍ ହାର ସନ୍ତୋଷଜନକ ନୁହେଁ ବୋଲି କୁହାଯିବ । ଗତ ୫ ବର୍ଷର ଆକଳନ ଦେଖିଲେ, ଏହା ସ୍ପଷ୍ଟ ହେବ । ୨୦୧୫ରେ ସିବିଏସଇର ପାସହାର ୯୭.୩୨ ଥିବାବେଳେ ବିଏସଇର ପାସହାର ଥିଲା ୮୨.୫୬ । ୨୦୧୬ରେ ସିବିଏସଇର ୯୬. ୨୧, ବିଏସଇ ୭୬. ୨୯ ପ୍ରତିଶତ, ୨୦୧୭ରେ ସିବିଏସଇର ୯୩ ଦଶମିକ ୦୬, ବିଏସଇର ୮୫ ଦଶମିକ ୨୮ ପ୍ରତିଶତ, ୨୦୧୮ରେ ସିବିଏସଇର ୮୬. ୦୭ ଏବଂ ବିଏସଇର ୮୮. ୨୫ ପ୍ରତିଶତ ଥିଲା । ଆଉ, ଚଳିତବର୍ଷ ସିବିଏସଇର ପାସହାର ୯୧.୧୦ ଥିବାବେଳେ ବିଏସଇର ପାସହାର ରହିଛି ୭୦ ଦଶମିକ ୭୮ ପ୍ରତିଶତ ।

ସିସିଟିଭି ଲାଗିଲା, ସଫଳତା କମିଲା ! ୨୮୯ଟି ସ୍କୁଲରେ ଶତପ୍ରତିଶତ । ୮୨ଟି ସ୍କୁଲରେ ରେଜଲ୍ଟ ଶୂନ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ୨୮୯ଟି ସ୍କୁଲରେ ଶତ ପ୍ରତିଶତ ହୋଇଛି । ୮୨ଟି ସ୍କୁଲରେ ରେଜଲ୍ଟ ଶୂନ ହୋଇଛି । ଅର୍ଥାତ ଏହି ସ୍କୁଲରେ କୌଣସି ବି ପରୀକ୍ଷାର୍ଥୀ ପାସ କରିନାହାନ୍ତି । ସିସିଟିଭି ଲାଗିବା ଦ୍ୱାରା ପରୀକ୍ଷାରେ ସ୍ୱଚ୍ଛତା ଆସିଛି, କଡାକଡି ହୋଇଛି ହେଲେ କମିଛି ପାସ୍ ହାର । ଆସନ୍ତାବର୍ଷରୁ ପୁଣି ବଦଳିବ ପରୀକ୍ଷା ଢାଂଚା । ଆଉ ଓଏମଆର୍ ସିଟ୍ ରହିବନାହିଁ । ଛାତ୍ରଛାତ୍ରୀ ସବଜେକ୍ଟିଭ୍ ଏବଂ ଅବଜେକ୍ଟିଭ୍ ପ୍ରଶ୍ନର ଉତର, ଉତର ଖାତାରେ ଦେବେ ।

ସମ୍ବନ୍ଧିତ ଖବର