ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା, ୧୦୦ ପ୍ଲାଟୁନ୍‌ ଫୋର୍ସ, ୩ ଶହ ଅଫିସର ହେବେ ନିଯୁକ୍ତ

ଭୁବନେଶ୍ୱର : ଆଉ ମାତ୍ର ଦୁଇ ଦିନ ପରେ ଅର୍ଥାତ ଚଳିତ ମାସ ୨୬ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେଉଥିବା ଦଳୀୟ କାର୍ଯ୍ୟକ୍ରମରେ ତାଙ୍କର ଯୋଗଦେବାର ଅଛି। ପ୍ରଧାନମନ୍ତ୍ରୀ ବିମାନବନ୍ଦରରୁ ଓହ୍ଲାଇ ସିଧା ହେଲିକପ୍ଟର ଯୋଗେ କଟକ ଯିବେ। ମାତ୍ର ଅଢ଼େଇ ଘଣ୍ଟାର ରହଣୀ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। କେବଳ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଲାଗି ଭୁବନେଶ୍ୱର ଓ କଟକରେ ୧୦୦ ପ୍ଲାଟୁନ୍‌ରୁ ଅଧିକ ଫୋର୍ସ, ୩ ଶହ ଅଫିସର ଓ ୨ ଜଣ ଡିସିପି ନିୟୋଜିତ ହେବେ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏସ୍‌ପିଜି ଟିମ୍‌ ଓ କମିସନରେଟ୍‌ ପୁଲିସର ବରିଷ୍ଠ ଅଧିକାରୀମାନେ ଆଜି ବିମାନବନ୍ଦର ଓ ବାଲିଯାତ୍ରା କାର୍ଯ୍ୟକ୍ରମ ସ୍ଥଳକୁ ଯାଇ ଯାଞ୍ଚ ଆରମ୍ଭ କରିଛନ୍ତି। ସନ୍ଧାନୀ କୁକୁର ସହଯୋଗରେ ସଭାସ୍ଥଳ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଛି। ପୁଲିସ କମିସନର୍‌ ଯୋଗେଶ ବାହାଦୁର ଖୁରାନିଆ ଓ ଭୁବନେଶ୍ୱର ଡିସିପି ଅନୁପ ସାହୁ, କଟକ ଡିସିପି ଅଖିଳେଶ୍ୱର ସିଂହ, ଟ୍ରାଫିକ ଡିସିପି କୃଷ୍ଣ ସାମଲ୍‌ ଓ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ୍‌ ପରିଚାଳନା ପରିସ୍ଥିତିର ସମୀକ୍ଷା କରିଛନ୍ତି।

ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଭୁବନେଶ୍ୱର ଓ କଟକକୁ ନୋ ଫ୍ଲାଇଙ୍ଗ୍‌ ଜୋନ୍‌ ଭାବେ ଘୋଷଣା କରାଯିବ। ହେଲିିକପ୍ଟର ଯୋଗେ ଭୁବନେଶ୍ୱରରୁ ଯାଇ ନରାଜରେ ପହଞ୍ଚିବେ। ସେଠାରୁ ପ୍ରଧାନମନ୍ତ୍ରୀ ସିଧା ଯିବେ ବାଲିଯାତ୍ରା ପଡ଼ିଆ। ପ୍ରଧାନମନ୍ତ୍ରୀ ଯେଉଁ ରାସ୍ତାରେ ଯିବେ, ସେହି ରାସ୍ତାକୁ ୩୦ ମିନିଟ ପୂର୍ବରୁ ନୋ-ମ୍ୟାନ ଜୋନ୍‌ ଭାବେ ଘୋଷଣା କରାଯିବ। ରାସ୍ତାର ଉଭୟ ପାର୍ଶ୍ୱରେ ବ୍ୟାରିକେଡ୍‌ ଲାଗିବ। ରାସ୍ତାର ବିଭିନ୍ନ ଛକରେ ପୁଲିସ ଫୋର୍ସ ମୁତୟନ ହେବେ। ସନ୍ଧାନୀ କୁକୁର ଓ ଗୁଇନ୍ଦା ପୁଲିସକୁ ମଧ୍ୟ ସତର୍କ କରାଇ ଦିଆଯାଇଛି ବୋଲି ପୁଲିସ କମିସନର ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି।

ପୁଲିସ କମିସନର୍‌ ଖୁରାନିଆଙ୍କ ସୂଚନା ମୁତାବକ, ପ୍ରଧାନମନ୍ତ୍ରୀଙ୍କ ଗାଡିର ସବା ଆଗରେ ଆଡ୍‌ଭାନ୍ସ ପାଇଲଟ୍‌, ତା’ ପଛକକୁ ଟେକ୍‌ନିକାଲ୍‌ କାର(ଯେଉଁଥିରେ ଏସ୍‌ପିଜି, ଜାମ୍ମର ଓ ବମ୍‌ ଡିସପୋଜାଲ୍‌ ସ୍କ୍ଵାଡ୍‌ ରହିବ), ଏହା ପରେ ପାଇଲଟ୍‌, ଭିଆଇପି, ଭିଭିଆଇପି କାର୍‌, ଏସକର୍ଟ-୧, ଏସକର୍ଟ-୨, ଏସକର୍ଟ-୩, ସ୍ପେୟାର କାର୍‌, ଏହା ପଛକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ଗାଡ଼ି, ପୁଲିସ ଡିଜି, ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଆଦି ରହିବ। ପ୍ରଧାନମନ୍ତ୍ରୀ ଯେଉଁ ସବୁ ରାସ୍ତାରେ ଯିବେ ସେହି ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାକୁ ପାଖାପାଖି ଅଧ ଘଣ୍ଟା ପୂର୍ବରୁ ସିଲ୍‌ କରି ଦିଆଯିବ। ଟ୍ରାଫିକ୍‌ ସମସ୍ୟାର ମୁକାବିଲା ଲାଗି ଟ୍ରାଫିକ୍‌ ପୁଲିସ ନିୟୋଜିତ ହେବେ।

ସଭାସ୍ଥଳରେ ମଧ୍ୟ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯିବ। ବାଲିଯାତ୍ରା ପଡ଼ିଆକୁ ଲାଗି ରହିଥିବା ଉଚ୍ଚ ଅଟ୍ଟାଳିକା ଉପରେ ସଶସ୍ତ୍ର ପୁଲିସ ଫୋର୍ସ ନିୟୋଜିତ ହେବେ। ସଭାବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମେଟାଲ ଡିଟେକ୍ଟର୍‌ରେ ଯାଞ୍ଚ ପରେ ଭିତରକୁ ଛଡ଼ା ଯିବ। ସଭାସ୍ଥଳର ୫୦ ମିଟର ସମ୍ମୁଖ ଭାଗରେ ନୋ-ମ୍ୟାନ୍‌ ଲ୍ୟାଣ୍ଡ୍‌ ଭାବେ ଘୋଷଣା କରାଯିବ।

ଅନ୍ୟପକ୍ଷରେ ଆଜିଠାରୁ ଭୁବନେଶ୍ୱର ଓ କଟକରେ ଥିବା ସମସ୍ତେ ଗେଷ୍ଟ ହାଉସ୍‌, ହୋଟେଲ୍‌, ଲଜ୍‌ରେ ପୁଲିସ ଯାଞ୍ଚ ଆରମ୍ଭ କରିଛି। ବିଳମ୍ବିତ ରାତିରେ ଦୁଇ ସହରର ପ୍ରବେଶ ଓ ପ୍ରସ୍ଥାନ ପଥରେ ବ୍ଲକିଂ ଆରମ୍ଭ ହୋଇ ଯାଇଛି ବୋଲି ପୁଲିସ କମିସନର୍‌ ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ କେତେକ ରାଜନୈତିକ ଦଳ ଓ ସଂଗଠନ ବିରୋଧ କରୁଥିବାରୁ କମିସନରେଟ୍‌ ପୁଲିସ ପକ୍ଷରୁ ଯଥେଷ୍ଟ ସର୍ତକତା ଅବଲମ୍ବନ କରାଯାଇଛି।

ସମ୍ବନ୍ଧିତ ଖବର